ନିଖୋଜ ଏଏନ୍-୩୨ ବିମାନ ସଂପର୍କରେ ସୂଚନା ଦେଲେ ମିଳିବ ୫ଲକ୍ଷ ଟଙ୍କା
9/06/2019 at 11:10 AM

ନୂଆଦିଲ୍ଲୀ ୯|୬: ଅରୁଣାଚଳ ପ୍ରଦେଶରେ ନିଖୋଜ ହୋଇଥିବା ଆଣ୍ଟୋନୋଭ୍ ଏଏନ୍-୩୨ ବିମାନ ସଂପର୍କରେ ଯେଉଁ ବ୍ୟକ୍ତି ସୂଚନା ଦେଇ ପାରିବେ ତାଙ୍କ ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି ଭାରତୀୟ ବାୟୁସେନା । ନିଖୋଜ ବିମାନର ପତ୍ତା ପାଇବା ପାଇଁ ଭାରତୀୟ ବାୟୁସେନା ଜୋରଦାର ତଲାସ ଅଭିଯାନ ଆରମ୍ଭ କରିଛି। ପ୍ରାୟ ୬ ଦିନ ହେବ ଏନ୍-୩୨ ବିମାନ ନିଖୋଜ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାର କୌଣସି ସନ୍ଧାନ ମିଳିପାରିନାହିଁ ।
ପ୍ରତିରକ୍ଷା ଲୋକସମ୍ପର୍କ ଅଧିକାରୀ ଉଇଙ୍ଗ୍ କମାଣ୍ଡର୍ ରତ୍ନାକର ସିଂହ ଶନିବାର ଦିନ ନିଶ୍ଚିତ କରିଛନ୍ତି ଯେ, ନିଖୋଜ ଏଏନ୍-୩୨ ବିମାନର ପତ୍ତା ପାଇବାରେ ସହାୟକ ହେବା ଭଳି ସୂଚନା ଯୋଗାଣକାରୀ ବ୍ୟକ୍ତିବିଶେଷ ବା ବ୍ୟକ୍ତିମାନଙ୍କୁ ନଗଦ ୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଇଷ୍ଟର୍ଣ୍ଣ ଏୟାର୍ କମାଣ୍ଡର ଏଓସି ଇନଚାର୍ଜ ଏୟାର୍ ମାର୍ସାଲ୍ ଆରଡି ମାଥୁର ଘୋଷଣା କରିଛନ୍ତି।
ପୁରସ୍କାର ରାଶି ଘୋଷଣା କରିବା ସହ ଏୟାର୍ ମାର୍ସଲ୍ ଆରଡି ମାଥୁର ନିଖୋଜ ବିମାନ ସଂକ୍ରାନ୍ତରେ ସୂଚନା ଦେବା ନିମନ୍ତେ କେତୋଟି ଫୋନ୍ ନମ୍ବର ମଧ୍ୟ ଦେଇଛନ୍ତି। ସେସବୁ ହେଲା- ୦୩୭୮-୩୨୨୨୧୬୪, ୦୩୭୮-୩୨୨୨୧୬୪, ୯୪୩୪୯୯୪୭୭, ୯୪୦୨୦୭୭୨୬୭ ଏବଂ ୯୪୦୨୧୩୨୪୭୭ ।