ଏୟାର ଇଣ୍ଡିଆର ମ୍ୟାନେଜର ୩ମାସ ହେବ ନିଖୋଜ ; ଲକ୍ଷେ ଟଙ୍କାର ପୁରସ୍କାର ଘୋଷଣା କଲେ ପରିବାରଲୋକ

Published By : Prameya-News7 Bureau | January 16, 2019 IST

ଦିଲ୍ଲୀ ୧୬|୧: ଦିଲ୍ଲୀରୁ ନିଖୋଜ ହୋଇଥିବା ଏୟାର ଇଣ୍ଡିଆର ଜଣେ ମହିଳା ମ୍ୟାନେଜରଙ୍କର ତିନି ମାସ ହେବ କୌଣସି ଖୋଜ ଖବର ମିଳୁନାହିଁ । ନିଖୋଜ ମହିଳାଙ୍କ ନାମ ସୁଲକ୍ଷଣା ନରୁଲା । ମହିଳାଙ୍କ ବିଷୟରେ ସୂଚନା ଦେଲେ ତାଙ୍କୁ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ଦେବାକୁ ପରିବାରଲୋକ ଘୋଷଣା କରିଛନ୍ତି । ମହିଳାଙ୍କ ନିଖୋଜ ନେଇ ଦିଲ୍ଲୀ ଚାଣକ୍ୟପୁରୀ ଥାନାରେ ମାମଲା ମଧ୍ୟ ଦାୟର ହୋଇଛି ।

ମହିଳାଙ୍କ ପୁଅ ଦେଇଥିବା ସୂଚନା ଅନୁସାରେ ପ୍ରାୟ ଶହେ ଦିନ ହେବ ପଣ୍ଡାରା ରୋଡ୍ ସ୍ଥିତ ତାଙ୍କ ଘରୁ ମହିଳା ଜଣଙ୍କ କେଉଁଆଡେ ଚାଲିଯାଇଛନ୍ତି । ରିପୋର୍ଟ ଅନୁସାରେ ୩୦ ସେପ୍ଟେମ୍ବରରେ ସଂପୃକ୍ତ ମହିଳା ତାଙ୍କ ପୁଅଙ୍କୁ କହିକି ଯାଇଥିଲେ ଯେ, ସେ ବାହାରେ ଟିକେ ଚାଲିବା ପାଇଁ ଯାଉଛନ୍ତି । ମାତ୍ର ୫ମିନିଟ୍ ପରେ ପୁଅ ମାଆଙ୍କୁ ଦେଖିବାକୁ ଗଲେ ତ ବାହାରେ ମାଙ୍କୁ ପାଇନଥିଲେ । ଏହା ପରଠାରୁ ସେ ଘରକୁ ଆଉ ଫେରିନାହାନ୍ତି । ଶେଷଥର ପାଇଁ ମହିଳାଙ୍କ ଫଟୋ ପଣ୍ଡାରା ରୋଡ୍ ସ୍ଥିତ ଏକ ସ୍କୁଲର ସିସିଟିଭି କ୍ୟାମେରାରେ ଦେଖିବାକୁ ମିଳିଥିଲା ।

ଏବେ ମହିଳାଙ୍କ ପରିବାର ପକ୍ଷରୁ ତାଙ୍କ ବିଷୟରେ ସୂଚନା ଦେବା ଲୋକଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି । ଚାଣକ୍ୟପୁରୀ ପୋଲିସ ନିଖୋଜ ମାମଲା ଦାୟର କରି ଖୋଜାଖୋଜି ଚଳାଇଛନ୍ତି । ମାତ୍ର ଘଟଣାକୁ ୩ମାସରୁ ଅଧିକ ହେବ ହୋଇଯାଇଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିବାକୁ ପରିବାରଲୋକ ଚିନ୍ତାରେ ରହିଛନ୍ତି ।

ଦିଲ୍ଲୀ ପୋଲିସର ଏଭଳି ଦାୟିତ୍ବହୀନତା କାର୍ଯ୍ୟକଳାପ ପାଇଁ ସହରରେ ଅସନ୍ତୋଷ ଦେଖାଦେଉଛି । ଏହା ପୂର୍ବରୁ ରାଜଧାନୀ ଦିଲ୍ଲୀରେ ଜଣେ ବ୍ୟକ୍ତି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ତାଙ୍କ ଭଉଣୀଙ୍କ ସମ୍ବନ୍ଧରେ ସୂଚନା ପାଇବା ପାଇଁ ଦିଲ୍ଲୀର ଗଳିକନ୍ଦିରେ ତାଙ୍କର ପୋଷ୍ଟର ଲଗାଇଛନ୍ତି । ତାଙ୍କ ଭଉଣୀଙ୍କର କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ତାହା ଜାଣିବା ପାଇଁ ସେ ଏଭଳି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.