ଦୃଶ୍ୟମ୍-୨ ରେ ପୁଣି ନଜର ଆସିବେ ଅଜୟ ଦେବଗନ୍-ତବୁ, ଆରମ୍ଭ ହେବ ସୁଟିଂ
25/02/2021 at 3:55 PM

ମୁମ୍ବାଇ ୨୫/୦୨ : ଅଭିନେତା ଅଜୟ ଦେବଗନ ଓ ତବୁ ପୁଣିଥରେ ଗୋଟିଏ ଫିଲ୍ମରେ ନଜର ଆସିପାରନ୍ତି। ଅଜୟ ଦେବଗନ ଓ ତବୁ ଦୃଶ୍ୟମ୍-୨ରେ ପୁଣି ଏକାସଙ୍ଗେ ନଜର ଆସିବେ ବୋଲି କୁହାଯାଉଛି। ଅଭିନେତା ମୋହନ ଲାଲ ଅଭିନୀତ ମାଲାୟାଲାମ ଫିଲ୍ମ ଦୃଶ୍ୟମ୍-୨ ଫେବୃଆରୀ ୧୯ ତାରିଖରେ ଅନଲାଇନ ରିଲିଜ ହୋଇଛି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜେଟୁ ଜୋସେଫ।

ଏହି ଫିଲ୍ମରେ ‘ଦୃଶ୍ୟମ୍’ର ୬ ବର୍ଷ ପର ଘଟଣା ଦର୍ଶାଯାଇଛି। ହିନ୍ଦୀ ହେବାକୁଥିବା ଦୃଶ୍ୟମ-୨ ରେ ସାମାନ୍ୟ କିଛି ପରିବର୍ତ୍ତନ କରାଯାଇ ମାଲାୟାଲାମ ଫିଲ୍ମର କାହାଣୀ ଉପରେ ଆଧାରିତ ହେବ। ଫିଲ୍ମର ପ୍ରଯୋଜନା ଦେବେ କୁମାର ମଙ୍ଗତ। ଇଟାଇମ୍ସ ଖବର ଅନୁସାରେ, ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଅଜୟ ଦେବଗନ ଓ ତବୁ ରାଜି ହୋଇଯାଇଛନ୍ତି। ଅନ୍ୟ ଚରିତ୍ରରେ କିଏ ଅଭିନୟ କରିବେ ଏବେ ଯାଏଁ ଠିକ୍ ହୋଇନାହିଁ। ଫିଲ୍ମର ମୁଖ୍ୟ ନିର୍ମାତାଙ୍କ ଠାରୁ ଫିଲ୍ମର ରାଇଟ କିଣିବା ପ୍ରକ୍ରିୟା ପ୍ରାୟତ ପୁରା ହୋଇଯାଇଛି।

ସୁଟିଂ ଜାଗା ଓ ବଜେଟକୁ ନେଇ ଶୀଘ୍ର ନିଷ୍ପତ୍ତି ନିଆଯିବ। ଏଥିପାଇଁ କାମ ଚାଲିଛି। ସବୁଠାରୁ ବଡ ନିର୍ଣ୍ଣୟ ବାକି ଅଛି। ତାହା ହେଲା ଭାୟକମ୍ ୧୮କୁ ଫିଲ୍ମର ଅଂଶୀଦାର କରାଯିବ ନା ନାହିଁ। ଭାୟକମ୍ ୧୮ ପ୍ରଥମ ପାର୍ଟର କୋ-ପ୍ରଡ୍ୟୁସର ଥିଲା।

ହିନ୍ଦୀ ଏହି ଫିଲ୍ମର ପ୍ରଥମ ପାର୍ଟ ୨୦୧୫ରେ ସିନେମାହଲରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମକୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ସମାଲୋଚକ ଓ ଦର୍ଶକ ଏହାକୁ ବରାବର ପ୍ରଶଂସା କରିଥିଲେ। ଅଜୟ ଓ ତବୁଙ୍କ ସହ ଦୃଶ୍ୟମ-୨ ସୁଟିଂ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଆରମ୍ଭ ହେବ। ଫିଲ୍ମ ୨୦୨୨ରେ ରିଲିଜ କରିବାର ଯୋଜନା ରହିଛି।

ଅଜୟ ଦେବଗନ ଦମଦାର ଅଭିନୟ ପାଇଁ ବହୁତ ଲୋକପ୍ରିୟ। ଅଭିନୟ ସହ ସେ ଫିଲ୍ମ ନିର୍ଦ୍ଦେଶନା ମଧ୍ୟ ଦେଉଛନ୍ତି। ସେ ନିଜ ଫିଲ୍ମ ‘ମେଡେ’ର ନିର୍ଦ୍ଦେଶନା ଦେଉଛନ୍ତି। ଏହି ଫିଲ୍ମରେ ବିଗ ବି ଅମିତାଭ ବଚ୍ଚନ ମୁଖ୍ୟ ଚରିତ୍ରରେ ନଜର ଆସିବେ। ଅଜୟ ଦେବଗନ, ‘ସିଂହମ୍’, ‘ଦୃଶ୍ୟମ୍’, ‘ରେଡ୍’ ଆଦି ଫିଲ୍ମରେ ଦମଦାର୍ ଅଭିନୟ କରିଛନ୍ତି।