Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାଲି ୟେଦ୍ୟୁରପ୍ପା ଦେବେ ଶକ୍ତି ପରୀକ୍ଷା : ୧୪ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି, ବିଜେପିକୁ ସୁହାଇଲା ପରିସ୍ଥିତି

28/07/2019 at 5:30 PM

ବେଙ୍ଗାଲୁରୁ ୨୮|୭: କର୍ଣ୍ଣାଟକରେ କୁମାରସ୍ବାମୀ ସରକାର ସିନା ଭାଙ୍ଗିଲା କିନ୍ତୁ ୟେଦ୍ୟୁରପ୍ପାଙ୍କ ସରକାର ଗଠନକୁ ନେଇ ଚାଲିରହିଛି ଛକାପଞ୍ଝା । ବାଚସ୍ପତି ରମେଶ କୁମାର ଇସ୍ତଫା ଦେବେନି ବୋଲି ଅଡ଼ି ରହିଛନ୍ତି ସେପଟେ ସେ ବିଦ୍ରୋହୀ ଆଉ ୧୪ ବିଧାୟକଙ୍କୁ ନିଲମ୍ବନ କରିବ ସହିତ ୩ ବର୍ଷ ଯାଏଁ ନିର୍ବାଚନ ଲଢ଼ିବା ଉପରେ କଟକଣା ଲଗାଇଛନ୍ତି।

କାଲି ୟେଦ୍ୟୁରପ୍ପା ଦେବେ ଶକ୍ତି ପରୀକ୍ଷା। ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ। ଆଉ ଏତିକିବେଳେ ବାଚସ୍ପତି କେ ଆର ରମେଶ କୁମାର ପୂର୍ବରୁ ବିଦ୍ରୋହ ଘୋଷଣା କରିଥିବା ୧୪ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧ ଜଣ କଂଗ୍ରେସର ଏବଂ ୩ ଜଣ ଜେଡିଏସର । ପୂର୍ବରୁ ମଧ୍ୟ ୩ ଜଣଙ୍କ ବିରୋଧରେ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏବେ ମୋଟ ୧୭ ଜଣଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି ବାଚସ୍ପତି।

ତେବେ ବାଚସ୍ପତିଙ୍କ ଏହି ପଦକ୍ଷେପ ୟେଦ୍ୟୁରପ୍ପାଙ୍କୁ ସୁହାଇବ। କାରଣ ୧୭ ଜଣ ବିଧାୟକଙ୍କୁ ନିଲମ୍ବନ କଲେ ଏବେ ଗୃହର ପୂର୍ଣ୍ଣ ସଦସ୍ୟ ବାଚସ୍ପତିଙ୍କୁ ଛାଡ଼ି ୨୨୪ରୁ ଖସିଆସିବ ୨୦୭କୁ। ଏଥିରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ଦରକାର ୧୦୪ ସଦସ୍ୟଙ୍କ ସମର୍ଥନ। ଏତିକିବେଳେ ବିଜେପି ପାଖରେ ଅଛନ୍ତି ଜଣେ ସ୍ବାଧୀନ ବିଧାୟକଙ୍କୁ ମିଶାଇ ୧୦୬ ସଦସ୍ୟ ଅଛନ୍ତି। ତେଣୁ ସଖ୍ୟାଗରିଷ୍ଠତା ପରୀକ୍ଷାରେ ନିଶ୍ଚୟ ଜିତିବେ ବୋଲି କହିଲେଣି ବି.ଏସ. ୟେଦ୍ୟୁରପ୍ପା ।

ସେପଟେ ସରକାର ପରିବର୍ତ୍ତନ ସହିତ  ବାଚସ୍ପତି ଇସ୍ତଫା ଦେଇଥାନ୍ତି। କିନ୍ତୁ ଏପର୍ଯ୍ୟନ୍ତ କେ ଆର ରମେଶ ଇସ୍ତଫା ଦେଇନଥିବାରୁ ବିଜେପି ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ଲାଗି ଚିନ୍ତା କରୁଛି। ତେବେ କର୍ଣ୍ଣାଟକ ନାଟକର ଏକ ଗୁରୁତ୍ବପୂର୍ଣ୍ଣ ସିନ୍‌ କାଲି ହିଁ ସଂପାଦିତ ହେବ।

   Related Posts