ଇତିହାସ ରଚିଲେ ଏୟାର ଇଣ୍ଡିଆର ମହିଳା ପାଇଲଟ୍ ଟିମ୍, ଦୁନିଆର ସବୁଠାରୁ ଲମ୍ୱା ରୁଟ୍‌ରେ ଉଡ଼ାଇଲେ ବିମାନ

Published By : Prameya-News7 Bureau | January 12, 2021 IST

ନୂଆଦିଲ୍ଲୀ,୦୯/୦୧: ଇତିହାସ ରଚିଲେ ଏୟାର ଇଣ୍ଡିଆର ମହିଳା ପାଇଲଟ୍ ଟିମ୍। ଏହି ମହିଳା ପାଇଲଟ୍ ଟିମ୍ ଦୁନିଆର ସବୁଠୁ ଲମ୍ବା ବିମାନ ରୁଟ୍‌ରେ ବିମାନ ଉଡାଇ ଉତ୍ତର ମେରୁ ଉପରେ ବିଜୟ ବାନା ଉଡ଼ାଇଛନ୍ତି। ଏହି ରୁଟ୍ ହେଉଛି ଦୁନିଆର ସବୁଠାରୁ ବଡ଼ ବିମାନ ରୁଟ୍। ସାନ୍ ଫ୍ରାନସିସ୍କୋରୁ ଉଡ଼ାଣ ଭରି ବେଙ୍ଗାଲୁରୁର କେମ୍ପେଗୌଡ଼ା ଆନ୍ତର୍ଜାତିକ ବିମାନବନ୍ଦରରେ ବିମାନଟି ପହଞ୍ଚିଥିଲା । ଏହି ଯାତ୍ରାରେ ମହିଳା ପାଇଲଟ୍‌ ପାଖାପାଖି ୧୬ ହଜାର କିଲୋମିଟର ଅତିକ୍ରମ କରିଥିଲେ।

ଉତ୍ତର ମେରୁର ଏହି ରୁଟ୍‌ରେ ଉଡାଣ ଭରିବା ପାଇଲଟ୍‌ଙ୍କ ପାଇଁ ସର୍ବଦା ଆହ୍ଵାନପୂର୍ଣ୍ଣ ରହିଆସିଛି। ସେଥିପାଇଁ ଏୟାରଲାଇନ୍ କମ୍ପାନୀ ଗୁଡ଼ିକ ସେମାନଙ୍କର ସବୁଠାରୁ ଭଲ ଏବଂ ଅଭିଜ୍ଞତା ସମ୍ପନ୍ନ ପାଇଲଟ୍‌ଙ୍କୁ ଏହି ରୁଟ୍‌ରେ ଉଡ଼ାଣ ପାଇଁ ଅନୁମତି ଦେଇଥାନ୍ତି। କିନ୍ତୁ ବର୍ତ୍ତମାନ ଭାରତୀୟ ଏୟାର ଲାଇନ୍ସ କମ୍ପାନୀ ଏୟାର ଇଣ୍ଡିଆ ଏହି ରୁଟ୍‌ରେ ବିମାନ ଉଡ଼ାଣ କରି ଇତିହାସ ରଚିଛି । ସାନ୍ ଫ୍ରାନସିସ୍କୋରୁ ବେଙ୍ଗାଲୁରୁକୁ ଉଡ଼ାଣ ଭରିବା ପାଇଁ ଜଣେ ମହିଳା କ୍ୟାପଟେନଙ୍କୁ ଦାୟିତ୍ୱ ଦିଆଯାଇଥିବା ପୂର୍ବରୁ ଏୟାର ଇଣ୍ଡିଆର ଅଫିସିଆଲ୍ ପକ୍ଷରୁ କୁହାଯାଇଥିଲା।

ଏୟାର ଇଣ୍ଡିଆର କ୍ୟାପଟେନ ଜୋୟା ଅଗ୍ରୱାଲ୍ ଏହି ମିଶନ୍ର ନେତୃତ୍ୱ ନେଇଥିଲେ। ସେ ଏବଂ ତାଙ୍କର ଟିମ୍ ଜାନୁଆରୀ ୯ ତାରିଖରେ ଇତିହାସ ରଚିବା ପାଇଁ ଅପେକ୍ଷା କରିଛନ୍ତି ବୋଲି ଜୋୟା କହିଥିଲେ । ଦୀର୍ଘ ୧୭ ଘଣ୍ଟାର ଯାତ୍ରା କରି ସେମାନେ ଏହି ରୋକର୍ଡ କରିଥିବା କହିବା ସହିତ ଏହି ଯାତ୍ରା ତାଙ୍କ ଜୀବନର ଏକ ଉତ୍କଣ୍ଠାପୂର୍ଣ୍ଣ ଅନୁଭୂତି ବୋଲି ଜୋୟା କହିଛନ୍ତି।

ବିଶ୍ୱର ଅଧିକାଂଶ ଲୋକ ଏହି ରୁଟ୍‌କୁ ପ୍ରତ୍ୟକ୍ଷ ଭାବେ ଦେଖି ନାହାନ୍ତି କି ମାନଚିତ୍ରରେ ମଧ୍ୟ ଦେଖି ନାହାନ୍ତି । ତାଙ୍କ ଉପରେ ବିଶ୍ୱାସ କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଏୟାର ଇଣ୍ଡିଆ ତାଙ୍କୁ ଦାୟିତ୍ୱ ଦେଇଥିଲେ। ଏହା ତାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଯେ ସେ ବୋଇଙ୍ଗ୍ ୭୭୭କୁ ଦୁନିଆର ସବୁଠାରୁ ଲମ୍ୱା ରୁଟ୍‌ରେ ଉଡ଼ାଇବାର ନେତୃତ୍ୱ ନେବାର ସୁଯୋଗ ପାଇଥିଲେ । ଏନେଇ କ୍ୟାପ୍ଟେନ୍ ଜୋୟା ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ଏଜେନ୍ସିକୁ ପ୍ରତିକ୍ରିୟା ଦେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.