କରୋନା ଆକ୍ରାନ୍ତ ହୋଇଛନ୍ତି କଂଗ୍ରେସ୍ ଜାତୀୟ ମୁଖପାତ୍ର ଅଭିଷେକ ମନୁ ସିଂଘଭୀ, ପତ୍ନୀ ମଧ୍ୟ ସଂକ୍ରମିତ

Published By : Prameya-News7 Bureau | June 26, 2020 IST

ନୂଆଦିଲ୍ଲୀ ୨୬।୬:  କଂଗ୍ରେସ ଜାତୀୟ ମୁଖପାତ୍ର ତଥା ଜଣାଶୁଣା ଓକିଲ ଅଭିଷେକ ମନୁ ସିଂଘବୀ କରୋନା ଆକ୍ରାନ୍ତ ହୋଇଥିବା ଶୁକ୍ରବାର ଜଣାପଡିଛି। ବର୍ତ୍ତମାନ ସେ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ପୃଥକବାସ କରୁଛନ୍ତି। ମିଳିଥିବା ସୂଚନା ଅନୁସାରେ ସିଂଘଭୀଙ୍କୁ ସାମାନ୍ୟ ଜ୍ୱର ଥିଲା। ଏଣୁ ଡାକ୍ତରମାନେ କରୋନା ଯାଞ୍ଚ ଲାଗି ପରାମର୍ଶ ଦେଇଥିବା ବେଳେ ରିପୋର୍ଟ ପଜେଟିଭ ଆସିଛି।

ସେପଟେ ସିଘଭୀଙ୍କ ପତ୍ନୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏଣୁ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ସମେତ କର୍ମଚାରୀଙ୍କର  ମଧ୍ୟ ପରୀକ୍ଷା ଲାଗି ନମୁନା ସଂଗ୍ରହ କରାଯାଇଛି। ତେବେ କେବଳ ସିଂଘବୀ କି ତାଙ୍କ ପରିବାର ଲୋକେ ନୁହଁନ୍ତି ପୂର୍ବରୁ କଂଗ୍ରେସ ନେତା ସଞ୍ଜୟ ଝା ମଧ୍ୟ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ। ତେବେ କ୍ୱାରେଣ୍ଟାଇନରେ ରହିବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ଜଣାପଡିଛି।

ଅନ୍ୟପକ୍ଷରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ  ସତ୍ୟେନ୍ଦ୍ର ଜୈନଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଛି। ତାଙ୍କର କରୋନା ଟେଷ୍ଟ ନେଗେଟିଭ ଆସିଥିବା ବେଳେ ସେ ଖୁବ୍ ଶୀଘ୍ର ହସ୍ପିଟାଲରୁ ଛାଡ ପାଇବେ ବୋଲି ସୂଚନା ମିଳୁଛି। ୫୫ ବର୍ଷ ବୟସ୍କ ଜୈନ୍‌ ଜ୍ୱରରେ ପୀଡିତ ଥିବା ବେଳେ ତାଙ୍କର କରୋନା ପଜେଟିଭ ରିପୋର୍ଟ ଆସିଥିଲା। ତେବେ ତାଙ୍କଠାରେ ଅକ୍ସିଜେନ ହ୍ରାସ ଜଣାପଡିବା ପରେ ତାଙ୍କୁ ରାଜୀବ ଗାନ୍ଧି ସୁପରସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟା ବସ୍ଥା ଜଟିଳ ହେବାରୁ ସେଠାରୁ ତାଙ୍କୁ ସାକେତ୍ ମ୍ୟାକ୍ସ ହସ୍ପିଟାଲର ଆଇସିୟୁରେ ରଖି ଚିକିତ୍ସା କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.