Lockdown ପରେ ୨୪ଟି ବିମାନ ଦ୍ୱାରା ଯାତ୍ରୀ ସେବା ଆରମ୍ଭ କରିପାରନ୍ତି Air Asia
22/04/2020 at 7:36 PM

ବେଙ୍ଗାଲୁରୁ: କରୋନା ଭାଇରସ୍ ଲକଡାଉନ୍ ହଟିବା ପରେ ବିମାନ କମ୍ପାନୀ ଏୟାର ଏସିଆର ୨୪ ଟି ବିମାନ ଦ୍ୱାରା ଯାତ୍ରୀ ସେବା ଆରମ୍ଭ କରିପାରନ୍ତି। ଟାଟା ସନ୍ସ ଓ ମାଲେସିଆର ଏୟାର ଏସିଆ ବରହାଡଙ୍କ ଏହି ସଂଯୁକ୍ତ କମ୍ପାନୀର ମୋଟ ୨୯ଟି ବୋଇଂ ଏ-୩୨୦ ବିମାନ ଅଛି। ତେବେ ଆର୍ଥିକ ଦୁଃସ୍ଥିତି ଓ ଅନ୍ୟ କାରଣ ଲାଗି ପ୍ରାରମ୍ଭିକ ପର୍ଯ୍ୟାୟରେ ୨୪ଟି ବିମାନକୁ ଯାତ୍ରୀ ସେବାରେ ନିୟୋଜିତ କରାଯିବ ବୋଲି ଜଣାପଡିଛି।

ଦେଶରେ ନୋଭେଲ କରୋନା ଭାଇରସ ସଂକ୍ରମଣ ଯୋଗୁ ମାର୍ଚ୍ଚ ୨୫ ତାରିଖରେ ପ୍ରଥମେ ସଟଡାଉନ୍ ଲାଗୁ ହୋଇଥିଲା। ୨୧ ଦିନିଆ ସଟଡାଉନ୍ ଗତ ଏପ୍ରିଲ ୧୪ ତାରିଖରେ ଉଠିବା ପୂର୍ବରୁ ସରକାର ମେ ୩ ପର୍ଯ୍ୟନ୍ତ ଦ୍ୱିତୀୟ ଲକଡାଉନ୍ ଜାରି କରିଛନ୍ତି। ଫଳରେ ପ୍ରଥମ ସଟଡାଉନରୁ ଦେଶରେ ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ଉଡାଣ ବାତିଲ ହୋଇଯାଇଛି।

ତେବେ ଦ୍ୱିତୀୟ ଲକଡାଉନ୍ ଘୋଷଣା ପରେ କେତେକ ଭାରତୀୟ ବିମାନ କମ୍ପାନୀ ମେ ୪ରୁ ଦେଶରେ ପର୍ଯ୍ୟାୟକ୍ରମେ ବିମାନ ସେବା ଆରମ୍ଭ କରିବେ ବୋଲି ଘୋଷଣା କରିବା ସହ ଟିକେଟ୍ ବୁକିଂ ଆରମ୍ଭ କରିଥିଲେ। ହେଲେ ଏପରି ନ କରିବା ଲାଗି ସରକାର କମ୍ପାନୀମାନଙ୍କୁ ତାଗିଦ କରିବା ସହ ଏ ନେଇ ପରବର୍ତ୍ତି ଆଦେଶକୁ ଅପେକ୍ଷା କରିବାକୁ କହିଛନ୍ତି। ତେବେ ଉପୁଜିଥିବା ପରିସ୍ଥିତିରେ ଏତେ ଶୀଘ୍ର ଯାତ୍ରା ଚାହିଦା ଫେରିବ ନାହିଁ ବୋଲି କହିଛନ୍ତି ଏୟାର ଏସିଆ କର୍ତ୍ତୃପକ୍ଷ।

ଲକଡାଉନ୍ ହଟିବାମାତ୍ରେ ଦେଶର ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଲୋକେ ସେମାନଙ୍କ ଗନ୍ତବ୍ୟରେ ଯିବା ଲାଗି ବିମାନବନ୍ଦର ପହଞ୍ଚିବେ ଓ ସେମାନଙ୍କ ପରିବହନ ଲାଗି କର୍ତ୍ତୃପକ୍ଷ ବିମାନ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେବେ ତାହା ଏତେ ସହଜ ନୁହେଁ। ହେଲେ ଦେଶରେ ବିମାନ ସେବା ଧିରେ ଧିରେ ସ୍ୱଭାବିକ୍ ହେବା ସହ ଲୋକେ ମଧ୍ୟ ପୂର୍ବ ଭଳି ସେମାନଙ୍କ ଗନ୍ତବ୍ୟରେ ଯିବା ଆସିବା କରିବେ। ହେଲେ ଏଥିଲାଗି ସମୟ ଲାଗିବ। ତେବେ ଏୟାର ଏସିଆ ତାର ସମସ୍ତ ବିମାନକୁ ଯାତ୍ରୀ ପରିବହନରେ ଉପଯୋଗ କରିବା ଲାଗି ଏବେ ସେପରି ଆର୍ଥିକ କ୍ଷମତାରେ ନଥିବା କହିଛନ୍ତି। ଏଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୪ଟି ବିମାନ ସହ ସ୍ୱଳ୍ପ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଥରେ ଏୟାର ଟ୍ରାଫିକ ସ୍ୱଭାବିକ୍ ହେଲେ ସେବା ସମ୍ପ୍ରସାରଣ କରାଯିବା ସହ ସମସ୍ତ ବିମାନଙ୍କୁ ନିୟୋଜିତ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।