ପ୍ରଥମେ ଦିଆଯିବ କୋଭିସିଲ୍ଡ କରୋନା ଟିକା, ବ୍ୟାକ୍‌ଅପ୍‌ ପାଇଁ ରହିବ ‘କୋଭାକ୍ସିନ୍‌’- AIIMS ନିର୍ଦ୍ଦେଶକ

Published By : Prameya-News7 Bureau | January 03, 2021 IST

ନୂଆଦିଲ୍ଲୀ ୦୩/୦୧: କରୋନା ମହାମାରୀ ଦାଉରୁ ରକ୍ଷା କରିବ କରୋନା ଭ୍ୟାକ୍‌ସିନ୍‌। ଭାରତରେ ଦୁଇଟି ଭ୍ୟାକ୍‌ସିନକୁ ମଞ୍ଜୁରୀ ମିଳିଛି। କୋଭିସିଲ୍ଡ ଓ ସ୍ବଦେଶୀ ଟିକା କୋଭାକ୍ସିନ୍‌କୁ ଜରୁରିକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇସାରିଛି। ଏବେ କରୋନା ଭ୍ୟାକ୍‌ସିନ୍‌ ସାଧାରଣ ଲୋକଙ୍କୁ ମଧ୍ୟ ଦିଆଯିବ। ଦେଶବ୍ୟାପୀ ଡ୍ରାଏ ରନ୍‌ ସରିଥିବା ବେଳେ ଟିକାକରଣ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

ଏହାରି ଭିତରେ କୋଭାକ୍ସିନ୍‌କୁ ନେଇ ଏମ୍ସ ନିର୍ଦେଶକ ଡାକ୍ତର ଗୁଲେରିଆଙ୍କ ଗୁରୁତ୍ବପୂର୍ଣ୍ଣ ପ୍ରତିକ୍ରିୟା ମିଳିଛି। କୋଭାକ୍ସିନକୁ ବ୍ୟାକ୍‌ଅପ୍‌ ଭାବେ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି। ହଠାତ କରୋନା ସଂକ୍ରମଣ ବୃଦ୍ଧି ହେଲେ ଅଧିକ ଟିକାର ଆବଶ୍ୟକତା ପଡ଼ିବ। ସେତେବେଳେ ଆମେ ଭାରତ ବାୟୋଟେକ୍‌ର ଟିକା କୋଭାକ୍ସିନକୁ ବ୍ୟବହାର କରିପାରିବା। ଯେପର୍ଯ୍ୟନ୍ତ ସିରମ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ବାରା ପ୍ରସ୍ତୁତ ହେଉଥିବା କୋଭିସିଲ୍ଡ କରୋନା ଟିକାର ପ୍ରଭାବ ଜଣାପଡ଼ିନାହିଁ ସେପର୍ଯ୍ୟନ୍ତ କୋଭାକ୍ସିନ ବ୍ୟାକ୍‌ଅପ୍‌ ଭାବେ କାର୍ଯ୍ୟ କରିବ ବୋଲି ଡାକ୍ତର ଗୁଲେରିଆ କହିଛନ୍ତି।

ପ୍ରାଥମିକ ପର୍ଯ୍ୟାୟରେ ସିରମ ଇନ୍‌ଷ୍ଟିଚ୍ୟୁଟ୍‌ର କୋଭିସିଲ୍ଡ ଟିକା ଦିଆଯିବ। ସେମାନଙ୍କ ପାଖରେ ପ୍ରଥମରୁ ୫୦ ମିଲିୟନ୍‌ ଟିକା ମହଜୁଦ ଅଛି। ପ୍ରଥମ ପର୍ଯ୍ୟାୟରେ ୩ କୋଟି ଟିକା ପ୍ରୟୋଗ କରାଯିବାର ଅଛି ସେତେବେଳେକୁ କୋଭାକ୍ସିନ୍‌ ସମ୍ପର୍କରେ ଅଧିକ ଡାଟା ସଂଗୃହୀତ ହୋଇପାରିବ ବୋଲି ମଧ୍ୟ ରଣଦୀପ ଗୁଲେରିଆ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.