ଋଣ ଟଙ୍କା ହେରଫେର ମାମଲା, କଂଗ୍ରେସ ନେତା ଅହମଦ ପଟେଲଙ୍କ ଜ୍ବାଇଁ ଏବଂ ଅଭିନେତା ଡିନୋ ମୋରିଆଙ୍କ ସମ୍ପତ୍ତି ଜବତ କଲା ଇଡି

Published By : Prameya-News7 Bureau | July 02, 2021 IST

ନୂଆଦିଲ୍ଲୀ ୨/୦୭: ଦିବଂଗତ କଂଗ୍ରେସ ନେତା ଅହମଦ ପଟେଲଙ୍କ ଜ୍ବାଇଁ ଏବଂ ବଲିଉଡ ଅଭିନେତା ଡିନୋ ମୋରିଆଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ବଡ଼ ଆକ୍ସନ। ବ୍ୟାଙ୍କ ଋଣ ହେରଫେର ମାମଲାରେ ଇଡି ସେମାନଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିବା ଜଣାପଡ଼ିଛି।

ଗୁଜୁରାଟର ବ୍ୟବସାୟୀ ସଂଦେସରା ଭାଇଙ୍କ ଦ୍ବାରା ୧୪,୫୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ହେରଫେର ମାମଲାରେ କଂଗ୍ରେସ ନେତା ଅହମଦ ପଟେଲଙ୍କ ଜ୍ବାଇଁ, ଅଭିନେତା ଡିନୋ ମୋରିଆ, ସଞ୍ଜୟ ଖାନ ଏବଂ ଡିଜେ ଅକିଲ୍‌ଙ୍କ ସମ୍ପତ୍ତି ଜବତ କରିଛି ଇଡି। ସେମାନଙ୍କ ପାଖରୁ ଜବତ ହୋଇଥିବା ସମ୍ପତ୍ତିର ମୂଲ୍ୟ ୮.୭୯ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି।

ସେଥିମଧ୍ୟରୁ ସଞ୍ଜୟ ଖାନଙ୍କ  ପାଖରୁ ୩ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିବା ବେଳେ ଡିନୋ ମୋରିଆଙ୍କ ୧.୪ କୋଟି ଟଙ୍କା, ଡିଜେ ଅକିଲଙ୍କ ପାଖରୁ ୧.୯୮ କୋଟି ଏବଂ କଂଗ୍ରେସ ନେତା ଅହମଦ ପଟେଲଙ୍କ ଜ୍ବାଇଁ ଇର୍ଫାନ ଅହମଦ ସିଦ୍ଦିକିଙ୍କ ପାଖରୁ ୨.୪୧ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି।

ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମନି ଲଣ୍ଡରିଂ ମାମଲାରେ ଯାଞ୍ଚ ବେଳେ ସଂଦେସରା ଭାଇ ଏବଂ ଇର୍ଫାନ ସିଦ୍ଦିକିଙ୍କ ମଧ୍ୟରେ ଟଙ୍କା ନେଣଦେଣ ହୋଇଥିବା ଜଣାପଡ଼ିଥିଲା। ଏଥିରେ ଅନ୍ୟ ୩ ଅଭିନେତାଙ୍କ ସମ୍ପୃକ୍ତି ଥିବା ମଧ୍ୟ ଜାଣିବାକୁ ପାଇଥିଲା ଇଡି ।

ଏହି ମାମଲାରେ ୧୪,୫୦୦ କୋଟି ଟଙ୍କାର  ବ୍ୟାଙ୍କ ଋଣ ହେରଫେର ମଧ୍ୟ ସାମିଲ ରହିଛି। ମାମଲାରେ ମୁଖ୍ୟ ଅଭିଯୁକ୍ତ ଷ୍ଟର୍ଲିଂ ବାୟୋଟେକ୍‌ର ମୁଖ୍ୟ ପ୍ରମୋଟର ଏବଂ ନିର୍ଦେଶକ ନୀତିନ ଜୟନ୍ତିଲାଲ ସଂଦେସରା,  ଚେତନକୁମାର ଜୟନ୍ତିଲାଲ  ସଂଦେସରା ଏବଂ ଚେତନଙ୍କ ପତ୍ନୀ ଦୀପ୍ତି ସନ୍ଦେସରା ଫେରାର ଅଛନ୍ତି । ନୀତିନ ଏବଂ ଚେତନକୁମାର ଦୁଇ ଭାଇ ହୋଇଥିବା ବେଳେ ୨୦୧୭ରେ ଅନ୍ୟ ଅଭିଯୁକ୍ତଙ୍କ ସହ ଭାରତ ଛାଡ଼ି ପଳାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.