ଝାରସୁଗୁଡା ବିମାନବନ୍ଦରରୁ ବିମାନ ଉଡାଣ ନକରିବାର ଫଳ ; ଏୟାର ଓଡିଶାର ଲାଇସେନ୍ସ ବାତିଲ

Published By : Prameya-News7 Bureau | November 23, 2018 IST

ଝାରସୁଗୁଡା ୨୩|୧୧:  ବିମାନବନ୍ଦର ପ୍ରାଧିକରଣ ଏୟାର ଓଡ଼ିଶାର ଲାଇସେନ୍ସ ରଦ୍ଦ କରିଛି। ଫଳରେ ଉଡାଣ ଯୋଜନାରେ ସାମିଲ ଏୟାର ଓଡିଶା ଆଉ ବିମାନ ଚଳାଇ ପାରିବ ନାହିଁ। ଝାରସୁଗୁଡା ବିମାନବନ୍ଦରକୁ ଗତ ସେପ୍ଟେମ୍ବର ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବା ପରେ ଉଡାଣ ଯୋଜନାରେ ପ୍ରଥମ ବିମାନ ରାୟପୁର ଯାଇଥିଲା। ତା ପରଠାରୁ ଅନିୟମିତ ଭାବେ ଉଡିଥିଲା ବିମାନ। ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପରେ ହଠାତ୍ ଅକ୍ଟୋବର ୬ ତାରିଖରୁ ବିମାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଏହାକୁ ନେଇ ସ୍ଥାନୀୟଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। କଂଗ୍ରେସ, ବିଜେଡି,କୋଶଳ କ୍ରାନ୍ତି ଦଳ ପକ୍ଷରୁ ପୃଥକ ପୃଥକ ଆନ୍ଦୋଳନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେହିଦିନଠାରୁ ଝାରସୁଗୁଡା ବିମାନବନ୍ଦରରୁ ବିମାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ବେଳେ ଦୁଇଦିନ ତଳେ ସାରା ଦେଶରେ ୫୦ଟି ରୁଟରେ ବିମାନ ଚଳାଚଳ ପାଇଁ ପାଇଥିବା ଏୟାର ଓଡ଼ିଶାର ଲାଇସେନ୍ସକୁ ରଦ୍ଦ କରିଛି ବିମାନବନ୍ଦର ପ୍ରାଧିକରଣ। ବର୍ତ୍ତମାନ ଏହି ନିଷ୍ପତ୍ତିକୁ ସାଧାରଣରେ ସ୍ବାଗତ କରାଯାଉଥିଲେ ମଧ୍ୟ ତୁରନ୍ତ ବିମାନବନ୍ଦରରୁ ବିମାନ ଚଳାଇବା ଦାବି ଜୋର ଧରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.