କୃଷକ ଆନ୍ଦୋଳନ ଉପରେ ସୁପ୍ରିମକୋର୍ଟଙ୍କ କମିଟି: ଜାଣନ୍ତୁ କିଏ ଏହି ୪ ବ୍ୟକ୍ତି, ଯିଏ ଶୁଣିବେ କୃଷକଙ୍କ କଥା ଓ ବ୍ୟଥା
12/01/2021 at 3:51 PM

ନୂଆଦିଲ୍ଲୀ ୧୨।୦୧: କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣିତ ତିନି ନୂତନ କୃଷି ଆଇନ୍ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି। କୋର୍ଟ ମଙ୍ଗଳବାର ଏହି ନିଷ୍ପତ୍ତି ଶୁଣାଇ ମାମଲାର ସମାଧାନ ପାଇଁ ଚାରି ସଦସ୍ୟ କମିଟି ଗଠନ କରିଛନ୍ତି। ଏହି କମିଟି ମାମଲାରେ ମଧ୍ୟସ୍ଥତା କରିବେ ନାହିଁ ବରଂ ସମାଧାନର ରାସ୍ତା ବାହାର କରିବେ। ଏହି କମିଟି କୃଷକଙ୍କ ସମସ୍ୟା ଶୁଣିବା ସହିତ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ୍କୁ ମଧ୍ୟ ତର୍ଜମା କରିବେ।
ଏହି କମିଟିରେ ଭାରତୀୟ କିଷାନ ୟୁନିୟନର ଭୂପିନ୍ଦର ସିଂହ ମାନ, ଶେତକାରୀ ସଂଗଠନର ଅନିଲ ଧନବଟ, କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟୀ ଓ ଅନ୍ତରାଷ୍ଟ୍ରୀୟ ଖାଦ୍ୟ ନୀତି ଅନୁସନ୍ଧାନ ସଂସ୍ଥାନର ପ୍ରମୋଦ କେ ଯୋଶୀ ସାମିଲ। ଏହି କମିଟି ନିଜର ରିପୋର୍ଟ ସିଧାସଳଖ ସୁପ୍ରିମକୋର୍ଟକୁ ପ୍ରଦାନ କରିବେ। ଯେ ପର୍ଯ୍ୟନ୍ତ କମିଟି ରିପୋର୍ଟ ଉପସ୍ଥାପନ କରି ନାହାନ୍ତି ସେ ପର୍ଯ୍ୟନ୍ତ ନୂତନ କୃଷି ଆଇନ ଉପରେ ରହିତାଦେଶ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।
ଭୂପିନ୍ଦର ସିଂହ ମାନ

ଭୂପିନ୍ଦର ସିଂହ ମାନ ଭାରତୀୟ କିଷାନ ୟୁନିୟନର ସଭାପତି ଏବଂ ପୂର୍ବତନ ରାଜ୍ୟସଭା ସାଂସଦ। କୃଷକ ସଂଘର୍ଷରେ ତାଙ୍କର ଯୋଗଦାନକୁ ଦୃଷ୍ଟିରେ ରଖି ୧୯୯୦ରେ ରାଷ୍ଟ୍ରପତିଙ୍କ ପକ୍ଷରୁ ମାନଙ୍କୁ ରାଜ୍ୟସଭାର ସଦସ୍ୟ ଭାବେ ମନୋନୀତ କରାଯାଇଥିଲା। ଏବେ ସୁପ୍ରିମକୋର୍ଟ ନୂତନ କୃଷି ଆଇନକୁ ନେଇ ସରକାର ଓ କିଷାନ ସଂଗଠନ ମଧ୍ୟରେ ଜାରି ଗତିରୋଧକୁ ସମାପ୍ତ କରିବା ଲାଗି ୪ ସଦସ୍ୟ ବିଶିଷ୍ଟ କମିଟିରେ ତାଙ୍କୁ ସାମିଲ କରିଛନ୍ତି।
ପ୍ରମୋଦ କୁମାର ଯୋଶୀ

ପ୍ରମୋଦ କୁମାର ଯୋଶୀ ଅନ୍ତରାଷ୍ଟ୍ରୀୟ ଖାଦ୍ୟ ନୀତି ଅନୁସନ୍ଧାନ ସଂସ୍ଥାନର ପ୍ରମୋଦ କେ ଯୋଶୀ ସାମିଲ। ସେ ଜଣେ ଜଣାଶୁଣ କୃଷି ବିଶେଷଜ୍ଞ। ସେ ଅନେକ ପ୍ରତିଷ୍ଠିତ ସଂସ୍ଥାରେ ବିଶେଷଜ୍ଞ ପଦରେ ରହି ସାରିଛନ୍ତି।
ଅଶୋକ ଗୁଲାଟୀ

ସୁପ୍ରିମକୋର୍ଟ କୃଷି ଅର୍ଥଶାସ୍ତ୍ରୀ ଅଶୋକ ଗୁଲାଟୀଙ୍କୁ ମଧ୍ୟ ଏହି କମିଟିର ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି। ଗୁଲାଟୀ ସଂପ୍ରତି ICRIERର ପ୍ରଫେସର ଅଛନ୍ତି। ନିଜର ଲେଖନୀ ଏବଂ ଗବେଷଣା ପେପରରେ ଗୁଲାଟୀ କୃଷକଙ୍କ ଉତ୍ପାଦନକୁ ନେଇ ସ୍ଵର ଉଠାଇ ଆସିଛନ୍ତି।
ଅନିଲ ଧନବଟ

ସର୍ବୋଚ୍ଚ ନ୍ୟାୟାଳୟ ମହାରାଷ୍ଟ୍ରର ଶିବକେରୀ ସଂଗଠନର ଅନିଲ ଧନବଟଙ୍କୁ ମଧ୍ୟ ଏହି କମିଟିରେ ସାମିଲ କରିଛନ୍ତି। ଶେତକାରୀ ସଂଗଠନର ସଭାପତି ଧନବଟଙ୍କ ଏହି ସଂଗଠନ ସହିତ ଲକ୍ଷାଧୀଖ କୃଷକ ଜଡିତ ଅଛନ୍ତି। ଏହି ସଂଗଠନର ମହାରାଷ୍ଟ୍ରର କୃଷକଙ୍କ ଉପରେ ବ୍ୟାପକ ପ୍ରଭାବ ରହିଛି।