ଆମେରିକାରେ ସମ୍ମାନିତ ହେବେ ଐଶ୍ବର୍ଯ୍ୟା ; ପ୍ରଥମ ଭାରତୀୟଭାବେ ପାଇବେ ମେରିଲ ଷ୍ଟ୍ରିପ୍ ଏକ୍ସିଲେନ୍ସ ଆଓ୍ବାର୍ଡ

Published By : Prameya-News7 Bureau | September 08, 2018 IST

ମୁମ୍ବାଇ ୮|୯: ପୂର୍ବତନ ମିସ୍ ଓ୍ବାର୍ଲ୍ଡ ତଥା ବଲିଉଡର ପରିଚିତ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ଆଉ ଏକ ଆଓ୍ବାର୍ଡ ମିଳିବାକୁ ଯାଉଛି। ତାଙ୍କୁ ମେରିଲ ଷ୍ଟ୍ରିପ୍ ଏକ୍ସିଲେନ୍ସ ଆଓ୍ବାର୍ଡ ପାଇଁ ମନୋନୀତ କରାଯାଇଛି । ଓ୍ବିମେନ ଇନ୍ ଫିଲ୍ମ ଆଣ୍ଡ୍ ଟେଲିଭିଜନ ଇଣ୍ଡିଆ (ଡବ୍ଲୁଆଇଏଫଟି) ଦ୍ବାରା ଏହି ଆଓ୍ବାର୍ଡ ପ୍ରଦାନ କରାଯିବ । ଡବ୍ଲୁଆଇଏଫଟି ଇଣ୍ଡରନ୍ୟାସନାଲର ଏକ ଶାଖା ହେଉଛି ଡବ୍ଲୁଆଇଏଫଟି ଇଣ୍ଡିଆ। ଯେଉଁ ସଂସ୍ଥା ଫିଲ୍ମ, ଟିଭି, ଭିଡିଓ ଏବଂ ଅନ୍ୟ ମିଡିଆରେ କାମ କରୁଥିବା ମହିଳାମାନଙ୍କୁ ପ୍ରୋତ୍ସାହିତ କରିଥାଏ । ଚଳିତବର୍ଷ ଡିସେମ୍ବର ୮ତାରିଖରେ ଓ୍ବାଶିଂଟନ ଡିସିରେ ଏହି ଆଓ୍ବାର୍ଡ ଉତ୍ସବ ହେବାକୁ ଯାଉଛି । ଏହି ଆଓ୍ବାର୍ଡ ହଲିଉଡର ଭେଟେରାନ ଅଭିନେତ୍ରୀ ମେରିଲ ଷ୍ଟ୍ରିପ୍‌ଙ୍କ ସମ୍ମାନରେ ଦିଆଯାଇଥାଏ । ଐଶ୍ବର୍ଯ୍ୟା ଏହି ଆଓ୍ବାର୍ଡ ପାଉଥିବା ପ୍ରଥମ ଭାରତୀୟ ଅଭିନେତ୍ରୀ । ଏହି ଅବସରରେ ଐଶ୍ବର୍ଯ୍ୟା ରାୟ ବଚ୍ଚନ ବ୍ୟତୀତ ଜୋୟା ଅଖତର, ଜାହ୍ନବୀ କପୁରଙ୍କୁ ମଧ୍ୟ ସମ୍ମାନୀତ କରାଯିବ । ୭ରୁ ୯ ଡିସେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ସାଉଥ୍ ଏସିଆନ ଫିଲ୍ମ ଫେଷ୍ଟିଭାଲ ସହ ଏହି ଆଓ୍ବାର୍ଡ ଉତ୍ସବ ହେବ । ୧୯୯୮ ମସିହାରେ ମେରିଲ ଷ୍ଟ୍ରିପ୍‌ଙ୍କୁ ମଧ୍ୟ ଡବ୍ଲୁଆଇଏଫ କ୍ରିଷ୍ଟଲ ଆଓ୍ବାର୍ଡରେ ସମ୍ମାନିତ କରାଯାଇଥିଲା । ଡବ୍ଲୁଆଇଏଫଟି ଇଣ୍ଡିଆ ଆଓ୍ବାର୍ଡର ଫାଉଣ୍ଡର ପ୍ରେସିଡେଣ୍ଟ ପେଟରିନା ଡି ଏକ ସାକ୍ଷାତକାରରେ କହିଛନ୍ତି, ମେରିଲ ଷ୍ଟ୍ରିପ୍ ସମସ୍ତଙ୍କ ପାଇଁ ପ୍ରେରଣା ଅଟନ୍ତି । ମେରିଲ ଷ୍ଟ୍ରିପ୍ ତାଙ୍କ କାମପ୍ରତି ସମର୍ପିତ ଥିଲେ । ପୁରୁଷ ପ୍ରାଧାନ୍ୟ ବିଶ୍ବର ମହିଳାମାନଙ୍କୁ ସେମାନଙ୍କର ପରିଚୟ ବଜାୟ ରଖିବାର ସୁଯୋଗ ଦେବାପାଇଁ ଡବ୍ଲୁଆଇଏଫଟି ଇଣ୍ଡିଆ ଆଓ୍ବାର୍ଡ ଲକ୍ଷ୍ୟ ରଖିଛି । ଐଶ୍ବର୍ଯ୍ୟା ତାଙ୍କ ଅଭିନୟ ପାଇଁ ସାରା ବିଶ୍ବରେ ପରିଚିତ । ୨୦୦୨ମସିହାରେ କାନସ ଫିଲ୍ମ ଫେଷ୍ଟିଭାଲରେ ଐଶ୍ବର୍ଯ୍ୟାଙ୍କ ଫିଲ୍ମ ‘ଦେବଦାସ’ ର ସ୍ପେଶାଲ ସ୍କ୍ରିନିଂ କରାଯାଇଥିଲା । ୨୦୦୪ ମସିହାରେ ବ୍ରିଟିଶ ନିର୍ଦ୍ଦେଶକ ଗୁରିନ୍ଦର ଚଢାଙ୍କ ଫିଲ୍ମ ‘ବ୍ରାଇଡ୍ ଆଣ୍ଡ ପ୍ରିଜ୍ୟୁଡାଇଜ’ ରେ ମଧ୍ୟ ଐଶ୍ବର୍ଯ୍ୟାଙ୍କ କାମର ପ୍ରଶଂସା ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.