ଅଢେଇ ଲକ୍ଷ ଟଙ୍କାର ଟିକେଟ୍‌ରେ ଏୟାର ଇଣ୍ଡିଆ ବିମାନରେ ନା ମିଳିଲା ଭୋଜନା ନା ପାଣି, କ୍ଷତିପୂରଣ ବାବଦରେ ଏତେ ଟଙ୍କା ଦାବି କଲେ ବୃଦ୍ଧ ଦମ୍ପତ୍ତି

Published By : Prameya-News7 Bureau | April 19, 2021 IST

ନୂଆଦିଲ୍ଲୀ ୧୯।୦୪: ଏକ ବୃଦ୍ଧ ଦମ୍ପତ୍ତି ଜାତୀୟ ଏୟାରଲାଇନ୍‌ ଏୟାର ଇଣ୍ଡିଆରେ ଦୂର ଯାତ୍ରା ସମୟରେ ଖାଇବା-ପିଇବା ଏବଂ ଔଷଧ ସୁବିଧାର ଅଭାବକୁ ନେଇ ହାଇକୋର୍ଟରେ ପିଟିସନ ଦାୟର କରିଛନ୍ତି। ଦମ୍ପତ୍ତି ଅଭିଯୋଗ କରିଛନ୍ତି ଯେ, ୧୬ ଘଣ୍ଟାର ଉଡାଣ ସମୟରେ ନା ଆମକୁ ଖାଇବାକୁ ଠିକ୍‌ରେ ମିଳିଲା ନା ଔଷଧ ମିଳିଲା। ଏଥିପାଇଁ ଦମ୍ପତ୍ତି କ୍ଷତିପୂରଣ ବାବଦରେ ଏୟାରଲାଇନ୍‌ଠୁ ୫ ଲକ୍ଷ ଟଙ୍କା ଦାବି କରିଛନ୍ତି।

ଦମ୍ପତ୍ତିଙ୍କ ଯାଚିକାକୁ ଗମ୍ଭୀରତାର ସହ ନେଇ ବିଚାରପତି ପ୍ରତିଭା ଏମ ସିଂହ କହିଛନ୍ତି, ଏହା ଗୁରୁତର ପ୍ରସଙ୍ଗ। ଆବେଦନରେ ଦୁଇ ବରିଷ୍ଠ ନାଗରିକ ତାଙ୍କ ଟିକେଟ୍‌ ଭଡା ଫେରାଇ ଦେବାକୁ ଏୟାରଲାଇନ୍‌କୁ ନିର୍ଦ୍ଦେଶ ଦେବାକୁ ଅପିଲ୍ କରିଛନ୍ତି। ଉଚ୍ଚ ନ୍ୟାୟାଳୟ ଆବେଦନ ଉପରେ ବିମାନ ଚଳାଚଳ ମନ୍ତ୍ରଣାଳୟ, ବେସାମରିକ ବିମାନ ଚଳାଚଳ ମହା ନିର୍ଦ୍ଦେଶାଳୟ, ଏୟାର ଇଣ୍ଡିଆ ଓ ଭାରତୀୟ ବିମାନ ପ୍ରାଧୀକରଣ(ଏଏଆଇ) ଓ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦର ପରିଚାଳକ ଜିଏମଆର ଏରୋସିଟିକୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। ଏହି ମାମଲା ୨୦୨୦ ନଭେମ୍ବର ୧୧ର। ଦମ୍ପତ୍ତି ଦିଲ୍ଲୀରୁ ସାନଫ୍ରାନସିସକୋ ଉଡାଣ ଭରିଥିଲେ।

ଆବେଦନରେ ଉଲ୍ଲେଖ ରହିଛି ଯେ, ଏୟାରଲାଇନ୍‌ ପାଖରେ ଯଦି ପର୍ଯ୍ୟାପ୍ତ ମାତ୍ରାରେ ଭୋଜନ, ପାଣି ଏବଂ ମୌଳିକ ସୁବିଧାର ଅଭାବ ରହିଛି, ତେବେ ଏତେ ଲମ୍ବା ଯାତ୍ରା ପାଇଁ ଏକ ସଙ୍ଗେ ୪୦୦ ଯାତ୍ରୀଙ୍କୁ ନେଇ ଯାତ୍ରା କରିବା ଉଚିତ୍ ନୁହେଁ। ଦମ୍ପତ୍ତି ଏହି ଯାତ୍ରା ପାଇଁ ୨ ଲକ୍ଷ ୨୫ ହଜାର ଟଙ୍କା ଟିକେଟ୍ କାଟିଥିଲେ। ତେଣୁ ଆମକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଦମ୍ପତ୍ତି ନ୍ୟାୟାଳୟରେ ଅପିଲ୍ କରିଛନ୍ତି। ଆବେଦନରେ ଏହା ମଧ୍ୟ କୁହାଯାଇଛି ଯେ, ଉଡାଣ ସମୟରେ ଅଭିଯୋଗ ପ୍ରକୋଷ୍ଠର ପ୍ରଣାଳୀ ଉଚିତ୍ ନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.