ହନିଟ୍ରାପରେ ବ୍ୟବସାୟୀ: ବ୍ଲାକମେଲ୍ କରି ଆଦାୟ କରୁଥିଲେ ମୋଟା ଅଙ୍କର ଟଙ୍କା, ରାଣୀ ମହୁମାଛିକୁ କାବୁ କଲା ପୋଲିସ
6/12/2020 at 5:19 PM

ସୀକର ୦୬/୧୨ : ରାଜସ୍ଥାନର ସୀକରରେ ହନିଟ୍ରାପରେ ବ୍ୟବସାୟୀଙ୍କୁ ଫସାଇ ବ୍ଲାକମେଲ୍ କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ପୋଲିସ । ଅଭିଯୁକ୍ତମାନେ ବ୍ୟବସାୟୀଙ୍କୁ ଫସାଇ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ । ତେବେ ଜଣେ କୋଇଲା ବ୍ୟବସାୟୀଙ୍କୁ ଅପହରଣ ମାମଲାର ଖୋଳତାଡ କରୁଥିବା ବେଳେ ପୋଲିସ ଏହି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଥିବା ସୂଚନା ମିଳିଛି ।
ରାଜସ୍ଥାନ ପୋଲିସକୁ ସୂଚନା ମିଳିଥିଲା ଯେ, ଜଣେ କୋଇଲା ବ୍ୟବସାୟୀଙ୍କୁ ଅପହରଣ କରାଯାଇଛି ଏବଂ ତାଙ୍କୁ ହରିୟାଣାର ସୀକର ଜିଲ୍ଲାରେ ରଖାଯାଇଛି । ତାଙ୍କୁ ସୀକର ଜିଲ୍ଲାର ରଖାଯାଇଥିବା ଉଦ୍ୟୋଗ ନଗରରେ ଥାନା ପୋଲିସ ଖୁଲାସା କରିଥିଲା । ପୋଲିସ କହିବା ମୁତାବକ କୋଇଲା ବ୍ୟବସାୟୀଙ୍କୁ ଅପହରଣ କରାଯାଇନଥିଲା ବରଂ ହନୀ ଟ୍ରାପରେ ଫସା ଯାଇଥିଲା ।
ଥାନା ଅଧିକାରୀ ପବନ କୁମାର ଚୌବେ କହିଛନ୍ତି ଯେ, ଡିସେମ୍ବର ୩ରେ ହରିୟାଣା ପୋଲିସ ପକ୍ଷରୁ ସୂଚନା ମିଳିଥିଲା କି ଜଣେ ବ୍ୟବସାୟୀଙ୍କୁ କିଛି ଅପହରଣକାରୀ ବନ୍ଧକ ରଖିଛନ୍ତି ଏବଂ ୧୫ ଲକ୍ଷ ଟଙ୍କା ଦାବି କରିଛନ୍ତି । ତେବେ ସ୍ଥାନୀୟ ପୋଲିସ ଏବଂ ହରିୟାଣା ପୋଲିସ ମିଳିତ ଭାବେ ଅପରେସନ ଆରମ୍ଭ କରିଥିଲେ । ତିରୁପତି ନଗରର ଏକ ତିନି ମହଲା ଫ୍ଲାଟର ତୃତୀୟ ମହଲାରୁ ଦିନେଶ କୁମାର ନାମକ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ ।
ଦିନେଶ କୁମାର କହିଛନ୍ତି ଯେ, ବର୍ଷେ ପୂର୍ବରୁ ଜଣେ ମହିଳା ତାଙ୍କୁ ମେସେଜ କରିଥିଲେ ଏବଂ ଜଣେ କୋଇଲା ବ୍ୟବସାୟୀଙ୍କ ଝିଅ ଭାବେ ପରିଚୟ ଦେଇଥିଲେ । ଏହା ପରେ ଉକ୍ତ ମହିଳାଜଣକ ୨ ଥର ତାଙ୍କ ଠାରୁ କୋଇଲା ମଧ୍ୟ କିଣିଥିଲେ । ତେବେ ଯେତେବେଳେ ଟଙ୍କା ଦେବା ସମୟ ଆସିଲା ମହିଳାଜଣକ ଦିନେଶକୁ ସାଲାସର ଡକାଇଥିଲେ । ତେବେ ଉଭୟ ସେହି ଦିନ ରାତିରେ ଏକ ହୋଟେଲରେ ରହିଥିଲେ । ଏହାରି ମଧ୍ୟରେ ମହିଳାଜଣକ ବ୍ୟବସାୟୀଙ୍କର ଆପତ୍ତିଜନକ ଫଟୋ ଏବଂ ଭିଡିଓ ସୁଟ୍ କରିନେଇଥିଲେ । ଏହା ପରେ ତାଙ୍କୁ ବ୍ଲାକମେଲ୍ କରିବା ସହ ଦେଢ କୋଟି ଟଙ୍କା ମାଗିଥିଲେ ।
ତେବେ ବ୍ୟବସାୟୀଜଣକ ଏତେ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ ଏବଂ ୧୫ ଲକ୍ଷ ଟଙ୍କାକୁ ଦେବାକୁ କହିଥିଲେ । ଏହା ପରେ ଦିନେଶ ଘର ଲୋକଙ୍କୁ ଏ ବାବଦରେ ସୂଚନା ଦେଇଥିଲେ । ଘର ଲୋକ ହରିୟାଣା ପୋଲିସକୁ ଏ ବାବଦରେ ଜଣାଇଥିଲେ । ଏହା ପରେ ହରିୟାଣା ପୋଲିସ ସୀକର ଆସି ଦିନେଶଙ୍କୁ ଉଦ୍ଧାର କରିଥିଲା । ପୋଲିସ କହିଛି ଏହା ଏକ ହନିଟ୍ରାପ୍ ଥିଲା ଏବଂ ବଡ ବଡ ବ୍ୟବସାୟୀଙ୍କୁ ଫସାଇ ଟଙ୍କା ଆଦାୟ କରାଯାଉଥିଲା । ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ଅଞ୍ଜୁଳା ନାମକ ମହିଳାକୁ ଗିରଫ କରିଛି ପୋଲିସ ।