ନୂଆଦିଲ୍ଲୀ ୧୯/୭: କରୋନା ଭୂତାଣୁର ତୃତୀୟ ଲହର ଆଶଙ୍କା ମଧ୍ୟରେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଲୋକମାନଙ୍କୁ ଲଗାତାର ସଚେତନ କରାଉଛନ୍ତି । ଦିଲ୍ଲୀ ଏମ୍ସର ମେଡିସିନ୍ ବିଭାଗର ପ୍ରଫେସର ଡାକ୍ତର ନୀରଜ ନିଶ୍ଚଳ କହିଛନ୍ତି, ଆଗାମୀ ୧-୨ ବର୍ଷ ଲୋକମାନଙ୍କୁ ସାବଧାନତା ଅବଲମ୍ବନ କରିବା ଉଚିତ। ବିଶେଷ କରି ପୂଜା ପାର୍ବଣ ସମୟରେ ଅଧିକ ସାବଧାନ ହେବାକୁ ସେ ନିବେଦନ କରିଛନ୍ତି।
ଏହା ସହ ସେ କହିଛନ୍ତି, ଏବେ ବି ଦ୍ବିତୀୟ ଲହର ପ୍ରକୋପ ବାକି ଅଛି। ତେଣୁ ବିଶେଷ ଭାବେ ସାବଧାନ ରହି ଏହି ମହାମାରୀ ବିରୋଧୀ ଲଢ଼େଇ ଜାରି ରଖିହେବ । ଡାକ୍ତର ନିଶ୍ଚଳ ଆହୁରି କହିଛନ୍ତି, ‘ପାର୍ବଣର ଅର୍ଥ ଖୁସୀ ବାଣ୍ଟିବା , କୋଭିଡ୍ ନୁହେଁ। ଆଗାମୀ ୧-୨ ବର୍ଷ, ଯେପର୍ଯ୍ୟନ୍ତ ମହାମାରୀ ନିୟନ୍ତ୍ରଣରେ ଆସି ନାହିଁ ସେପର୍ଯ୍ୟନ୍ତ ମହାମାରୀକୁ ପୁଣି ଥରେ ବ୍ୟାପିବାକୁ ନଦେବା ଦରକାର।’
କରୋନା ବିରୋଧୀ ଲଢ଼େଇ ପାଇଁ ଆଗାମୀ ୧୦୦-୧୨୫ ଦିନ ଗୁରୁତ୍ବପୂର୍ଣ୍ଣ ଥିବା ନେଇ କେନ୍ଦ୍ର କହିଥିବା ବେଳେ ଏବେ ଏମ୍ସ ପ୍ରଫେସରଙ୍କ ପ୍ରତିକ୍ରିୟା ମିଳିଛି। ନ୍ୟୁଜ ଏଜେନ୍ସି ଏଏନଆଇକୁ ଡାକ୍ତର ନୀରଜ କହିଛନ୍ତି, ‘ଆସନ୍ତା ବର୍ଷେ କିମ୍ବା ଦୁଇ ବର୍ଷ, ଯେପର୍ଯ୍ୟନ୍ତ କରୋନା ପୂର୍ଣ୍ଣ ଭାବେ କାବୁରେ ଆସି ନାହିଁ ସେ ଯାଏ ଏମିତି କିଛି କରନ୍ତୁ ନାହିଁ ଯାହା ଦ୍ବାରା ପରିସ୍ଥିତି ଅଣାୟତ୍ତ ହୋଇଯିବ।’