Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦେଶରେ ପ୍ରଥମଥର କରୋନା ସଂକ୍ରମିତ ବଡିର ହୋଇଛି ପୋଷ୍ଟମର୍ଟମ, ଜଣାପଡିବ ଶରୀରେ ଭୂତାଣୁର ପ୍ରଭାବ

19/08/2020 at 3:15 PM

ଭୋପାଲ ୧୯।୮:  ମଧ୍ୟପ୍ରଦେଶ ଭୋପାଲ ଏମ୍ସ ଦେଶରେ ପ୍ରଥମ ଥର କରୋନା ସଂକ୍ରମିତଙ୍କ ବଡିର ପୋଷ୍ଟମର୍ଟମ କରାଇଛନ୍ତି। କୋଭିଡ-୧୯ ଯୋଗୁ ଶରୀର ଉପରେ ପଡୁଥିବା ପ୍ରଭାବ ଜାଣିବା ଲାଗି ଏହି ବ୍ୟବଚ୍ଛେଦ କରାଯାଇଛି। ଏପର୍ଯ୍ୟନ୍ତ ବିଦେଶୀ ଗବେଷଣା ଲବ୍ଧ ତଥ୍ୟ ଆଧାରରେ ଦେଶରେ କୋଭିଡ ଚିକିତ୍ସା କରାଯାଉଛି। ଏହି ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ବାସ୍ତବରେ କରୋନାରେ କଣ ହେଉଛି ଓ ଦେଶରେ ରୋଗୀ ମୃତ୍ୟୁମୁଖରେ ପଡୁଛନ୍ତି ତାହା ସ୍ପଷ୍ଟ ହୋଇଯିବ।

ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ (ଆଇସିଏମଆର)ଙ୍କ ମଞ୍ଜୁରି ପରେ ଭୋପାଲ ଏମ୍ସ କରୋନା ଆକ୍ରାନ୍ତଙ୍କ ବଡିର ବ୍ୟବଚ୍ଛେଦ କରାଇଛନ୍ତି।  କୋଭିଡ ଗବେଷଣା ଲାଗିଏମ୍ସ ଅନୁନ୍ୟ ୧୦ଟି ବଡିର ବ୍ୟବଚ୍ଛେଦ କରିବେ ବୋଲି ଜଣାପଡିଛି। ବିଦେଶରେ ଏପର୍ଯ୍ୟନ୍ତ କରୋନାକୁ ନେଇ ହୋଇଥିବା ଗବେଷଣାରେ ଭୂତାଣୁ ସଂକ୍ରମିତଙ୍କ ହୃଦ, ମସ୍ତିଷ୍କ ଓ ଫୁସଫୁସ୍‌ରେ ରକ୍ତ ଜମାଟ ବାନ୍ଧିବା ଯୋଗୁ ରୋଗୀଙ୍କ ମୃତ୍ୟୁ ହେଉଥିବା ରିପୋର୍ଟରେ କୁହାଯାଇଥିଲା।

ତେବେ ଭାରତରେ ଲୋକଙ୍କଠାରେ କରୋନାର ପ୍ରଭାବ କ’ଣ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏଣୁ ଏ ନେଇ ଭୋପାଲ ଏମ୍ସ ପ୍ରଥମ ଥର ଏପରି ପଦକ୍ଷେପ ନେଇଛନ୍ତି। ଏମ୍ସ ଶିର୍ଷ କମିଟି ଏଥିଲାଗି ଅନୁମତି ଦେଇଛନ୍ତି ବୋଲି ଭୋପାଲ ଏମ୍ସ ନିର୍ଦ୍ଦେଶକ କହିଛନ୍ତି। ସଂକ୍ରମିତଙ୍କ କେଉଁ ଅଙ୍ଗ ଉପରେ କରୋନା ଭୂତାଣୁର  ଅଧିକ ପ୍ରଭାବ ରହୁଛି ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ।

ତେବେ ଏହି ଗବେଷଣାରୁ ମିଳିବାକୁ ଥିବା ତଥ୍ୟ ଆଧାରରେ  ଡାକ୍ତର ଆକ୍ରାନ୍ତଙ୍କ ଶରୀରର ସେହି ଅର୍ଗାନକୁ ରକ୍ଷା କରିବା ଲାଗି ଉଦ୍ୟମ କରିବେ ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି। ଫଳରେ ଅର୍ଗାନ ଫେଲ ହେବା ପୂର୍ବରୁ ଡାକ୍ତର ପଦକ୍ଷେପ ନେଇପାରିବେ। ଏହା ଦ୍ୱାରା ଦେଶରେ କରୋନା ମୃତ୍ୟୁହାର ନିୟନ୍ତ୍ରିତ କରାଯାଇପାରିବ ବୋଲି ଡାକ୍ତରମାନେ ଆଶାବ୍ୟକ୍ତ କରିଥିବା ବେଳେ ଭାକ୍ସିନ ଆସିବା ପର୍ଯ୍ୟନ୍ତ ଚିକିତ୍ସାରେ ସହାୟକ ହୋଇପାରିବ ବୋଲି କୁହାଯାଇଛି।   

   Related Posts