ଅହମ୍ମଦ ପଟେଲ ଥିଲେ ସୋନିଆ ଗାନ୍ଧୀଙ୍କ ସଙ୍କଟମୋଚକ ଏବଂ କଂଗ୍ରେସ ଦଳର ଚାଣକ୍ୟ, ବିପଦ ବେଳେ ଦଳକୁ ଦେଇଥିଲେ ସୁରକ୍ଷା

Published By : Prameya-News7 Bureau | November 25, 2020 IST

ନୂଆଦିଲ୍ଲୀ ୨୫।୧୧: କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କ ୭୧ ବର୍ଷ ବୟସରେ ଦେହାନ୍ତ ହୋଇଛି । ଅହମ୍ମଦ ପଟେଲଙ୍କ ପରଲୋକରେ କଂଗ୍ରେସକୁ ବଡ ଝଟକା ଲାଗିଛି । ଅହମ୍ମଦ ପଟେଲ କଂଗ୍ରେସ ଦଳର ଚାଣକ୍ୟ ଥିଲେ ବ। ସେ ଅନେକ ସଙ୍କଟ ସମୟରେ ଦଳପାଇଁ ସୁରକ୍ଷା କବଜ ମଧ୍ୟ ହେଉଥିଲେ । ଅହମ୍ମଦ ପଟେଲଙ୍କୁ ସୋନିଆ ଗାନ୍ଧୀଙ୍କ ରାଜନୈତିକ ସଙ୍କଟମୋଚକ କୁହାଯାଉଥିଲା । ଯେତେବେଳେ ଦଳ କିମ୍ବା ସୋନିଆ ଗାନ୍ଧୀ କୌଣସି ରାଜନୈତିକ ସଙ୍କଟ ଦେଇ କରୁଥିଲେ ଅହମ୍ମଦ ପଟେଲ ପ୍ରଚ୍ଛଦପଟରେ ରହି ସେହି ସଙ୍କଟରୁ ରକ୍ଷା କରୁଥିଲେ ।

{"id":367201,"sizeSlug":"large"}

ଦେଶର ରାଜନୈତିକ ଇତିହାସରେ ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ଦଳ ଯେଉଁ ପ୍ରଦର୍ଶନ କରିଛି, ନିର୍ବାଚନ ଜିତିଛି ସେଥିରେ ଅହମ୍ମଦ ପଟେଲଙ୍କର ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିଥିବା ଶୁଣିବାକୁ ମିଳେ । କଂଗ୍ରେସ ଦଳ ପାଇଁ ଅହମ୍ମଦ ପଟେଲ ସେହି ସେନାପତି ଥିଲେ ଯିଏ ସଙ୍କଟର ସାମ୍ନା କରିବାକୁ ସବୁବେଳେ ଆଗରେ ଠିଆହେଉଥିଲେ । ୨୦୦୪ର ଲୋକସଭା ନିର୍ବାଚନ ହେଉ ଅବା ୨୦୦୯ ନିର୍ବାଚନରେ ଅହମ୍ମଦ ପଟେଲଙ୍କ ଯୋଗଦାନ କଂଗ୍ରେସ ଦଳ ସହ ପୁରା ଦେଶ ଦେଖିଥିଲା । ଏହା ବ୍ୟତୀତ ଯଦି କୌଣସି ବିଧାନସଭା ନିର୍ବାଚନରେ ଦଳ ପାଇଁ ସମସ୍ୟା ଉପୁଜୁଥିଲା ତେବେ ସୋନିଆ ଗାନ୍ଧୀଙ୍କୁ ବିଶ୍ବାସ ଥିଲା ଯେ, ଅହମ୍ମଦ ପଟେଲ ସେହି ସମସ୍ୟାର ସମାଧାନ କରିଦେବେ । ସେ ତାଙ୍କ ରାଜନୈତିକ କୌଶଳରୁ ଅନେକ ଥର ଅପ୍ରତ୍ୟକ୍ଷ ଭାବେ କଂଗ୍ରେସର ସରକାର ଗଠନ କରିଥିଲେ । ମାତ୍ର ସେ କେବେ ମନ୍ତ୍ରୀ ହୋଇନଥିଲେ ।

