ବେଲଗାମ କରୋନା ସଂକ୍ରମଣ: ପାଟନା AIIMSର ୩୮୪ ଡାକ୍ତର ଏବଂ ନର୍ସିଂ ଷ୍ଟାଫ୍‌ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ

Published By : Prameya-News7 Bureau | April 21, 2021 IST

ପାଟନା ୨୧/୪: ଦେଶରେ କରୋନା ଭୂତାଣୁ ବ୍ରେକ୍‌ ଫେଲ୍‌ ଭଳି ମାଡ଼ିଚାଲିଛି। ସଂକ୍ରମଣ ବଢ଼ି ବଢ଼ି ଚାଲିଛି କିନ୍ତୁ କମିବାର ନାଁ ଧରୁନି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଛୁଇଁଥିବା ବେଳେ ୨୦୦୦ ଲୋକ ପ୍ରାଣ ହରାଇଛନ୍ତି । ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ବିହାରରେ ବି ସ୍ଥିତି ସମାନ। ପାଟନା ଏମ୍ସ ହସ୍ପିଟାଲରେ କରୋନା ବିସ୍ଫୋରଣ ଦେଖିବାକୁ ମିଳିଛି।

ସଂକ୍ରମିତଙ୍କ ପାଇଁ ୨୪ ଘଣ୍ଟା ତତ୍ପର ରହୁଥିବା ଡାକ୍ତର ମଧ୍ୟ କରୋନାରେ ପୀଡ଼ିତ ହୋଇଛନ୍ତି। ପାଟନା ଏମ୍ସରେ ୩୮୪ ଡାକ୍ତର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହ ନର୍ସିଂ ଷ୍ଟାଫ୍‌ ମଧ୍ୟ ପଜିଟିଭ୍‌ ଥିବା ଜଣାପଡ଼ିଛି। ପାଟନା ଏମ୍ସର ସୁପରିଟେଣ୍ଡେଣ୍ଟ ବୁଧବାର ସୂଚନା ଦେଇ କହିଛନ୍ତି ହସ୍ପିଟାଲରେ ଏବେ ସୁଦ୍ଧା ୩୮୪ ଡାକ୍ତର ଏବଂ ନର୍ସିଂ ଷ୍ଟାଫ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି।

କରୋନା ମାମଲା ବଢ଼ୁଥିବା ବେଳେ ବିହାରରେ ପଞ୍ଚାୟତ ନିର୍ବାଚନ ସ୍ଥଗିତ କରାଯାଇଛି। ମହାମାରୀକୁ ଦେଖି ରାଜ୍ୟ ନିର୍ବାଚନ ଆୟୋଗ ପଞ୍ଚାୟତ ଇଲେକ୍ସନ ଉପରେ ରୋକ ଲଗାଇବା ସହ ୧୫ ଦିନ ପରେ ସ୍ଥିତି ସମୀକ୍ଷା ପରେ ସାନି ତାରିଖ ଘୋଷଣା ଉପରେ ନିଷ୍ପତ୍ତି ହେବ ବୋଲି କହିଛନ୍ତି। ଏହା ପୂର୍ବରୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦,୪୫୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୧ ଜଣ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସଂକ୍ରମଣ ବଢ଼ୁଥିବା ବେଳେ ସୁସ୍ଥ ହାର କମ୍‌ ହେଉଥିବା ଜଣାପଡ଼ିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.