ୟେମେନ୍ ବିମାନବନ୍ଦରରେ ଆତଙ୍କବାଦୀଙ୍କ ତାଣ୍ଡବଲୀଳା : ବିସ୍ଫୋରଣରେ ୨୨ଜଣଙ୍କ ମୃତ୍ୟୁ, ଅନେକ ଆହତ
1/01/2021 at 10:03 PM

ନୂଆଦିଲ୍ଲୀ ୦୧/୦୧ : ୟେମେନର ଆଦେନ ଏୟାରପୋର୍ଟରେ ଭୟଙ୍କର ବିସ୍ପୋରଣ ହୋଇଛି । ଏହି ବିସ୍ଫୋରଣରେ ପ୍ରାୟ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଘଟଣାରେ ଶହେରୁ ଉର୍ଦ୍ଧ୍ବ ଲୋକ ଆହତ ମଧ୍ୟ ହୋଇଛନ୍ତି । ଏହି ବିସ୍ଫୋରଣ ପଛରେ ହାଉଥି ରିବେଲ୍ ଆତଙ୍କବାଦୀ ସଂଗଠନର ହାତ ଥିବା ୟେମେନର ରାଷ୍ଟ୍ରପତି ଆବୁ ରବୁ ମନସୁର କହିଛନ୍ତି ।
ଏହି ଘଟଣା ସେତେବେଳେ ଘଟିଛି ଯେତେବେଳେ କି ସ୍ଥାନୀୟ ଅଧିକାରୀମାନେ କିଛି ସରକାରୀ ଅଧିକାରୀମାନଙ୍କୁ ଏୟାରପୋର୍ଟରେ ସ୍ବାଗତ କରୁଥିଲେ । ଘଟଣା ପରେ ପୁରା ୟେମେନ ସ୍ତବ୍ଧ ହୋଇଯାଇଛି । ଏହି ଘଟଣା ପରେ ୟେମେନର ରାଷ୍ଟ୍ରପତି ଆବୁ ରବୁ ମନସୁର ଏକ ସ୍ବତନ୍ତ୍ର କମିଟି ଗଠନ କରି ତଦନ୍ତ ନିର୍ଦେଶ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ମଇନ୍ ଅବଦୁଲ ମାଲିକଙ୍କ ସହ କଥା ହେବା ସହ ସେ କହିଛନ୍ତି, ଇରାନ ସମର୍ଥିତ ହାଉଥି ମିଲିଟିଆ ଏବଂ ଏକ୍ସଟ୍ରିମିଷ୍ଟ୍ ଆତଙ୍କବାଦୀ ସଂଗଠନ ଦ୍ବାରା କରାଯାଉଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଢ ଜବାବ ଦିଆଯିବ । ଦେଶରେ ବିସ୍ଫୋରଣ କରି ଆତଙ୍କବାଦୀମାନେ ଦମନ ଲୀଳା ଚଳାଇପାରିବେ ନାହିଁ ବୋଲି ରାଷ୍ଟ୍ରପତି କହିଛନ୍ତି । ଏହି ବିସ୍ଫୋରଣରେ ୟେମେନ ICRCର ଜଣେ ସଦସ୍ୟ ପ୍ରାଣ ହରାଇଛନ୍ତି । ଅନ୍ୟ ଦୁଇ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି ଏବଂ ୩ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।