ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
25/11/2020 at 11:22 AM

ନୂଆଦିଲ୍ଲୀ ୨୫/୧୧ : କଂଗ୍ରେସର ଚାଣକ୍ୟ ତଥା ସୋନିଆ ଗାନ୍ଧୀଙ୍କ ପରାମର୍ଶଦାତା ଅହମଦ ପଟେଲଙ୍କ ପରଲୋକ ହୋଇଛି। ଅହମଦ ପଟେଲଙ୍କ ପାଇଁ ସୋନିଆ ଗାନ୍ଧୀ ଭାରତ ରାଜନୀତିରେ ସ୍ଥାପିତ ହୋଇପାରିଥିଲେ। ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ ଦଳ ସମ୍ଭାଳିବା ଛୋଟ କଥା ନଥିଲା। ଅହମଦ ପଟେଲଙ୍କ ପାଇଁ ସୋନିଆ ଗାନ୍ଧୀ ଦଳ ସମ୍ଭାଳି ପାରିଥିଲେ। ଅହମଦ ପଟେଲ ଗୁଜରାଟ ରାଜ୍ୟସଭା ସାଂସଦ ଥିଲେ। ସେ କଂଗ୍ରେସର କୋଷାଧ୍ୟକ୍ଷ ମଧ୍ୟ ଥିଲେ। ଅହମଦ ପଟେଲ ନିଜ ପରିବାର ପାଇଁ କେତେ ସମ୍ପତ୍ତି ଛାଡି ଯାଇଛନ୍ତି ଜାଣନ୍ତୁ।
myneta.info ୱେବସାଇଟ ଅନୁଯାୟୀ, ଅହମଦ ପଟେଲଙ୍କ ସମ୍ପତ୍ତି ୨୦୧୧ ରୁ ୨୦୧୭ ମସିହା ଭିତରେ ୨୩ ପ୍ରତିଶତ ବୃଦ୍ଧି ହୋଇଛି। ତାଙ୍କ ବାର୍ଷିକ ଆୟ ୧୫ ଲକ୍ଷ ୧୦ ହଜାର ୧୪୭ ଟଙ୍କା ଥିଲା। ନିର୍ବାଚନ ଆୟୋଗ ଦେଇଥିବା ଆଫିଡେଭିଟ୍ ଅନୁଯାୟୀ, ଅହମଦପଟଲଙ୍କ ପତ୍ନୀ ମୈମୁନାଙ୍କ ଆୟ ୨୦ ଲକ୍ଷ ୧୫ ହଜାର ୯୦୦ ଟଙ୍କା। ଉଭୟଙ୍କ ଆୟ ମିଶାଇ ତାଙ୍କର ବାର୍ଷିକ ଆୟ ୩୫ ଲକ୍ଷ ୨୬ ହଜାର ୪୭ ଟଙ୍କା।
ନିର୍ବାଚନ ଆୟୋଗ ଆଫିଡେଭିଟ୍ ଅନୁଯାୟୀ, ଅହମଦ ପଟେଲଙ୍କ ପାଖରେ ୬ କୋଟି ୫୧ ଲକ୍ଷ ୯ ହଜାର ୮୦୩ ଟଙ୍କା ମୂଲ୍ୟର ସମ୍ପତ୍ତି ଅଛି। ଏହାଛଡା ଏକ କୋଟିରୁ ଅଧିକ ଅନ୍ୟ ସଞ୍ଚୟ ମଧ୍ୟ ଅଛି। ତେବେ ତାଙ୍କ ପୁଅ ଝିଅଙ୍କ ଆୟ ସମ୍ପର୍କରେ ଏହି ଆଫିଡେଭିଟରେ କୌଣସି ସୂଚନା ନାହିଁ।
ଅହମଦ ପଟେଲ ୧୯୪୯ ଅଗଷ୍ଟ ୨୧ ତାରିଖରେ ଗୁଜରାଟ ଭଋଚ ଜିଲ୍ଲା ପିରମଣ ଗାଁରେ ଜନ୍ମ ହୋଇଥିଲେ। ସେ ୩ଥର ଲୋକସଭା ସାଂସଦ ଓ ୫ଥର ରାଜ୍ୟସଭା ସାଂସଦ ଥିଲେ। ସେ ୧୯୭୭ ମସିହାରେ ଭାଋଚ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ ଓ ୬୨ ହଜାର ୮୭୯ ଭୋଟରୁ ବିଜୟୀ ହୋଇଥିଲେ। ସେତେବେଳେ ତାଙ୍କୁ ୨୮ ବର୍ଷ ବୟସ ହୋଇଥିଲା। ୨୦୦୧ ମସିହାରୁ ଅହମଦ ପଟେଲ ସୋନିଆ ଗାନ୍ଧୀଙ୍କ ପରାମର୍ଶଦାତା ଥିଲେ। ୧୯୮୬ ମସିହାରେ ସେ ଗୁଜରାଟ କଂଗ୍ରେସ ଅଧ୍ୟକ୍ଷ ହୋଇଥିଲେ। ୧୯୭୭ ରୁ ୧୯୮୨ ଯୁବ କଂଗ୍ରେସ କମିଟି ଅଧ୍ୟକ୍ଷ ଥିଲେ।