କଂଗ୍ରେସ ଭବନରେ ଇସ୍ତାହାର ପତ୍ର ଉନ୍ମୋଚନ କଲେ ଏଆଇସିସିର ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ

Published By : Prameya-News7 Bureau | April 04, 2019 IST

ଭୁବନେଶ୍ବର ୪|୪: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଆଜି କଂଗ୍ରେସ ଭବନରେ ଉନ୍ମୋଚିତ ହୋଇଛି କଂଗ୍ରେସର ନିର୍ବାଚନୀ ଇସ୍ତହାର ପତ୍ର । ଏଆଇସିସିର ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଉନ୍ମୋଚନ କରିଛନ୍ତି ଇସ୍ତାହାର ପତ୍ର । ଗତ ମଙ୍ଗଳବାର ଦିନ ଦିଲ୍ଲୀରେ କଂଗ୍ରେସର ଇସ୍ତାହାର ପତ୍ର ଉନ୍ମୋଚନ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଇସ୍ତାହାର ପତ୍ରରେ କଂଗ୍ରେସ ଦେଶବାସୀଙ୍କୁ ଦେଇଛି ଅନେକ ପ୍ରତିଶ୍ରୁତି ।  

୧. କ୍ଷମତାକୁ ଆସିବା ପରେ ଦେଶରୁ ଦାରିଦ୍ର୍ୟ ହଟାଇବା ପାଇଁ କଂଗ୍ରେସ ନ୍ୟୁନତମ ଆୟ ଯୋଜନା ଲାଗୁ କରିବ । ଯେଉଁଥିରେ ଦେଶର ୨୦ ପ୍ରତିଶତ ଅତି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ପ୍ରତିବର୍ଷ ୭୨ ହଜାର ଟଙ୍କା ସହାୟତା ଦିଆଯିବ ।

୨. ୨୦୨୦ ମାର୍ଚ୍ଚ ସୁଦ୍ଧା ୨୨ ଲକ୍ଷ ଯୁବକ, ଯୁବତୀଙ୍କ ପାଇଁ ସରକାରୀ ଚାକିରି ଓ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ରୋଜଗାର ପ୍ରତିଶ୍ରୁତି ଦେଇଛି କଂଗ୍ରେସ ।

୩. କୃଷକଙ୍କ ଋଣ ଛାଡକରି ସେମାନଙ୍କୁ କରଜ ମୁକ୍ତ ସହ ଋଣ ନସୁଝିପାରିଲେ କୃଷକଙ୍କ ବିରୋଧରେ ଫୌଜଦାରୀ ମୋକଦ୍ଦମାକୁ ହଟାଇବାକୁ ପ୍ରତିଶ୍ରୁତି ଦିଆଯାଇଛି। ସେହିଭଳି ପ୍ରତିବର୍ଷ କୃଷି ବଜେଟ ଓ କୃଷିର ବିକାଶ ଓ ଯୋଜନା ପାଇଁ ରାଷ୍ଟ୍ରୀୟ ଆୟୋଗ ସ୍ଥାପନ ।

୪. ମନରେଗା ମାଧ୍ୟମରେ ଗ୍ରାମୀଣ ଲୋକଙ୍କ ପାଇଁ ୧୫୦ ଦିନର ରୋଜଗାର ଗ୍ୟାରେଣ୍ଟି ।

୫. ଶିକ୍ଷା ଉପରେ ବଜେଟର ୬ ପ୍ରତିଶତ ଅର୍ଥ ଖର୍ଚ୍ଚ ପାଇଁ ପ୍ରତିଶ୍ରୁତି ରହିଛି। ସେହିଭଳି ସ୍ବାସ୍ଥ୍ୟ ପାଇଁ ସରକାରୀ ଡାକ୍ତରଖାନା ଓ ଘରୋଇ ଡାକ୍ତରଖାନା ଗୁଡିକରେ ଲୋକମାନଙ୍କୁ ମାଗାଣା ଡାଏଗ୍ନୋସିସ୍‌, ଆଉଟ ପେସେଣ୍ଟ କେୟାର, ମାଗମା ଔଷଧ ଭଲି ବ୍ୟବସ୍ଥା ସହ ଡାକ୍ତାରଖାନାର ଅବସ୍ଥା ସୁଧାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।  ସେହଭଳି କାଶ୍ମୀର ପ୍ରସଙ୍ଗରେ ୩୭୦ ଧାରାରେ କୌଣସି ପରିବର୍ତ୍ତନ ହେବନାହିଁ କୁହାଯାଇଥିବାବେଳେ ଏହି ପ୍ରସଙ୍ଗରେ ସେଠାର ଲୋକଙ୍କ ସହ କଥାବାର୍ତ୍ତା କରାଯିବ ବୋଲି କହୁଯାଇଛି ।

ଏଥିସହ ଜିଏସ୍‌ଟି ସରଳୀକରଣ, ପ୍ରତିରକ୍ଷା ଖର୍ଚ୍ଚ ବଢାଇବା , ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ ଭଳି ପ୍ରତିଶ୍ରୁତି ଘୋଷଣା ପତ୍ରରେ କହିଛନ୍ତି । ଇସ୍ତହାରର ନାଁ ହମ୍ ନିଭାଏଙ୍ଗେ ରଖି ମୋଦି ସରକାରଙ୍କୁ କଟାକ୍ଷ କରିଥିବା ବେଳେ ଯୁବକ, କୃଷକ, ଶ୍ରମିକ, ସୈନିକ ଓ ଗରିବଙ୍କ ଭୋଟ୍‌ ନିଜ ସପକ୍ଷରେ ନେବାକୁ ଉଦ୍ୟମ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.