୭୦ ମିନିଟ୍ ପର୍ଯ୍ୟନ୍ତ ମୃତ୍ୟୁ ସହ ସଂଗ୍ରାମ କରି ଶେଷ ନିଃଶ୍ବାସ ତ୍ୟାଗ କଲେ ସୁଷମା, ବଞ୍ଚାଇ ନପାରିବାରୁ ଭୋ ଭୋ ହୋଇ କାନ୍ଦି ପକାଇଲେ ଚିକିତ୍ସା କରୁଥିବା ଡାକ୍ତର…

Published By : Prameya-News7 Bureau | August 07, 2019 IST

ନୂଆଦିଲ୍ଲୀ ୭|୮: ପରଲୋକରେ ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ । ହୃଦଘାତ ଯୋଗୁଁ ତାଙ୍କର ପରଲୋକ ହୋଇଛି । ତାଙ୍କୁ ପ୍ରାୟ ରାତି ୯ଟା ୩୫ ମିନିଟ୍ ରେ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏମ୍ସର ଡାକ୍ତରୀ ଟିମ୍ ବହୁ ପ୍ରୟାସ କଲା ପରେ ମଧ୍ୟ ତାଙ୍କୁ ବଞ୍ଚାଇ ପାରିନଥିଲେ । ସୁଷମାଙ୍କ ଜୀବନ ନବଞ୍ଚାଇପାରିବାରୁ ଟିମ୍ ର ଦୁଇ ଜଣ ଜୁନିୟର ଡାକ୍ତର ସେଠାରେ ହିଁ କାନ୍ଦି ପକାଇଥିଲେ । ସେମାନେ ସେଠାରେ ନିଜର ଭାବନାକୁ ରୋକିପାରିନଥିଲେ । ସେମାନେ ସେଠାରୁ ବାହାରିଆସି ଭୋ ଭୋ ହୋଇ କାନ୍ଦିଥିଲେ । ୧୭ ମିନିଟ୍ ପର୍ଯ୍ୟନ୍ତ ସିପିଆର ଏବଂ ହାର୍ଟ ପମ୍ପ୍ ଆଦି କରିବା ବ୍ୟତୀତ ସକ୍ ଦେବା ପରେ ମଧ୍ୟ ସୁଷମା ସ୍ବରାଜଙ୍କୁ ନିଶ୍ବାସ ଫେରାଇପାରିନଥିଲେ ଡାକ୍ତରୀ ଟିମ୍ । ତାଙ୍କୁ ଭେଣ୍ଟିଲେଟରର ସପୋର୍ଟ ମଧ୍ୟ ଦିଆଯାଇଥିଲା । ଏହା ସତ୍ତ୍ବେ ତାଙ୍କ ଶରୀର ଭେଣ୍ଟିଲେଟରର ସପୋର୍ଟକୁ ଗ୍ରହଣ କରିପାରିନଥିଲା । ଫଳରେ ଏମ୍ସ ଡାକ୍ତରୀ ଟିମ୍ ନିକଟରେ ତାଙ୍କୁ ବଞ୍ଚାଇବା ପାଇଁ ଆଉ କିଛି ଉପାୟ ନଥିଲା ।

{"id":141818}

ରାତି ୧୦ଟା ୫୦ ମିନିଟ୍ ରେ ସୁଷମାଙ୍କ ପରଲୋକ ହୋଇଥିଲା । ୭୦ମିନିଟ୍ ପର୍ଯ୍ୟନ୍ତ ମୃତ୍ୟୁ ସହ ସଂଗ୍ରାମ କରିଥିଲେ ସୁଷମା । ସେଇ ଶେଷ ୭୦ମିନିଟ୍ କିଭଳି ଥିଲା ଡାକ୍ତର ଟିମ୍ ର କିଛି ଡାକ୍ତର ନିଜ ପରିଚୟ ଗୋପନ ରଖି ଏକ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

{"id":141819}

ଡାକ୍ତରଙ୍କ ସୂଚନା ଅନୁସାରେ ରାତି ପ୍ରାୟ ୯ଟା ୩୫ ମିନିଟ୍ ସମୟରେ ସୁଷମା ସ୍ବରାଜଙ୍କୁ ଏମ୍ସ ହସ୍ପିଟାଲକୁ ଅଣାଯାଇଥିଲା । ସୁଷମା ଏମ୍ସରେ ପହଞ୍ଚିବା ପୂର୍ବରୁ ମେଡିକାଲରେ ୧୨ ଜଣିଆ ଡାକ୍ତରୀ ଟିମ୍ ସଜାଗ ରହିଥିଲେ । ତାଙ୍କୁ ଆମ୍ବୁଲାନ୍ସରୁ ସିଧା ବାହାର କରାଯାଇ ଜରୁରୀକାଳିନ ବିଭାଗରେ ଭର୍ତ୍ତି କରାଯାଇଥିଲା । ସେଠାରେ ଥିବା ଦୁଇ ଜଣ ଡାକ୍ତର ଆଗରୁ ସିପିଆର ପ୍ରସ୍ତୁତ କରି ରହିଥିଲେ ।

{"id":141820}

କିଛି କ୍ଷଣ ମଧ୍ୟରେ ଡାକ୍ତରମାନେ ବୁଝି ଯାଇଥିଲେ ଯେ, ସୁଷମାଙ୍କୁ କାର୍ଡିଆକ୍ ଆଟାକ୍ ହୋଇଛି ବୋଲି । ପ୍ରାୟ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ସିପିଆର ଲଗାଯାଇଥିଲା । ମାତ୍ର ସିପିଆର କାମ ନକରିବାରୁ ତୁରନ୍ତୁ ତାଙ୍କୁ ସକ୍ ଦିଆଯାଇଥିଲା । ତିନି ଥର ସକ୍ ଦେବା ପରେ ମଧ୍ୟ ସୁଷମାଙ୍କ ଶରୀର କିଛି ରେସପଣ୍ଡ କରିନଥିଲା । ଫଳରେ ଡାକ୍ତରୀ ଟିମ୍ ତୃତୀୟ ବିକଳ୍ପ ଅର୍ଥାତ୍ ହାର୍ଟକୁ ପମ୍ପ୍ କରିବାକୁ ନିଷ୍ପତ୍ତି ନେଇଥିଲେ ।

{"id":141821}

ହୃଦୟରୋଗ ବିଭାଗର ଗୋଟିଏ ଟିମ୍ ପମ୍ପ୍ ଦେବାରେ ଲାଗିଯାଇଥିଲେ । ଅନ୍ୟପଟେ ଆଉ ଏକ ଟିମ୍ ଭେଣ୍ଟିଲେଟର ପ୍ରସ୍ତୁତ କରିବାରେ ଲାଗିଥିଲେ । କିଛି ସମୟ ପରେ ପମ୍ପ୍ ମଧ୍ୟ କାମ ନକରିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ମାତ୍ର ସେତେବେଳକୁ ସବୁକିଛି ସରିଯାଇଥିଲା । ସୁଷମା ଶେଷ ନିଶ୍ବାସ ତ୍ୟାଗ କରିସାରିଥିଲେ । ଏହିଭଳି ଭାବେ ସୁଷମା ଶେଷ ୭୦ମିନିଟ୍ ଜୀବନମୃତ୍ୟୁ ସହ ଲଢେଇ କରି ଶେଷରେ ହାରିଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.