ଆହାର କେନ୍ଦ୍ର ପାଇଁ ଗାଇଡଲାଇନ୍ ଜାରି, ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବ

Published By : Prameya-News7 Bureau | March 17, 2020 IST

ଭୁବନେଶ୍ବର ।୩: କରୋନା ସ୍ଥିତି ସତ୍ତ୍ବେ ରାଜ୍ୟର ସବୁ ଆହାର କେନ୍ଦ୍ର ପୂର୍ବଭଳି ଖୋଲା ରହିବ । କିନ୍ତୁ ସମୟ ଅବଧି ବଢିଲା । ଏଣିକି ୬ଘଣ୍ଟା ଖୋଲା ରହିବ ଆହାର କେନ୍ଦ୍ର । ଏନେଇ ଗୃହ ଏବଂ ନଗର ଉନ୍ନୟନ ବିଭାଗ ସଚିବ ସୂଚନା ଦେଇଛନ୍ତି । ତେବେ ଆହାର କେନ୍ଦ୍ର ଲାଗି ଗାଇଡଲାଇନ୍ ଜାରି କରାଯାଇଛି ।

ଆହାର କେନ୍ଦ୍ରରେ ଭିଡ କମାଇବା ଲାଗି ସମୟ ସୀମା କୋହଳ କରାଯାଇଛି । ଏଣିକି ଆହାର କେନ୍ଦ୍ର ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବ । ଆହାର କେନ୍ଦ୍ରରେ ଲୋକେ ପରସ୍ପରଠାରୁ ଦେଢ ମିଟର ଦୂରତା ରଖି ଧାଡିରେ ଠିଆ ହେବାକୁ ପରାମର୍ଶ ଦିଆଯାଇଛି । ଆହାର କେନ୍ଦ୍ରରେ ଶୃଙ୍ଖଳା ଲାଗି ପୋଲିସର ସହାୟତା ନିଆଯିବ । ଆହାର କେନ୍ଦ୍ର ବାହାରେ ପ୍ରବେଶ ପଥରେ ହାତ ଧୋଇବା ଲାଗି ସାବୁନ ବା ଲିକ୍ବିଡ ସୋପ୍ ରଖିବା ବ୍ୟବସ୍ଥା କରାଯିବ । ଧାଡିରେ ଠିଆ ହେବା ଆଗରୁ ଲୋକମାନେ ହାତ ଭଲକରି ଧୋଇବା ଲାଗି କୁହାଯାଇଛି । ଆହାରା କେନ୍ଦ୍ରରେ ଭିଡ ନବଢାଇବା ଲାଗି ସମସ୍ତ ବ୍ୟବସ୍ଥା କରାଯିବ ।

ଆବଶ୍ୟକ ପଡିଲେ ଖାଦ୍ୟ ପ୍ଲେଟ୍ ଧରି ଲୋକେ କେନ୍ଦ୍ର ବାହାରକୁ ଚାଲି ଯିବାକୁ କୁହାଯାଇଛି । ଡଷ୍ଟବିନ୍ କୁ କେନ୍ଦ୍ର ବାହାରେ ରଖାଯିବ । ଖାଦ୍ୟ ଟୋକନ୍ ନେବା ଲାଗି ଲୋକେ ହାତକୁ ଟଙ୍କା ନଦେଇ ଏଥିଲାଗି ଥିବା ବାକ୍ସରେ ଟଙ୍କା ପକାଇବାକୁ କୁହାଯାଇଛି । ଟୋକନ୍ କାଉଣ୍ଟରକୁ ସାନିଟାଇଜ କରାଯିବ । ଭିଡ କମାଇବା ଲାଗି ଆହାର କେନ୍ଦ୍ର ବାହାରେ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆହାର କେନ୍ଦ୍ରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଲାଗି ନିୟମିତ ଭାବରେ କୀଟାଣୁନାଶକ ବ୍ୟବହାର କରାଯିବ । ଆହାର କେନ୍ଦ୍ର କର୍ମଚାରୀମାନେ ଗାଇଡଲାଇନ ସଂପର୍କରେ ସଚେତନ ରହିବା ଉଚିତ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.