୫ ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ଜାରି ହେଲା କଂଗ୍ରେସର ପର୍ଯ୍ୟବେକ୍ଷକ ସୂଚୀ, ଗହଲୋତଙ୍କ ଦାୟିତ୍ୱରେ କେରଳ

Published By : Prameya-News7 Bureau | January 06, 2021 IST

ନୂଆଦିଲ୍ଲୀ ୬।୧: କଂଗ୍ରେସ ବୁଧବାର ଆସାମ, ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ଲାଗି ପର୍ଯ୍ୟବେକ୍ଷକଙ୍କ ସୂଚୀ ଜାରି କରିଛି। ନିର୍ବାଚନ ଅଭିଯାନ ପରିଚାଳନା ଓ ସମନ୍ୱୟ ଲାଗି ଅନେକ ବରିଷ୍ଠ ରାଜନୀତିଜ୍ଞଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ଯେଉଁଥିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେସ ବାଘେଲ ଓ ପାର୍ଟିର ଅନ୍ୟ ବରିଷ୍ଠ ନେତାଙ୍କୁ ଦଳ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି।

ଏ ନେଇ ପାର୍ଟିର ସଙ୍ଗଠନ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଲଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଥିବା ଓ ସେମାନେ ରାଜ୍ୟ ପ୍ରଭାରୀଙ୍କ ସହ ସମନ୍ୱୟ ରକ୍ଷା କରି କାମ କରିବେ ବୋଲି କହିଛନ୍ତି। କଂଗ୍ରେସ ପକ୍ଷରୁ ଜାରି ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସୂଚୀ ଅନୁସାରେ ଭୂପେଶ ବାଘେଲ, ବରିଷ୍ଠ ନେତା ମୁକୁଲ ୱାସିନିକ ଓ ସକିଲ ଅହମ୍ମଦ ଖାନ ଆସାମ ଲାଗି ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି।

କେରଳ ଲାଗି ଅଶୋକ ଗେହଲୋତ, ବରିଷ୍ଠ ନେତା ଲୁଇଜିନୋ ଫ୍ଲେରିଓ ଏବଂ ଜି.ପରମେଶ୍ୱରଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ସେହିପରି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ବରିଷ୍ଠ ନେତା ବି.କେ. ହରିପ୍ରସାଦ, ପଞ୍ଜାବ ରାଜ୍ୟ ସରକାରଙ୍କ ମନ୍ତ୍ରୀ ବିଜୟ ଇନ୍ଦର ସିଂଘଲା ଓ ଝାରଖଣ୍ଡ ସରକାରଙ୍କ ମନ୍ତ୍ରୀ ଆଲମଗୀର ଆଲମଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ତାମିଲନାଡୁ ଓ ପୁଡୁଚେରୀ ଲାଗି ବରିଷ୍ଠ କଂଗ୍ରେସ ନେତା ବୀରପ୍ପା ମୋଇଲୀ, ଏମ.ଏମ. ପଲ୍ଲମ ରାଜୁ ଓ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନିତନ ରାଉତ  ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.