୨୦୨୧ରେ ଜାରି ରହିବ ମହାମାରୀ: ଏମ୍ସ ଡାକ୍ତର କହିଲେ, କିଛି ସହରରେ ଦେଖା ଗଲାଣି କରୋନାର ଦ୍ବିତୀୟ ଲହରୀ
5/09/2020 at 11:31 AM

ନୂଆଦିଲ୍ଳୀ ୦୫/୦୯: ଦେଶରେ କରୋନା ଭାଇରସ ପ୍ରକୋପ ଥମିବାର ନାଁ ନେଉ ନାହିଁ। ଦିନକୁ ଦିନ ବଢ଼ୁଛି ସଂକ୍ରମଣ ସଂଖ୍ୟା। ଲୋକ ତଥା ସରକାରଙ୍କ ପାଇଁ ଏହା ପ୍ରମୁଖ ଚିନ୍ତାର କାରଣ ହୋଇଛି। ଏବେ ଏମ୍ସ ଡାକ୍ତର ରଣଦୀପ ଗୁଲେରିଆଙ୍କ ମନ୍ତବ୍ୟ ଚିନ୍ତାକୁ ଆଉ ଟିକେ ଅଧିକ ବଢ଼ାଇ ଦେଇଛି। ସେ କହିଛନ୍ତି ଏବେ କରୋନାରୁ ମୁକ୍ତି ମିଳିବ ନାହିଁ। ଅର୍ଥାତ୍ ୨୦୨୧ ପର୍ଯ୍ୟନ୍ତ ଏହା ବ୍ୟାପିବା ଆଶଙ୍କା ରହିଛି। କରୋନା ପାଇଁ ଗଠିତ କେନ୍ଦ୍ର ସରକାରଙ୍କ ବିଶେଷ ଓ୍ବାର୍କଫୋର୍ସର ପ୍ରମୁଖ ସଦସ୍ୟ ଅଛନ୍ତି ଡାକ୍ତର ଗୁଲେରିଆ। ଭାରତରେ କରୋନା ସଂକ୍ରମଣ ସଂଖ୍ୟା କିଛି ମାସରେ ବଢ଼ିବା ଆରମ୍ଭ କରିବ ବୋଲି ସେ ମତ ରଖିଛନ୍ତି। ସେ କହିଛନ୍ତି, ‘‘ଆମେ କହୁନାହୁଁ ମହାମାରୀ ୨୦୧୨ ପର୍ଯ୍ୟନ୍ତ ବ୍ୟାପିଯିବ। ମାତ୍ର ଆମେ ଏକଥା ବି କହୁ ନାହୁଁ ଯେ ମହାମାରୀ ଆସନ୍ତା ବର୍ଷ ପ୍ରାରମ୍ଭରେ ଦୂର ହୋଇଯିବ। ଏପରିକି କିଛି ସହରରେ ମହାମାରୀର ଦ୍ବିତୀୟ ଲହରୀ ମଧ୍ୟ ଦେଖାଗଲାଣି।
ସୂଚନାଯୋଗ୍ୟ ଭାରତରେ ସେପ୍ଟେମ୍ବର ୪ ସୁଦ୍ଧା କରୋନା ସଂକ୍ରମଣ ସଂଖ୍ୟା ୪୦ ଲକ୍ଷ ଟପିଥିଲା। ତେବେ ଏବେ ସୁଦ୍ଧା ୩୧ ଲକ୍ଷରୁ ଅଧିକ ରୋଗୀ କରୋନାରୁ ସୁସ୍ଥ ହେଲେଣି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟରୁ ଜାରି ତଥ୍ୟ ଅନୁସାରେ ଏବେ ସୁଦ୍ଧା ୬୮,୪୭୨ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି।