ଏସସିବିରୁ ଡିସଚାର୍ଜ ହେଲେ ଆଶୀର୍ବାଦ ବେହେରା, ଗତକାଲି ହାଇକୋର୍ଟରୁ ମିଳିଥିଲା ଜାମିନ୍

Published By : Prameya-News7 Bureau | November 27, 2019 IST

କଟକ ୨୭।୧୧: କଟକ ଏସସିବିରୁ ଡିସଚାର୍ଜ ହେଲେ ଆଶୀର୍ବାଦ ବେହେରା । ଗତକାଲି ହାଇକୋର୍ଟରୁ ଜାମିନ୍ ପାଇବା ପରେ ଆଜି ଡିସଚାର୍ଜ ହୋଇଛନ୍ତି । ତେବେ ଜିସଚାର୍ଜ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଆଶୀର୍ବାଦ । ସତ୍ୟ ଓ ନ୍ୟାୟର ଜୟ ହେବ । ନ୍ୟାୟ ପାଳିକା ଉପରେ ତାଙ୍କର ବିଶ୍ବାସ ଅଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଏଟି ଲିଙ୍କ୍ ମାମଲାରେ ଛନ୍ଦି ହୋଇ ସିବିଆଇ ଦ୍ବାରା ଗିରଫ ହୋଇଥିବା ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଗତକାଲି ହାଇକୋର୍ଟରୁ ମିଳିଥିଲା ସର୍ତ୍ତମୂଳକ ଜାମିନ୍ । ଦେଢ ଲକ୍ଷ ଟଙ୍କାର ସିଓରିଟି ସହ ୨ ଜଣ ଜାମିନଦାରଙ୍କ ବଦଳରେ ସେ ଜାମିନ ପାଇଥିଲେ । ଏହା ସହିତ ତଦନ୍ତକାରୀ ସଂସ୍ଥା ନିକଟରେ ସେ ନିଜର ପାସପୋର୍ଟ ଦାଖଲ କରିବେ ଆଶୀର୍ବାଦ ଏବଂ ତଦନ୍ତ ପ୍ରକ୍ରିୟାରେ ସମସ୍ତ ସହଯୋଗ କରିବେ ବୋଲି ସର୍ତ୍ତ ରଖିଥିଲେ ହାଇକୋର୍ଟ ।

ଅର୍ଥତତ୍ବ ଚିଟ୍‌ଫଣ୍ଡ ଲିଙ୍କ୍ ମାମଲାରେ ଆଶୀର୍ବାଦଙ୍କୁ ଗିରଫ କରିଥିଲା ସିବିଆଇ । ଗତ ସେପ୍ଟେମ୍ବର ମାସ ୧୯ ତାରିଖ ସକାଳୁ ଆଶୀର୍ବାଦଙ୍କୁ ତାଙ୍କ କଟକ ସ୍ଥିତ ବାସଭବନକୁ ସିବିଆଇ ଗିରଫ କରିଥିଲା । ଏଟି ଲିଙ୍କ୍ ମାମଲାରେ ତାଙ୍କ ନାଁରେ ଓ୍ବାରେଣ୍ଟ ଥିବା ଦର୍ଶାଇ, ସିବିଆଇ ଆଶୀର୍ବାଦଙ୍କୁ ଗିରଫ କରିଥିଲା । ତେବେ ଅସୁସ୍ଥତା କାରଣରୁ ଆଶୀର୍ବାଦଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ୨୦୧୧ ମସିହାରେ ହୋଇଥିବା ଓଡିଶା ପ୍ରିମିଅର ଲିଗ୍ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ପ୍ରାୟୋଜକ ଥିଲା ଅର୍ଥତତ୍ବ । ଟୁର୍ଣ୍ଣାମେଣ୍ଟ ବାବଦରେ ଏଟି ଗ୍ରୁପ ୧ କୋଟି ଟଙ୍କା ଦେଇଥିଲା, ଉକ୍ତ ଅର୍ଥରାଶିର ବ୍ୟାପକ ହେରଫେର ହୋଇଥିବାର ଅଭିଯୋଗ ହେବା ସହିତ, ସେଥିରେ ତତ୍କାଳୀନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ସମ୍ପୃକ୍ତି ଥିବାର ମଧ୍ୟ ଅଭିଯୋଗ ହୋଇଥିଲା, ତେବେ ୨୦୧୪ ପରଠାରୁ ଆଶୀର୍ବାଦ ସିବିଆଇର ସମନ ପାଇ ବାରମ୍ବାର ଜେରାର ସମ୍ମୁଖୀନ ହୋଇଥିଲେ, କିନ୍ତୁ ମାମଲାର ଚାର୍ଜସିଟ୍ ଦାଖଲ ପରେ ଆଶୀର୍ବାଦଙ୍କ ନାଁରେ ଓ୍ବାରେଣ୍ଟ ଇସ୍ୟୁ ହୋଇଥିଲା । ଯାହା ବଳରେ ଗତ ସେପ୍ଟେମ୍ବର ୧୯ରେ ଗିରଫ ହୋଇଥିଲେ ଆଶୀର୍ବାଦ ବେହେରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.