ସାରା ଦେଶର ଇଞ୍ଜିନିୟରିଂ କଲେଜରେ ୫୦% ସିଟ୍ ଖାଲି, ୨ବର୍ଷ ଯାଏଁ ନୂଆ କଲେଜକୁ ଅନୁମତି ଦେବନାହିଁ AICTE

Published By : Prameya-News7 Bureau | February 13, 2020 IST

ନୂଆଦିଲ୍ଲୀ ୧୩।୨: ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (AICTE) ଇଞ୍ଜିନିୟରିଂ କଲେଜର ସଂଖ୍ୟା ବୃଦ୍ଧି ଉପରେ ଲଗାମ ଲଗାଇବାକୁ ପ୍ରସ୍ତୁତି କରିସାରିଛି । ସାରା ଭାରତରେ ଏବେ ୨୦୨୨ ପର୍ଯ୍ୟନ୍ତ ନୂଆ ବିଟେକ୍ କଲେଜ ସ୍ଥାପନ ନେଇ କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ । ୨୦୧୯-୨୦ରେ ଛାତ୍ରମାନଙ୍କର ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ହ୍ରାସ ପାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ସମସ୍ତ ଇଞ୍ଜିନିୟରିଂ କଲେଜରେ ୫୦ ପ୍ରତିଶତ ସିଟ୍ ଖାଲି ରହିଛି ।

ଭାରତରେ ସ୍ନାତକ (୧୪ଲକ୍ଷ), ଡିପ୍ଲୋମା (୧୧ଲକ୍ଷ) ଏବଂ ପୋଷ୍ଟ ଗ୍ରାଜୁଏଟ୍ (୧.୮ଲକ୍ଷ) ମୋଟ୍ ୨୭ ଲକ୍ଷ ସିଟ୍ ରହିଛି । ମାତ୍ର ୨୦୧୯-୨୦ରେ କେବଳ ୧୩ ଲକ୍ଷ ଛାତ୍ର ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି । ସେମାନଙ୍କ ମଧ୍ୟରୁ ୭ଲକ୍ଷ ଗ୍ରାଜୁଏଟ୍ କୋର୍ସରେ ନାମ ଲେଖାଇଥିଲେ । AICTE ହ୍ୟାଣ୍ଡବୁକ୍ ରେ କୁହାଯାଇଛି ଯେ, ଗତ କିଛି ବର୍ଷ ହେଲା ବିଭିନ୍ନ ପ୍ରୋଗ୍ରାମରେ ବହୁ ମାତ୍ରାରେ ସିଟ୍ ଖାଲିପଡିଥିବା ଯୋଗୁଁ ଆଗାମୀ ଦିନରେ ସମ୍ଭାବିତ ଚାହିଦାକୁ ନଜରରେ ରଖି ପରିଷଦ ଇଞ୍ଜିନିୟରିଂ ଓ ପ୍ରଯୁକ୍ତି କ୍ଷେତ୍ରରେ ଡିପ୍ଲୋମା, ଗ୍ରାଜୁଏଟ୍, ପୋଷ୍ଟଗ୍ରାଜୁଏଟ୍ ସ୍ତରରେ ନୂଆ ସଂସ୍ଥା ଗୁଡିକୁ ମଞ୍ଜୁରୀ ଦିଆଯିବନାହିଁ ।

ଆହୁରି ମଧ୍ୟ ଯଦି କୌଣସି ଇଞ୍ଜିନିୟରିଂ କଲେଜ କୌଣସି ପ୍ରୋଗ୍ରାମରେ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜିରେ ସିଟ୍ ବଢାଇବା ପାଇଁ ଆବେଦନ କରନ୍ତି ତେବେ ସେମାନଙ୍କ ଆବେଦନକୁ ରଦ୍ଦ କରିଦିଆଯିବ । ନୂଆ କୋର୍ସ ଆରମ୍ଭ କରିଥିବା କଲେଜଗୁଡିକୁ ମଞ୍ଜୁରୀ ଦିଆଯିବ । AICTEର ସୂଚନା ଅନୁସାରେ ୨୦୧୯ରେ କ୍ୟାମ୍ପସ ପ୍ଲେସମେଣ୍ଟ ମାଧ୍ୟମରେ କେବଳ ୬ଲକ୍ଷ ଗ୍ରାଜୁଏଟ୍ସଙ୍କୁ ଚାକିରି ମିଳିଛି । ଛାତ୍ରମାନଙ୍କର କମ୍ ସଂଖ୍ୟା ଯୋଗୁଁ ୨୦୧୫ ଏବଂ ୨୦୧୯ ମଧ୍ୟରେ ମୋଟ୍ ୫୧୮ ଇଞ୍ଜିନିୟରିଂ କଲେଜ ବନ୍ଦ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.