କରୋନା ଭୟ, ୩୦ ଜୁନ୍ ଯାଏଁ ଚୀନ୍କୁ ଉଡିବନି ଏୟାର ଇଣ୍ଡିଆ ବିମାନ
21/02/2020 at 2:50 PM

ନୂଆଦିଲ୍ଲୀ ୨୧।୨: ଆନ୍ତର୍ଜାତୀୟ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଗୁରୁବାର ଦିନ ଘୋଷଣା କରିଛି ଯେ, ଚୀନ୍ ସମେତ ଅନ୍ୟ ପଡୋଶୀ ଦେଶକୁ ବିମାନ ଉଡାଣ ରଦ୍ଦ ଅବଧିକୁ ୩୦ ଜୁନ୍ ପର୍ଯ୍ୟନ୍ତ ବଢାଇଛି । ଗତ ମାସରେ ଏୟାର ଇଣ୍ଡିଆ ଚୀନ୍ ସମେତ ଅନ୍ୟ ପଡୋଶୀ ଦେଶଗୁଡିକୁ ବିମାନ ସେବା ଜାନୁଆରୀ ୩୧ ତାରିଖରୁ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ରଦ୍ଦ କରିଥିଲା । ମାତ୍ର ୧୫ ତାରିଖରେ ରଦ୍ଦ କରାଯାଇଥିବା ବିମାନ ସେବା ପୁର୍ନବାର ଆରମ୍ଭ ହୋଇନଥିଲା । ଫଳରେ ସେବା ରଦ୍ଦ କରାଯିବାର ସମୟସୀମା ବୃଦ୍ଧି କରାଯିବ ବୋଲି ଆଶଙ୍କା କରାଯାଉଥିଲା ।
ଏୟାର ଇଣ୍ଡିଆ ଦିଲ୍ଲୀରୁ ହଂକଂକୁ ତାର ବିମାନ ସେବା ରଦ୍ଦ କରିଛି । ଅନ୍ତର୍ଜାତୀୟ ବିମାନ କମ୍ପାନୀର ପ୍ରବକ୍ତା କହିଛନ୍ତି ଯେ, ଦିଲ୍ଲୀରୁ ସଂଘାଇ ଏବଂ ଦିଲ୍ଲୀରୁ ହଂକଂ ମଧ୍ୟରେ ଯାତାୟତ କରୁଥିବା ବିମାନ ୩୦ଜୁନ୍ ପର୍ଯ୍ୟନ୍ତ ରଦ୍ଦ କରାଯାଉଛି । ନିକଟରେ ଇଣ୍ଡିଗୋ ଏବଂ ସ୍ପାଇସ୍ ଜେଟ୍ ମଧ୍ୟ ଭାରତ ଏବଂ ଚୀନ୍ ମଧ୍ୟରେ ଯାତାୟତ କରୁଥିବା ବିମାନ ସେବା ବନ୍ଦ କରିଛି । ଚୀନ୍ ପ୍ରଶାସନ ଦେଶ ଛାଡିବାହାରକୁ ଯାତାୟତ ପାଇଁ ଚୀନ୍ ନାଗରିକଙ୍କ ପାଇଁ କଟକଣା ଜାରି କରିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଅନ୍ୟପଟେ ଜାପାନ ଉପକୂଳରେ ରହିଥିବା ଜାହାଜ ଡାଇମଣ୍ଡ ପ୍ରିନ୍ସସେସରେ ଆହୁରି ୧୩ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଫଳରେ ଜାହାଜରେ ମୋଟ୍ ୬୩୪ଜଣ କରୋନା ଭାଇରସ୍ ରେ ଆକ୍ରାନ୍ତ ହୋଇଛନ୍ତି । ସାରା ବିଶ୍ବରେ ଏପର୍ଯ୍ୟନ୍ତ ୭୫୦୦୦ରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି ।
ହୁଓ୍ବାଇରେ କରୋନା ଭାଇରସ୍ ରେ ଆହୁରି ୩୪୯ଜଣ ସଂକ୍ରମିତ ହୋଇଛନ୍ତି । ୨୫ଜାନୁଆରୀ ପରଠାରୁ ଏହା ସବୁଠୁ କମ୍ ରହିଛି । ଗୁରୁବାର ଦିନ ୧୦୮ ଲୋକଙ୍କ ମୃତ୍ୟୁ ହେବା ସହ ମୃତ୍ୟୁ ସଂଖ୍ୟା ୨୧୦୦ରେ ପହଞ୍ଚିଛି ।