ଏମ୍ସ ଡାକ୍ତରଙ୍କ ଦାବି-‘ଝାଡୁ ଦ୍ୱାରା କରୋନା ଭାଇରସ ବ୍ୟାପିବାର ଅଧିକ ସମ୍ଭାବନା, ବ୍ୟବହାର କରନ୍ତୁ ଭେକ୍ୟୁମ କ୍ଲିନର’
22/09/2020 at 11:33 AM

ନୂଆଦିଲ୍ଲୀ ୨୨/୦୯ : ଦେଶରେ କରୋନା ସଂକ୍ରମଣ ମାମଲା ଲଗାତାର ବଢ଼ିବାରେ ଲାଗିଛି । ଏହାସହ ଦେଶରେ ସୁସ୍ଥହାର ମଧ୍ୟ ବୃଦ୍ଧି ପାଉଛି । କରୋନା ଭାଇରସକୁ ନେଇ ସାରା ଦୁନିଆରେ ଗବେଷଣା ଜାରି ରହିଛି । ପ୍ରତିଦିନ ଭାଇରସ ସହ ଜଡିତ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସିଥାଏ । ବର୍ତ୍ତମାନ ଏମ୍ସର ଜଣେ ଡାକ୍ତର ଦାବି କରିଛନ୍ତି ଯେ, ସାର୍ବଜନିକ ସ୍ଥାନରେ କରୋନା ଭାଇରସ ଝାଡୁ ଦ୍ୱାରା ମଧ୍ୟ ବ୍ୟାପିପାରେ । ଡାକ୍ତରଙ୍କ ଅନୁସାରେ ସାର୍ବଜନିକ ସ୍ଥାନରେ ଝାଡୁ ବ୍ୟବହାର ନ କରି ଭେକ୍ୟୁମ କ୍ଲିନର ବ୍ୟବହାର କରିବା ଉଚିତ ।

ଏମ୍ସର ସର୍ଜରୀ ବିଭାଗ ଅଧ୍ୟକ୍ଷ ଡାକ୍ତର ଅନୁରାଗ ଶ୍ରୀବାସ୍ତବ ଏହି ଦାବି କରିଛନ୍ତି । ତାଙ୍କ ଅନୁସାରେ ଝାଡୁ ବ୍ୟବହାର ଓ ଖୋଲା ଜାଗାରେ ଅଳିଆ ପକାଇବା ଆଦି କରୋନା ସଂକ୍ରମଣ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ସେ କହିଛନ୍ତି ଯେ କରୋନା ଭାଇରସ ଯେକୌଣସି ପୃଷ୍ଠରେ ୩ ରୁ ୫ ଦିନ ଯାଏଁ ରହିଥାଏ । ସଂକ୍ରମିତ ରୋଗୀ ଯଦି କୌଣସି ଜାଗାରେ ଛିଂକେ କିମ୍ବା କାଶେ ତାହେଲେ ତାଙ୍କ ଶରୀରରୁ ବାହାରୁଥିବା ଭାଇରସ ଆଖପାଖ ସ୍ଥାନରେ ପଡ଼ିଯାଏ ।

ଝାଡୁ କରିବା ସମୟରେ ଶରୀରରୁ ବାହାରିଥିବା କରୋନା ଭାଇରସର ଏହି କଣିକା ମାଟି-ଧୂଳିରେ ବ୍ୟାପି ଯାଇଥାଏ । ସେହି ସମୟରେ ଯଦି କିଏ ସେହି ବାଟ ଦେଇ ଯାଆନ୍ତି ତାହେଲେ ଭାଇରସ ନିଶ୍ୱାସ ପ୍ରଶ୍ୱାସ ଦେଇ ତାଙ୍କ ଶରୀରରେ ପ୍ରବେଶ କରିଥାଏ । ଏହିଭଳି ଭାବେ ଭାଇରସ ଦ୍ରୁତ ଗତିରେ ବ୍ୟାପିଥାଏ । ଏହି ମାମଲାକୁ ଦୃଷ୍ଟିରେ ରଖି ଡ.ଶ୍ରୀବାସ୍ତବ ଅପିଲ କରିଛନ୍ତି ଯେ ଅକ୍ଟୋବର ୨ ତାରିଖରେ ସ୍ୱଚ୍ଛତା ଅଭିଯାନରେ ଝାଡୁ ବଦଳରେ ଭେକ୍ୟୁମ କ୍ଲିନର ବ୍ୟବହାର କରାଯାଉ ।