ସାରା ଭାରତରେ ବ୍ୟାପିଯାଇଛି କରୋନା, କେତେକ ସ୍ଥାନରେ ଚାଲିଛି ଦ୍ୱିତୀୟ ଲହର: AIIMS ନିର୍ଦ୍ଦେଶକ
6/09/2020 at 7:31 PM

ନୂଆଦିଲ୍ଲୀ ୬।୯: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ ଭାରତର କେତେକ ସ୍ଥାନରେ ଏବେ କରୋନାର ଦ୍ୱିତୀୟ ଲହର ଅନୁଭୂତ ହେଉଥିବାର କହିଛନ୍ତି। କରୋନା ଭାଇରସ ମହାମାରୀ ସାରା ଦେଶକୁ ବ୍ୟାପିଯାଇଛି। ଦେଶରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୦ଲକ୍ଷରେ ପହଞ୍ଚିଥିବା ବେଳେ ଭାରତ ଏବେ ସର୍ବାଧିକ ସଂକ୍ରମିତ ଦେଶକଙ୍କ ସୂଚୀର ଦ୍ୱିତୀୟ ସ୍ଥାନକୁ ଉନ୍ନିତ ହୋଇଛି।

ତେବେ ଆଗାମୀ କିଛିମାସ ପର୍ଯ୍ୟନ୍ତ ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ହେବ ବୋଲି ଡା. ଗୁଲେରିଆ କହିଛନ୍ତି। ୨୦୨୧ ବେଳକୁ କରୋନା ଥମିଯାଇଥିବ ବୋଲି ସେ ଆଶ୍ୱସନା ଦେଇଛନ୍ତି। ଗଣମାଧ୍ୟମ ସହ ଆଲୋଚନାରେ ଡା. ଗୁଲେରିଆ କହିଛନ୍ତି ଯେ ଭାରତରେ ଆଉ କିଛି ମାସ ଏପରି ସଂକ୍ରମଣ ହାର ବଢିବଢି ଚାଲିବ। ତେବେ ୨୦୨୧ରେ ଯଦିଓ କରୋନା ଭାଇରସ ମହାମାରୀ ଦେଶରୁ ଚାଲିଯିବ ବୋଲି କୁହାଯାଇ ନପାରେ ତଥାପି ସଂକ୍ରମଣ ହାର ବଢିବା ବଦଳେ କ୍ରମଶଃ ସ୍ଥିର ହୋଇଯାଇପାରେ ବୋଲି କହିଛନ୍ତି।

ଏବେ ଭୂତାଣୁ ସଂକ୍ରମଣ କେବଳ ସହରାଞ୍ଚଳ ନୁହେଁ ଆଭ୍ୟନ୍ତରୀଣ ଓ ଦେଶର ଗ୍ରାମାଞ୍ଚଳକୁ ମଧ୍ୟ ପ୍ରବେଶ କରିସାରିଛି। ଜନସଂଖ୍ୟା ଦୃଷ୍ଟିରୁ ଆହୁରି କିଛିମାସ ପର୍ଯ୍ୟନ୍ତ ବର୍ଦ୍ଧିତ ସଂକ୍ରମଣ ହାର ଦେଖିବାକୁ ମିଳିବ ବୋଲି ଡା. ଗୁଲେରିଆ କହିଛନ୍ତି। ସେହିପରି କରୋନା ଲହର ସଂମ୍ପର୍କରେ ସେ କହିଛନ୍ତି ଯେ ଏବେ ଦେଶରେ ଟେଷ୍ଟିଂ ହାର ବୃଦ୍ଧି ହୋଇଛି। ସେହି ଅନୁସାରେ ସଂକ୍ରମିତଙ୍କ ଚିହ୍ନଟ ହାର ମଧ୍ୟ ବୃଦ୍ଧି ହୋଇଛି। ଏଣୁ ଅଧିକ ଲୋକେ ସଂକ୍ରମିତ ହେଉଥିବାର ଚର୍ଚ୍ଚା ହେଉଛି। କିନ୍ତୁ ଭାରତ ଭଳି ଦେଶରେ ୧୦ ଲକ୍ଷ ଲୋକେ ସଂକ୍ରମଣ ହେବା କିଛି ବଡ କଥା ନୁହେଁ ବୋଲି ଡା. ଗୁଲେରିଆ କହିଛନ୍ତି।

ଦେଶରେ ଏବେ ଦୈନିକ ୧୦ଲକ୍ଷ ଟେଷ୍ଟିଂ ହେଉଛି। ସେହି ଅନୁପାତରେ ସଂକ୍ରମିତ ମଧ୍ୟ ଚିହ୍ନଟ ହେଉଛନ୍ତି ଓ ସେମାନଙ୍କର ଚିକିତ୍ସା ଏବଂ ସୁସ୍ଥତା ବ୍ୟବସ୍ଥା କରାଯାଉଛି। ଏଣୁ ଅଧିକ ପରୀକ୍ଷଣ ଯୋଗୁ ଆମକୁ ଫଳାଫଳ ମଧ୍ୟ ଅଧିକ ଲାଗୁଛି। ଏପରି ଲାଗୁଛି ଦେଶରେ କରୋନାର ଲହର ଆସିଛି।