ପାଇଲଟ୍ କରୋନା ସଂକ୍ରମିତ ଜଣାପଡିଲା ପରେ ରନଓ୍ୱେକୁ ଫେରିବା ଲାଗି ଦିଲ୍ଲୀ-ମସ୍କୋ ଏୟାର ଇଣ୍ଡିଆ ବିମାନକୁ ନିର୍ଦ୍ଦେଶ

Published By : Prameya-News7 Bureau | May 30, 2020 IST

ନୂଆଦିଲ୍ଲୀ, ୩୦|୦୫: ଶନିବାର ସକାଳେ ନୂଆଦିଲ୍ଲୀରୁ ମସ୍କୋ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଫେରିଆସିଛି । ବିମାନର ଜଣେ ପାଇଲଟ୍ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିମାନଟିକୁ ଫେରାଇ ଆଣିବା ପାଇଁ କର୍ତୃପକ୍ଷ ଏହି ନିଷ୍ପତ୍ତି ନେଇଥିଲେ।  ଉଜବେକିସ୍ତାନରୁ ଏହି ବିମାନକୁ ଫେରାଇ ଅଣାଯାଇଛି ।

ଉଡାଣ ପୂର୍ବରୁ ବିମାନର ସମସ୍ତ କର୍ମଚାରୀଙ୍କ ଟେଷ୍ଟ୍ କରାଯାଇଥିଲା । ତେବେ ଜଣେ ପାଇଲଟଙ୍କ ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଥିଲା ବେଳେ ଭୁଲବଶତଃ ଏହାକୁ ନେଗେଟିଭ୍ ବୋଲି କୁହାଯାଇଥିଲା । ପରେ ସତ ଜଣାପଡିବା ପରେ ତୁରନ୍ତ ବିମାନଟିକୁ ଫେରାଇ ନିଆଯାଇଛି ।

ଏୟାର ଇଣ୍ଡିଆର ଏହି ବିମାନ ଏ-୩୨୦ ନିଓ ଶନିବାର ଦିନ ୧୨ଟା ୩୦ରେ ଦିଲ୍ଲୀକୁ ଫେରିଆସିଥିଲା । ଏବେ ବିମାନର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ପଠାଯାଇଛି । ଏହା ବଦଳରେ ଏୟାର ଇଣ୍ଡିଆ ଆଉ ଏକ ବିମାନକୁ ମସ୍କୋ ଅଭିମୁଖେ ପଠାଇଛି ।

ଶନିବାର ସକାଳେ ବିନା କୌଣସି ଯାତ୍ରୀରେ ବିମାନଟି ନୂଆଦିଲ୍ଲୀରୁ ମସ୍କୋ ଅଭିମୁଖେ ଉଡାଣ ଭରିଥିଲା । ତେବେ ଉଡାଣ ବେଳେ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପୁନଃଯାଞ୍ଚ କରାଯାଇଥିଲା । ଏହି ସମୟରେ ଜଣେ ପାଇଲଟଙ୍କ ରିପୋର୍ଟ ପଜିଟିଭ୍ ବୋଲି ଜଣାପଡିଥିଲା । ଏହାପରେ ତୁରନ୍ତ ବିମାନଟିକୁ ଫେରାଇ ନିଆଯାଇଥିଲା ।

କରୋନା ଆତଙ୍କକୁ ନଜରରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିଦିନ ୩୦୦ରୁ ଅଧିକ ବିମାନ କର୍ମଚାରୀଙ୍କ କରୋନା ଟେଷ୍ଟ୍ କରାଯାଉଛି । ଯେଉଁ କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ୍ ଆସୁଛି କେବଳ ସେମାନଙ୍କୁ ହିଁ ବିମାନରେ କାର୍ଯ୍ୟ କରିବାକୁ ଅନୁମତି ମିଳୁଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.