ଫେରିବେ ଜଗା-କାଳିଆ, ଡିସ୍ଚାର୍ଜ ନେଇ ଏମ୍ସ ପକ୍ଷରୁ ସୂଚନା
29/06/2019 at 12:36 PM

ନୂଆଦିଲ୍ଲୀ ୨୯|୬: ଖୁବ୍ ଶୀଘ୍ର ଏମସରୁ ଡିସଚାର୍ଜ ହେବେ ଜଗା ଓ କାଳିଆ । ଏନେଇ ଆଜି ଓଡିଶା ସରକାରଙ୍କ ୪ ଜଣ ଅଧିକାରୀଙ୍କ ସହ ଏମସର ବରିଷ୍ଠ ଡାକ୍ତରଙ୍କ ବିସ୍ତୃତ ଆଲୋଚନା ହୋଇଛି। ଏମସ ତରଫରୁ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥାର କିପରି ଯତ୍ନ ନିଆଯିବ ସେମାନ କେଉଁଠି ରହିବେ ତାକୁ ନେଇ ୭ ଦିନ ଭିତରେ ଆଡଭାଇଜରି ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ। ଏହାପରେ ଉଭୟଙ୍କୁ କିପରି ଓଡିଶା ନିଆଯିବା ସେ ନେଇ ନିଷ୍ପତ୍ତି ନିଆଯିବ। ରାଜ୍ୟ ସରକାର ଉଭୟ ଜଗା ଓ କାଳିଆଙ୍କୁ ଯାହା ଉପଯୁକ୍ତ ସେହି ଉପାୟରେ ନେବା ପାଇଁ ରାଜି ଅଛନ୍ତି ବୋଲି ସୂଚନା ଦେଇଛନ୍ତି ଏନଆରଏଚଏମର ଏମଡି ସାଲିନି ପଣ୍ଡିତ। ଏକ ଘଣ୍ଟା ଧକି ଏହି ବୈଠକ ଏମସର ବୋର୍ଡ ରୁମରେ ଚାଲିଥିଲା । ବୈଠକରେ ଏମସର ନ୍ୟୁରସର୍ଜନ ଦୀପକ ଗୁପ୍ତାଙ୍କ ସହ ପେଡିଆଟ୍ରିକ, ଆନେସ୍ଥେସିଆ, ଏଡମିନିଷ୍ଟ୍ରେଟିଭ ବିଭାଗର ମୁଖ୍ୟଙ୍କ ସହ ଓଡିଶାରୁ ଏନଏଚଆରମ ଏମଡି, ଶିଶୁ ଭବନର ଅଧିକାରୀ ଓ ଆପୋଲୋ ହସପିଟାଲର ନ୍ୟୁରୋ ସର୍ଜନ ଏବଂ ସ୍ବାସ୍ଥ୍ୟ ବିଭାଗର ଜଏଣ୍ଟ ସେକ୍ରେଟାରୀ ଉପସ୍ଥିତ ଥିଲେ।
୨୦୧୭ ମସିହାରୁ ଏହି ଦୁଇ ଶିଶୁ ଏମ୍ ସରେ ଚିକିତ୍ସିତ ହେଉଛନ୍ତି । ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ୍ ଏହି ଯୋଡାମୁଣ୍ଡ ଶିଶୁଙ୍କୁ ଅସ୍ତ୍ରୋପଚାର ମାଧ୍ୟମରେ ଅଲଗା କରିଥିଲେ । ଯାହାକି ଭାରତୀୟ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ବିରଳ ଘଟଣା । ଅସ୍ତ୍ରୋପଚାର ପରେ ଉଭୟଙ୍କୁ ନୂଆଦିଲ୍ଲୀ ସ୍ଥିତ ଏମସରେ ଏବେ ବି ଅଛନ୍ତି ।
ଅନ୍ୟପଟେ ଦିଲ୍ଲୀ ଏମସରୁ ଜଗା କାଳିଆ ଓଡ଼ିଶା ଫେରିବା ପ୍ରସଙ୍ଗରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରତିକ୍ରିୟାରେ କହିଛନ୍ତି ଯେ NRHM ନିର୍ଦ୍ଦେଶକ, ଦିଲ୍ଲୀ ଏମ୍ ସ ସହ କଥାବାର୍ତ୍ତା କରୁଛନ୍ତି। କେଉଁ ଦିନ ଜଗା କାଳିଆ ଓଡ଼ିଶା ଫେରିବେ ସେ ନେଇ ଦିଲ୍ଲୀ ଏମସର ଡାକ୍ତର ମାନେ ନିଷ୍ପତ୍ତି ନେବେ। କିନ୍ତୁ ଯେଉଁ ଦିନ ସେମାନେ ଓଡ଼ିଶା ଆସିବେ ତାଙ୍କ ସହ ଏମସର ୮ ଜଣିଆ ଡାକ୍ତରୀ ଟିମ୍ ଆସିବେ। ପୂର୍ବରେ ଜଗା କାଳିଆଙ୍କୁ ଓଡ଼ିଶା ଆଣିବା ପାଇଁ ଏୟାର ଆମ୍ବୁଲାନ୍ସ ଦରକାର ବୋଲି ଏମ୍ସ କର୍ତ୍ତୃପକ୍ଷ କହୁଥିଲେ ମଧ୍ୟ ଏବେ ସେମାନେ ଟ୍ରେନ୍ ରେ ଆସି ପାରିବେ ।