ଅହମ୍ମଦାବାଦରେ ଏକାଧିକ ରେକର୍ଡ ହାସଲ କଲେ ଅକ୍ଷର ପଟେଲ, ଅନେକ ମହାନ ବୋଲରଙ୍କୁ ପକାଇଲେ ପଛରେ...

Published By : Prameya-News7 Bureau | February 26, 2021 IST

ଅହମ୍ମଦାବାଦ, ୨୬/୦୨:  ଅହମ୍ମଦାବାଦରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୧୦ ଓ୍ୱିକେଟରେ ପରାସ୍ତ କରିଛି । ଭାରତ ବିଜୟର ହିରୋ ହେଉଛନ୍ତି ଅକ୍ଷର ପଟେଲ । ସେ ଏହି ଟେଷ୍ଟରେ ୧୧ଟି ଓ୍ୱିକେଟ ଅକ୍ତିଆର କରିଛନ୍ତି । ଏହାସହ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମଧ୍ୟ ମିଳିଛି । ଏହାସହ ସେ ଦିବାରାତ୍ର ଟେଷ୍ଟରେ ୧୧ ଓ୍ୱିକେଟ୍ ନେଇଥିବା ପ୍ରଥମ ବୋଲର ହୋଇଛନ୍ତି ।

ଅକ୍ଷର ପ୍ରଥମ ପାଳିରେ ୩୮ ରନ ଦେଇ ଇଂଲଣ୍ଡର ୬ ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ । ଏତତ୍ ବ୍ୟତୀତ ଦ୍ୱିତୀୟ ଇନିଂସରେ ସେ ୩୨ ରନ୍ ଦେଇ ୫ ଓ୍ୱିକେଟ୍ ନେଇଥିଲେ । ଅକ୍ଷରଙ୍କ ପୂର୍ବରୁ ଦିବା ରାତ୍ର ଟେଷ୍ଟରେ ସର୍ବାଧିକ ଓ୍ୱିକେଟ୍ ନେଇଥିବା ରେକର୍ଡ ଅଷ୍ଟ୍ରେଲିଆ ବୋଲର ପ୍ୟାଟ୍ କ୍ୟୁମିନ୍ସଙ୍କ ନାମରେ ରହିଥିଲା । ସେ ବ୍ରିସବେନରେ ଶ୍ରୀଲଙ୍କା ବିପକ୍ଷରେ ୬୨ ରନ୍ ଦେଇ ୧୦ ଓ୍ୱିକେଟ୍ ନେଇଥିଲେ । ସେହିପରି ଓ୍ୱେଷ୍ଟ ଇଣ୍ଡିଜର ଦେବେନ୍ଦ୍ର ବିଶୁ ଦୁବାଇରେ ପାକିସ୍ତାନ ବିପକ୍ଷରେ ୧୭୪ ରନ୍ ଦେଇ ୧୦ ଓ୍ୱିକେଟ୍ ଅକ୍ତିଆର କରିଥିଲେ ।

wp:html /wp:html

ଏହାବ୍ୟତୀତ ଅକ୍ଷର ଉଭୟ ଇନିଂସରେ ୫ ଓ୍ୱିକେଟ ନେଇଥିବା ତୃତୀୟ ଭାରତୀୟ ବୋଲର ହୋଇଛନ୍ତି । ତାଙ୍କ ପୂର୍ବରୁ ଲକ୍ଷ୍ମଣ ଶିବାରାମକୃଷ୍ଣନ ଓ ଆର ଅଶ୍ୱିନ ଏହି କାରନାମା କରିଥିଲେ । ଅକ୍ଷର ହେଉଛନ୍ତି ଦ୍ୱିତୀୟ ଭାରତୀୟ ବୋଲର ଯିଏ କି ନିଜ କ୍ୟାରିଅରର ପ୍ରଥମ ୨ଟି ମ୍ୟାଚରେ ୩ ଥର ୫ ଓ୍ୱିକେଟ୍ ନେଇଛନ୍ତି । ପୂର୍ବରୁ ନରେନ୍ଦ୍ର ହିରଓ୍ୱାନୀ ଏହି କାରନାମା କରିଥିଲେ ।

ସୂଚନାଯୋଗ୍ୟ, ଅକ୍ଷର ନିଜ ଟେଷ୍ଟ କ୍ୟାରିଅରର ଆକର୍ଷଣୀୟ ଆରମ୍ଭ କରିଛନ୍ତି । ଏବେସୁଦ୍ଧା ଖେଳାଯାଇଥିବା ୨ଟି ଟେଷ୍ଟରେ ସେ ୧୮ ଓ୍ୱିକେଟ୍ ନେଇ ସାରିଛନ୍ତି । ଚେନ୍ନାଇରେ ସେ ଇଂଲଣ୍ଡ ବିପକ୍ଷରେ ପଦାର୍ପଣ କରିଥିଲେ । ଏହି ମୁକାବିଲାରେ ସେ ୭ ଓ୍ୱିକେଟ୍ ନେଇଥିଲେ । ପ୍ରଥମ ପାଳିରେ ୨ ଓ ଦ୍ୱିତୀୟ ପାଳିରେ ସେ ୫ ଓ୍ୱିକେଟ୍ ନେଇଥିଲେ ।

ଦୁଇଟି ଟେଷ୍ଟରେ ଅକ୍ଷରଙ୍କ ଆଭରେଜ ରହିଛି ୯.୪୪ । ତାଙ୍କ ଷ୍ଟ୍ରାଇକ୍ ରେଟ୍ ୨୫.୮ ରହିଛି । ସେ ବିଶ୍ୱ କ୍ରିକେଟରେ ସବୁଠାରୁ ଭଲ ଆଭରେଜ ଓ ଷ୍ଟ୍ରାଇକ୍ ରେଟ ସହ ୧୫ରୁ ଅଧିକ ଓ୍ୱିକେଟ୍ ନେଇଥିବା ବୋଲର ହୋଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.