{"id":367204,"sizeSlug":"large"}

ରାଜନୀତି ମହଲରେ ଅହମ୍ମଦ ପଟେଲଙ୍କୁ ବାବୁ ଭାଇ, ଅହମ୍ମଦ ଭାଇ, ଏପି ନାଁରେ ଜଣାଶୁଣା ଥିଲେ । ଦଶନ୍ଧି ଧରି ସେ ନା କେବଳ କଂଗ୍ରେସ ଦଳର ମୁଖ୍ୟ ରଣନୀତିଜ୍ଞ ଥିଲେ ବରଂ କଠିନ ପରିସ୍ଥିତିରେ ଦଳକୁ ସଙ୍କଟରୁ ରକ୍ଷା କରୁଥିବା ରଣନୀତିଜ୍ଞ ମଧ୍ୟ ଥିଲେ । ତାଙ୍କ ବିୟୋଗରେ କଂଗ୍ରେସ ଦଳରେ ଏକ ଅପୂରଣୀୟ କ୍ଷତି ହେବ । କଂଗ୍ରେସ ଦଳ ବର୍ତ୍ତମାନ ସଙ୍କଟ ଦେଇ ଗତି କରୁଛି । ଦଳରେ ଭିତରେ ମଧ୍ୟ ଅସନ୍ତୋଷ ଦେଖାଦେବା ସହ ନିର୍ବାଚନରେ ମଧ୍ୟ ରାଜୟର ମୁହଁ ଦେଖିବାକୁ ପଡିଛି । ଏବେ କଂଗ୍ରେସରେ ଗାନ୍ଧୀ ପରିବାରର ନତୃତ୍ବ ଏବଂ କାର୍ଯ୍ୟଶୈଳୀକୁ ନେଇ ଦଳ ଭିତରେ ଅସନ୍ତୋଷର ସ୍ବର ଉଠୁଛି । ଏଭଳି ସଙ୍କଟ ପରିସ୍ଥିତରେ ଦଳର ଜଣେ ବରିଷ୍ଠ ନେତା ବିୟୋଗ ଦଳକୁ ମର୍ମାହତ କରିଛି ।

{"id":367207,"sizeSlug":"large"}

୧୯୪୯ ମସିହା ଅଗଷ୍ଟ ୨୧ ତାରିଖରେ ଗୁଜରାଟ ଭଚୁରରେ ଜନ୍ମଗ୍ରହଣ କରିଥିଲେ । ଅହମ୍ମଦ ପଟେଲ ୮ ଥର ସାଂସଦ ରହିଥିଲେ । ଅହମ୍ମଦ ପଟେଲ ୨୦୦୧ରୁ ୨୦୧୭ ପର୍ଯ୍ୟନ୍ତ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ରାଜନୈତିକ ସଚିବ ଥିଲେ। ୨୦୧୮ରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ହେବା ପରେ ଅହମ୍ମଦ ପଟେଲଙ୍କୁ କୋଷାଧ୍ୟକ୍ଷ କରାଯାଇଥିଲା। ପୂର୍ବରୁ ଅହମ୍ମଦ ପଟେଲ ୧୯୯୬ରୁ ୨୦୦୦ ପର୍ଯ୍ୟନ୍ତ ଏହି ପଦରେ ଥିଲେ । ତେବେ ରାହୁଲ ଗାନ୍ଧୀଙ୍କ ନେତୃତ୍ବ ସମୟରେ ମଧ୍ୟ ଅହମ୍ମଦ ପଟେଲ ହାଇ କମାଣ୍ଡ ଏବଂ ନେତାଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ଲିଙ୍କ୍ ହୋଇ ରହିଥିଲେ। ୧୦ ବର୍ଷର ୟୁପିଏ ସରକାରରେ ସେ ଲୋ-ପ୍ରୋଫାଇଲ୍ ରହିଥିଲେ ସତ କିନ୍ତୁ ଏହି ସମୟରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୧୯୮୫ରେ ରାଜୀବ ଗାନ୍ଧୀ ଅହମ୍ମଦ ପଟେଲଙ୍କୁ ଓସ୍କର ଫର୍ଣ୍ଣାଣ୍ଡିସ୍ ଏବଂ ଅରୁଣ ସିଂହଙ୍କ ସହ ତାଙ୍କ ସଂସଦୀୟ ସଚିବ ଭାବରେ ନିଯୁକ୍ତ କରିଥିଲେ। ସେହି ସମୟରେ ଏହି ୩ ଜଣଙ୍କୁ ‘ଅମର-ଆକବର-ଆନ୍ଥୋନୀ’ ଗ୍ୟାଙ୍ଗ କୁହାଯାଉଥିଲା। ଅହମ୍ମଦ ପଟେଲ ସେତେବେଳେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.