ଓଡିଆ ପୁଅଙ୍କୁ ବଡ ଦାୟିତ୍ଵ, ଏୟାର ମାର୍ଶାଲ ଡିକେ ପଟ୍ଟନାୟକ ପୂର୍ବାଞ୍ଚଳ ଏୟାର କମାଣ୍ଡର ନିଯୁକ୍ତ

Published By : Prameya-News7 Bureau | October 02, 2021 IST

ନୂଆଦିଲ୍ଲୀ ୦୨।୧୦: ପୁଣି ଓଡିଆ ପୁଅଙ୍କୁ ମିଳିଲା ବଡ ଦାୟିତ୍ଵ। ଓଡିଆ ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକ ପୂର୍ବାଞ୍ଚଳ ଏୟାର କମାଣ୍ଡର ଭାବେ ନିଯୁକ୍ତ ପାଇଛନ୍ତି। ପ୍ରଥମ ଓଡିଆ ଭାବେ ଏୟାର ମାର୍ଶାଲ ଦିଲୀପଙ୍କୁ ଏହି ଗୁରୁ ଦାୟିତ୍ଵ ମିଳିଛି। ଆସନ୍ତାକାଲି ସେ ଦାୟିତ୍ଵ ଗ୍ରହଣ କରିବେ। ଏ ନେଇ ବାୟୁ ସେନା ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ  ପାଇଛି।

ଫାଇଟର ଜେଟ୍ ମିରାଜର ପାଇଲଟ୍‌ ଭାବେ ଦିଲୀପଙ୍କ ଦକ୍ଷତା ରହିଛି। କାରଗିଲ୍ ଯୁଦ୍ଧରେ ଅପୂର୍ବ ସାହସିକତା ପାଇଁ ସେ ବାୟୁସେନା ମେଡାଲ ପାଇଥିଲେ। ୨୦୨୦ରେ ଦିଲୀପଙ୍କୁ ଅତି ବିଶିଷ୍ଟ ସେବା ମେଡାଲ ମିଳିଥିଲା। କେବଳ ଏତିକି ନୁହେଁ ଏୟାର ମାର୍ଶାଲ ଦିଲୀପଙ୍କ ୨୫୦୦ ଘଣ୍ଟାର ଉଡାଣ ଦକ୍ଷତା ରହିଛି। ତାଙ୍କର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ବାୟୁସେନା ପକ୍ଷରୁ ଏବେ ତାଙ୍କୁ ପୂର୍ବାଞ୍ଚଳ ଏୟାର କମାଣ୍ଡର ଭାବେ ନିଯୁକ୍ତ ଦିଆଯାଇଛି।

ଏୟାର ମାର୍ଶାଲ ଦିଲୀପ କୁମାର ପଟ୍ଟନାୟକଙ୍କୁ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ସିଲଙ୍ଗରେ ନିଯୁକ୍ତ ଦିଆଯାଇଛି। ବର୍ତ୍ତମାନ ସେ ସେଣ୍ଟ୍ରାଲ ଏୟାର କମାଣ୍ଡରରେ ସିନିୟର ଏୟାର ଷ୍ଟାଫ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି। ଦିଲୀପ ବାୟୁସେନା ମୁଖ୍ୟାଳୟରେ ଅନେକ ଗୁରୁତ୍ଵପୂର୍ଣ୍ଣ ପଦରେ କାର୍ଯ୍ୟ କରିଛନ୍ତି। ହେଡକ୍ଵାର୍ଟର ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡରେ ଅପରେସନାଲ କମାଣ୍ଡାସାସ୍ ଭାବେ ମଧ୍ୟ କାମ କରିଛନ୍ତି।

୧୯୯୯ ମସିହା ଜୁନ ୧୬ ତାରିଖରେ ବାଟାଲିକ୍ ସେକ୍ଟରରେ ଲାଇଭ୍ ଷ୍ଟ୍ରାଇକ୍ ମିଶନ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ତାଙ୍କର ଅପୂର୍ବ ସାହସ ଯୋଗୁ କାରଗିଲ୍‌ରେ ପାକ ସେନା ଛତ୍ରଭଙ୍ଗ ଦେଇଥିଲେ । ଏହାପରେ ୧୯୯୯ ଜୁନ ୨୬-୨୭ତାରିଖ ରାତିରେ ପ୍ରଥମଥର ପାଇଁ ଟାଇଗର ହିଲ୍‌ରେ ଥିବା ଶତ୍ରୁ ସେନା ଉପରେ ଲେଜର୍ ଗାଇଡେଡ୍ ବମ୍ ଷ୍ଟ୍ରାଇକ୍ କରିଥିଲେ । ଅପରେସନ୍ ରକ୍ଷକରେ ସେ ୨୭ଥର ନିଜ ଜୀବନକୁ ବାଜି ଲଗାଇ ମିଶନରେ ବାହାରିଥିଲେ । ଏନେଇ ତାଙ୍କୁ ୧୯୯୯ ମସିହାରେ ବାୟୁସେନା ସାହସିକତା ପଦକ ମିଳିଥିଲା ।

(ଖଡ଼କୱାସାଲାରେ ଥିବା ଜାତୀୟ ପ୍ରତିରକ୍ଷା ଏକାଡେମୀର ପୂର୍ବତନ ଛାତ୍ର ଦିଲୀପ ପଟ୍ଟନାୟକ। ସେ ୧୯୮୪ ମସିହାରେ ଭାରତୀୟ ବାୟୁସେନାର ଜଣେ ଫାଇଟର୍ ଜେଟ୍ ପାଇଲଟ୍ ଭାବେ ଯୋଗ ଦେଇଥିଲେ । ୨୫ଶହ ଘଣ୍ଟାରୁ ଅଧିକ ସମୟ ଧରି ତାଙ୍କର ବିମାନ ଉଡାଇବାର ଦକ୍ଷତା ରହିଛି । ୧୯୯୫ରେ ସ୍କାଡର୍ନ ଲିଡର, ୨୦୦୧ରେ ୱିଙ୍ଗ କମାଣ୍ଡର, ୨୦୦୭ରେ ଗ୍ରୁପ କ୍ୟାପଟେ ର୍ ୨୦୧୦ରେ ଏୟାର କମୋଡର ଏବଂ ୨୦୨୦ରେ ଏୟାର ମାର୍ଶାଲ ଭାବରେ ଦାୟିତ୍ବ ତୁଲାଇଛନ୍ତି ଦିଲ୍ଲୀପ ପଟ୍ଟନାୟକ । ପୂର୍ବାଞ୍ଚଳ ବାୟୁସେନା କମାଣ୍ଡର ଭାବେ ନିଯୁକ୍ତି ପାଇବା ପରେ ଏୟାର ମାର୍ଶାଲ ଦିଲୀପ କୁମାର ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.