Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

‘ଲାଲ ଟୋପିବାଲା ହେଉଛନ୍ତି ରେଡ୍‌ ଆଲର୍ଟ, ଏମାନେ ଆତଙ୍କବାଦୀଙ୍କ ସମର୍ଥକ, ୟୁପିରେ ପୁଣି ଡବଲ ଇଞ୍ଜିନ୍‌ ସରକାର’: ଅଖିଳେଶଙ୍କୁ ଟାର୍ଗେଟ୍ କରି ବର୍ଷିଲେ ମୋଦି

7/12/2021 at 5:08 PM

ଗୋରଖପୁର ୦୭/୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତର ପ୍ରଦେଶର ଗୋରଖପୁର ଗସ୍ତ କରିଛନ୍ତି । ସେଠାରେ ପହଞ୍ଚି ଏମ୍ସ, କମ୍ପୋଷ୍ଟ କାରଖାନାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାପରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ୟୁପିବାସୀଙ୍କୁ ସମ୍ବୋଧିତ କରିବା ସହିତ ସମାଜବାଦୀ ପାର୍ଟି ଉପରେ ବର୍ଷିଛନ୍ତି । ଅଖିଳେଶ ଯାଦବଙ୍କ ଟାର୍ଗେଟ କରି ମୋଦି କହିଛନ୍ତି, ‘ଲାଲ୍ ଟୋପି ପିନ୍ଧିଥିବା ବ୍ୟକ୍ତି ସରକାର କରିବାକୁ ଚାହୁଁଛନ୍ତି । ସରକାରକୁ ଆସିଲେ ଘୋଟାଲା କରିବାକୁ ସୁବିଧା ହେବ । ଘୋଟାଲା କରିବାକୁ ସରକାରକୁ ଆସିବାକୁ ଚାହୁଁଛନ୍ତି । ଲାଲ ଟୋପିବାଲାଙ୍କୁ କେବଳ ସତ୍ତା ଆଉ ଲାଲ ବତୀରେ ହିଁ ମତଲବ । ଏଭଳି ଲୋକ ଉତ୍ତର ପ୍ରଦେଶ ପାଇଁ ରେଡ୍‌ ଆଲର୍ଟ ।’

ସମାଜବାଦୀ ପାର୍ଟିକୁ ଟାର୍ଗେଟ କରି ମୋଦି କହିଛନ୍ତି, ‘ଆତଙ୍କବାଦୀଙ୍କୁ ଦୟା ଦେଖାଇବା ଆଉ ଆତଙ୍କୀଙ୍କୁ ଛାଡିବା ପାଇଁ ସରକାର ଗଢିବାକୁ ଚାହୁଁଛନ୍ତି ଲାଲ ଟୋପି ବାଲା । ୟୁପିରେ ଘୋଟାଲା କରିବାକୁ ଏମାନେ ସତ୍ତାକୁ ଆସିବାକୁ କଳବଳ କୌଶଳ ଲଗାଇଦେଇଛନ୍ତି । ଏ ଦଳ ୟୁପିବାସୀଙ୍କ ପାଇଁ ସତର୍କ ଘଣ୍ଟି । ଲୋକମାନେ ଏମାନଙ୍କୁ ଆଜିଠାରୁ ଚିହ୍ନିବା ଦରକାର ।’

ମୋଦି କହିଛନ୍ତି, ‘ପୂର୍ବରୁ ଅପରାଧିମାନଙ୍କୁ ସୁରକ୍ଷା ଦେଇ ଏମାନେ ନାଁ ବଦନାମ କରିସାରିଛନ୍ତି । ଆଜି ମାଫିଆ ମାନେ ଜେଲରେ ଅଛନ୍ତି । ବ୍ୟବସାୟୀମାନେ ଖୋଲାଖୋଲି ଭାବେ ବ୍ୟବସାୟ କରିବାକୁ ଆଗକୁ ଆସୁଛନ୍ତି । ପୂର୍ବଭଳି ଆଉ ତାଙ୍କ ମନରେ ଭୟ ନାହିଁ କାରଣ ମାଫିଆ ଏବଂ ଗୁଣ୍ଡାମାନେ ସବୁ ଭିତରେ । ଡବଲ ଇଞ୍ଜିନ୍‌ର ଡବଲ ବିକାଶ ୟୁପିରେ ହେଉଛି । ସେଥିପାଇଁ ଡବଲ ଇଞ୍ଜିନ ସରକାର ଉପରେ ଲୋକଙ୍କ ଭରସା ରହିଛି।’

ଆସନ୍ତାବର୍ଷ ଉତ୍ତର ପ୍ରଦେଶରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ସେଠାରେ ଏବେଠାରୁ ହିଁ ରାଜନୀତି ସରଗରମ ହୋଇଗଲାଣି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପରେ ଏହା ସ୍ପଷ୍ଟ ହୋଇଛି । କ୍ଷମତାରେ ଥିବା ବିଜେପି ପାଇଁ ଆସନ୍ତା ନିର୍ବାଚନରେ କଣ୍ଟା ସାଜିବ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି । ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଲଗାତାର ଭାବେ ଅଡୁଆରେ ପକାଉଛନ୍ତି ଅଖିଳେଶ । ଲୋକ ସମର୍ଥନ ମଧ୍ୟ ବୃଦ୍ଧିପାଇଥିବା ଦେଖିବାକୁ ମିଳୁଛି । ଏହା ସହିତ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେ ବିଜେପିର ଚିନ୍ତା ବଢାଇଦେଇଛି । ଅଖିଳେଶ ଯାଦବଙ୍କ ପାର୍ଟି ଜୋରଦାର ଟକ୍କର ଦେବାକୁ ଏବେ ଠାରୁ ତୟାର ହେଲାଣି ।

   Related Posts