‘ବିମାନରେ ହେବାକୁ ଯାଉଛି ବିସ୍ଫୋରଣ’: ଟେକ୍‌ଅଫ୍‌ କରିବା ପୂର୍ବରୁ ଭିତରୁ ଶୁଭିଲା ଏମିତି ଚିତ୍କାର, ଯିଏ ଯେଉଁଆଡେ ପାରିଲେ ଦୌଡିଲେ

Published By : Prameya-News7 Bureau | November 27, 2021 IST

ନୂଆଦିଲ୍ଲୀ ୨୭/୧୧ : ଆଉ ମାତ୍ର କେଇ ସେକେଣ୍ଡ ପରେ ବିମାନ ଟେକ୍‌ଅଫ୍‌ କରିଥାନ୍ତା । ଯାତ୍ରୀମାନେ ନିଜ ନିଜ ସିଟ୍‌ରେ ବସିସାରିଥିଲେ । ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ କରିଥିଲେ ବିମାନର ପାଇଲଟ୍‌ । ଠିକ୍‌ ଏତିକି ବେଳେ ଶୁଣିବାକୁ ମିଳିଲା ଯେ, ‘ପଳାଅ ପଳାଅ ଉଡାଜାହାଜରେ ବିସ୍ଫୋରଣ ହେବାକୁ ଯାଉଛି ।’

ବିମାନ ରନ୍‌ଓ୍ବେ ଛାଡିବାର କିଛି ସମୟ ପୂର୍ବରୁ ହିଁ ଏଭଳି ଚିତ୍କାର ଶୁଣି ଯାତ୍ରୀମାନେ ପ୍ରାଣ ବିକଳରେ ଏଣେ ତେଣେ ଧାଇଁବାକୁ ଲାଗିଲେ । ଯାତ୍ରା କରିବାକୁ ଥିବା ସମସ୍ତ ଯାତ୍ରୀ ତୁରନ୍ତ ବିମାନରୁ ଓହ୍ଲାଇ ଯାଇ ବିମାନବନ୍ଦର ପରିସରରେ ଯିଏ ଯେଉଁଆଡେ ପାରିଲେ ଦୌଡିବାକୁ ଲାଗିଲେ ।

ମିଳିଥିବା ସୂଚନା ଅନୁସାରେ, ଏଭଳି ଅଭାବନୀୟ ଘଟଣା ବ୍ରାଜିଲର ଏକ ବିମାନବନ୍ଦରରେ ଘଟିଛି । ବ୍ରାଜିଲିୟାଇ ଏୟାରଲାଇନ୍ସର ଏକ ଫ୍ଲାଇଟ୍‌ ୨୭୫୧ର ଏୟାରବେସ୍‌ରେ ଅଚାନକ ବିଜୁଳି ସମସ୍ୟା ଦେଖାଦେଇଥିଲା । ଏତିକି ବେଳେ ବିମାନର ଜଣେ ଆଟେଣ୍ଡାଣ୍ଟ ଭିତରେ ଥିବା ସମସ୍ତ ଯାତ୍ରୀଙ୍କୁ ଯେତେ ଜଲଦି ଫ୍ଲାଇଟ୍‌ରୁ ଓହ୍ଲାଇ ଯିବାକୁ କହିଥିଲେ । କାରଣ ବିମାନରେ ବିସ୍ଫୋରଣ ଆଶଙ୍କା ଅଛି ବୋଲି ଆଟେଣ୍ଡାଣ୍ଟ ଜଣକ କହିଥିଲେ ।

ବିମାନ ମଧ୍ୟରୁ ପ୍ରାଣ ବିକଳରେ ସମସ୍ତେ ଯିଏ ଯେଉଁଆଡେ ପାରିଲେ ଦୌଡିବାକୁ ଲାଗିଲେ । ଜଣେ ଯାତ୍ରୀ କହିଛନ୍ତି, ‘ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ହଠାତ୍‌ ଚିତ୍କାର କରି ଲୋକମାନଙ୍କୁ ଜଲଦି ଏମରଜିନ୍ସି ଡୋର ପଟେ ବାହାରିବା ପାଇଁ କହିଥିଲେ । କାରଣ ବିମାନ​‌ରେ ବିସ୍ଫୋରଣ ହେବାର ଆଶଙ୍କା ରହିଛି । ଭିତରେ ଥିବା ଯାତ୍ରୀମାନେ ଯିଏ ଯାହାକୁ ପାରିଲେ ଧକ୍କା ଦେଇ ବାହାରକୁ ବାହାରି ଯିବା ପାଇଁ ଉଦ୍ୟମ କଲେ । ଭିତରେ କିଛି ଛୋଟ ଛୋଟ ଶିଶୁ ମଧ୍ୟ ଥିଲେ । ଠେଲାପେଲା ଭିତରେ କିଛି ଲୋକ ଭିତରେ ରହିଯାଇଥିଲେ । କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି ।’

ଏଭଳି ଅଭାବନୀୟ ଘଟଣା ପରେ ବିମାନ ଉଡାଣ ତୁରନ୍ତ ବାତିଲ କରାଯାଇଥିଲା । କିଛି ଯାତ୍ରୀଙ୍କୁ ଅନ୍ୟ ବିମାନରେ ଛଡାଯାଇଥିଲା । ଘଟଣା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ମଧ୍ୟ ସ୍ପଷ୍ଟୀକରଣ ରଖିଛନ୍ତି । ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ଯେ, ‘କିଛି ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଯାତ୍ରୀମାନଙ୍କୁ ବାହାରକୁ ଯିବା ପାଇଁ କୁହାଯାଇଥିଲା । କୌଣସି ପ୍ରକାର ଅଘଟଣ ନଘଟୁ ସେଥିପାଇଁ ଫ୍ଲାଇଟ୍‌ ଆଟେଣ୍ଡଣ୍ଟ ଜରୁରୀକାଳୀନ ଡୋର୍‌ ପଟେ ବାହାରିଯିବା ପାଇଁ କହିଥିଲେ । ସମସ୍ତ ଯାତ୍ରୀଙ୍କୁ ଘଟଣା ପାଇଁ ଏୟାରଲାଇନ୍ସ ପକ୍ଷରୁ କ୍ଷମା ପ୍ରାର୍ଥନା କରୁଛୁ’।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.