ଆହୁରି ମଜବୁତ ହେବ ବାୟୁସେନା: ସାମିଲ ହେବ ୮୩ ତେଜସ୍ ବିମାନ, ସରକାର ଦେଲେ ମଞ୍ଜୁରୀ

Published By : Prameya-News7 Bureau | January 13, 2021 IST

ନୂଆଦିଲ୍ଲୀ, ୧୩/୦୧: ଆହୁରି ମଜବୁତ ହେବ ଭାରତୀୟ ବାୟୁସେନା। ଖୁବ୍‌ଶୀଘ୍ର ବାୟୁସେନାରେ ସାମିଲ ହେବାକୁ ଯାଉଛି ୮୩ଟି ଲଢ଼ୁଆ ତେଜସ୍ ବିମାନ। ଏ ସଂକ୍ରାନ୍ତରେ କ୍ୟାବିନେଟ୍ କମିଟି ବୈଠକରେ ୪୮ ହଜାର କୋଟି ଟଙ୍କାର ଡିଲ୍‌କକୁ ମଞ୍ଜୁରୀ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୁଧବାର ଏହି ବୈଠକ ବସିଥିଲା। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗଦେଇ କହିଛନ୍ତି ଯେ, ବାୟୁସେନାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ଏହି ଡିଲ୍ ପ୍ରତିରକ୍ଷା କ୍ଷେତ୍ରରେ ଗେମ୍ ଚେଞ୍ଜର୍ ହେବ ବୋଲି ସେ କହିଛନ୍ତି ।

ସୂଚନା ଥାଉକି, ତେଜସ୍ ଆକାଶପଥରେ ମିସାଇଲ୍ ମାଡ଼ କରିବା ସହିତ ଭୂପୃଷ୍ଠରେ ମଧ୍ୟ ସଠିକ୍ ଭାବେ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି । ଏଥିରେ ଆଣ୍ଟିସେପ୍ଟି ମିସାଇଲ୍, ବୋମା ଏବଂ ରକେଟ୍ ଖଞ୍ଚା ଯାଇପାରିବ । ତେଜସ୍‌କୁ ୪୨ ପ୍ରତିଶତ କାର୍ବନ ଫାଇବର୍, ୪୩ ପ୍ରତିଶତ ଆଲିମିନିୟମ୍ ଓ ଟଇଟାନିୟମ୍‌ରେ ପ୍ରସ୍ତୁତ କରାଯାଇଛି । ଏହା ହେଉଛି ସ୍ୱଦେଶୀ ଜ୍ଞାନକୌଶଳର ପ୍ରୟୋଗରେ ନିର୍ମିତ ବିମାନ । ଚତୁର୍ଥ ପିଢ଼ିର ସମସ୍ତ ସୁପରସୋନିକ୍ ବିମାନ ମଧ୍ୟରେ ତେଜସ୍ ହେଉଛି ସବୁଠାରୁ ହାଲୁକା ଏବଂ ସବୁଠାରୁ ଛୋଟ ବିମାନ । ଏହି ହାଲୁକା ବିମାନକୁ ଭାରତୀୟ ବାୟୁସେନା ଦ୍ୱାରା ପଶ୍ଚିମ ଅଞ୍ଚଳର ପାକିସ୍ଥାନ ସୀମା ପାଖାପାଖି ମୁତୟନ କରାଯାଇଛି।

ତେବେ ଏହି ଡିଲ୍‌କୁ ନେଇ ପୂର୍ବରୁ ହିନ୍ଦୁସ୍ଥାନ ଏରୋନୋଟିକ୍ସ ନାସିକ୍ ଓ ବୋଙ୍ଗାଲୁରୁରେ ଅନ୍ୟ ଦୁଇଟି ନିର୍ମାଣ ସ୍ଥଳ ସ୍ଥାପନ କରିଛି । ହିନ୍ଦୁସ୍ଥାନ ଏରୋନୋଟିକ୍ସ ଏଲ୍ସିଏ-ଏମକେ ୧ ଏ ର ନିର୍ମାଣ କରି ବାୟୁସେନାକୁ ଦେବ । ଆଜି ନିଆଯାଇଥିବା ନିଷ୍ପତ୍ତି ପ୍ରତିରକ୍ଷା ସହିତ ନୂଆ ଚାକିରି ସୃଷ୍ଟି କ୍ଷେତ୍ରରେ ମଧ୍ୟ ସହାୟକ ହେବ ବୋଲି ରାଜନାଥ ସିଂ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.