ରାତାରାତ ଏୟାର ଇଣ୍ଡିଆରୁ ୫୦ ପାଇଲଟ୍ ଛଟେଇ, ହସ୍ତକ୍ଷେପ ଲୋଡିଲେ ସଙ୍ଗଠନ

Published By : Prameya-News7 Bureau | August 15, 2020 IST

ନୂଆଦିଲ୍ଲୀ ୧୫।୮:  ଏୟାର ଇଣ୍ଡିଆ ରାତାରାତ ୫୦ ଜଣ ପାଇଲଟଙ୍କୁ ଚାକିରୀରୁ ବରଖାସ୍ତ କରିଦେଇଛନ୍ତି। ପାଇଲଟଙ୍କ ସଙ୍ଗଠନ ମାମଲାରେ ଏୟାରଲାଇନ୍ସ ଚେୟାରମ୍ୟାନଙ୍କୁ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ଦେଶରେ କରୋନା କାଳରେ କର୍ମଚାରୀଙ୍କ ପ୍ରତି ଏହା ସବୁଠାରୁ ନିର୍ଦ୍ଦୟ ବ୍ୟବହାର ବୋଲି କହିଛନ୍ତି ସଙ୍ଗଠନ ।  

ଇଣ୍ଡିଆନ କମର୍ସିଆଲ ପାଇଲଟ ଆସୋସିଏସନ (ଆଇସିପିଏ) ଏୟାର ଇଣ୍ଡିଆ ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ରାଜୀବ ବଂସଲଙ୍କୁ ଏ ନେଇ ପତ୍ର ଲେଖିଛନ୍ତି। ଏଥିରେ ଏୟାରଲାଇନ୍ସ କାର୍ମିକ ବିଭାଗ ପକ୍ଷରୁ ୫୦ଜଣ ପାଇଲଟଙ୍କୁ ଛଟେଇ ନିର୍ଦ୍ଦେଶ ଧରାଇଛନ୍ତି, ଯାହା କମ୍ପାନୀ ପରିଚାଳନା ଓ ସେବା ନିୟମର ଘୋର ଉଲ୍ଲଂଘନ ବୋଲି ସୂଚିତ କରିଛନ୍ତି। ପାଇଲଟଙ୍କୁ ବିନା କୌଣସି ପ୍ରକ୍ରିୟାରେ ଚାକିରୀରୁ ବାହାର କରିଦିଆଯାଇଛି।

ମହାମାରୀ ସମୟରେ ଯେଉଁମାନେ ଦେଶକୁ ସବୁଠୁ ଆଗରେ ରଖିଥିଲେ ସେମାନଙ୍କ ପ୍ରତି ଏହା ଘୋର ଅନ୍ୟାୟ ବୋଲି ସଂଘ ଟ୍ୱିଟ୍‌ ହ୍ୟାଣ୍ଡଲରେ ଉଲ୍ଲେଖ କରିଛନ୍ତି। ଏଥିରେ ଏୟାରଲାଇନ୍ସ ଦକ୍ଷିଣ ଭାରତର ୧୮ ଜଣ ପାଇଲଟଙ୍କୁ କାର୍ଯ୍ୟରୁ ଅନ୍ତର କରିଛନ୍ତି। ଏମାନେ କଣ୍ଟ୍ରାକ୍ଟରେ ନିଯୁକ୍ତ ଥିଲେ ହେଲେ ପରେ ସେମାନଙ୍କ ସହ ଚୁକ୍ତି ନବୀକରଣ କରୁନାହାନ୍ତି। ସେହିପରି ଯେଉଁ ପାଇଲଟମାନେ ଗତ ନଭେମ୍ବର ମାସରେ ଚାକିରୀରୁ ଇସ୍ତଫା ଦେଇଥିଲେ ଓ ନିର୍ଦ୍ଧାରିତ ୬ ମାସ ସମୟ ସୀମା ପୂର୍ବରୁ ଇସ୍ତଫାପତ୍ର ପ୍ରତ୍ୟାହାର କରିଥିଲେ ଆଶ୍ଚର୍ଯ୍ୟଜନକ ଭାବେ ସେମାନଙ୍କ ଇସ୍ତଫା ଗ୍ରହଣ କରିନିଆଯାଇଛି।

ଏହି ପାଇଲଟଙ୍କୁ ଅଚାନକ ଗୁରୁବାର ରାତି ୧୦ଟା ବେଳେ ଚାକିରୀରୁ ବାହାର କରିଦିଆଯାଇଛି। ଏହି ପାଇଲଟଙ୍କୁ ଅଗଷ୍ଟ ୧୩ ତାରିଖରେ ଅଫିସ ବନ୍ଦ ହେବା ପରେ ଚାକିରୀରୁ ବରଖାସ୍ତ କରାଯାଇଛି। ଏମାନଙ୍କ ମଧ୍ୟରୁ ଜଣେ ପାଇଲ ଅଗଷ୍ଟ ୧୪ ତାରିଖ ଦିନ ବିମାନ ଉଡାଣରେ ଥିବା ବେଳେ ତାଙ୍କର ଚାକିରୀ ନଥିବା  ଜାଣିବାକୁ ପାଇଥିଲେ।  ଫଳରେ ବିମାନ ସମେତ ଯାତ୍ରୀଙ୍କ ଲାଗି ମଝି ଆକାଶରେ ବିପଦ ଉପୁଜିଥିଲା। ଜଣେ ଉଡାଣରେ ଥିବା ପାଇଲଟଙ୍କୁ ଚାକିରୀରୁ ଛଟେଇ ଖବର ମିଳିଲେ ତାଙ୍କ ମନଦଶା କଣ ହେବ ବୋଲି ସଙ୍ଗଠନ ପ୍ରଶ୍ନ କରିଛନ୍ତି।  

ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏୟାର ଇଣ୍ଡିଆରୁ ଜଣେ ବି କର୍ମଚାରୀଙ୍କୁ ଚାକିରୀରୁ ବାହାର କରାଯିବନି ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ଏବେ ଏଭଳି ଛଟେଇ କର୍ମଚାରୀଙ୍କୁ ଆତଙ୍କିତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.