କୀଟ ଆକ୍ରମଣରୁ ଫସଲ ରକ୍ଷା କରୁଛନ୍ତି କୃଷି ବିଜ୍ଞାନ ଛାତ୍ରଛାତ୍ରୀ

Published By : Prameya-News7 Bureau | August 28, 2019 IST

ଭୁବନେଶ୍ୱର ୨୮।୮ : ୨୦୧୭-୨୦୧୮ ମସିହାରେ ପଶ୍ଚିମ ଓଡ଼ିଶାରେ ଚକଡା ପୋକ ଆକ୍ରମଣ ଯୋଗୁଁ ପ୍ରାୟ ୧.୨୮ ଲକ୍ଷ ହେକ୍ଟର ଜମିରେ ଖରିପ୍ ଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା । ଏହା ଦ୍ୱାରା କୃଷକମାନେ ବିପୁଳ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିଲେ । ପରବର୍ତୀ ବର୍ଷ ଏହି ଭୟ ପୁଣି ଥରେ ଚାଷୀମାନଙ୍କୁ ଘାରି ଥିଲା । ତେବେ କୀଟ ଆକ୍ରମଣ ଯୋଗୁଁ ଜମିରେ ନଷ୍ଟ ହେବାର ପରିମାଣ କମିଯାଇ ମାତ୍ର ୧୦,୫୦୦ ହେକ୍ଟରରେ ସୀମିତ ରହିଥିଲା । ରାଜ୍ୟ ସରକାର ଓଡିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ବିଏସ୍ସି (କୃଷି) ଛାତ୍ରଛାତ୍ରୀମାନଙ୍କୁ କୃଷକମାନଙ୍କୁ ସଚେତନ କରାଇବା କାର୍ଯ୍ୟରେ ନିୟୋଜିତ କରାଇବା ଫଳରେ ଫସଲ ନଷ୍ଟର ପରିମାଣ ଯଥେଷ୍ଟ କମି ପାରିଥିଲା । ଓୟୁଏଟି ଛାତ୍ରଛାତ୍ରୀମାନେ ପୂର୍ବରୁ ଫସଲ କ୍ଷତି ହୋଇଥିବା ୫୭ ଟି ବ୍ଲକ ବୁଲିବା ସହ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ ଓ ସେମାନେ କିଭଳି ଫସଲରେ କୀଟନାଶକ ଏବଂ ଉତମ କୃଷି ଭିତିକ ପଦ୍ଧତିର ବ୍ୟବହାର କରିବେ ସେ ନେଇ ସଚେତନ କରାଇଥିଲେ । ଯାହା ଦ୍ୱାରା କି ଅନେକ ଫସଲ ନଷ୍ଟ ହେବାରୁ ବର୍ତି ପାରିଥିଲା । କୃଷି ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କୁ ଫସଲ ନଷ୍ଟ ହେଉଥିବା ସ୍ଥାନକୁ ପଠାଇ କୃଷକମାନଙ୍କୁ ଉପଯୁକ୍ତ ଶିକ୍ଷା ଏବଂ ବାଟ ଦେଖାଇବା ଓ ଏ ସମ୍ପର୍କରେ ସେମାନଙ୍କର ମତାମତକୁ ନେଇ ପଦକ୍ଷେପ ନେବା ଦ୍ୱାରା ଫସଲ ରକ୍ଷା କାର୍ଯ୍ୟ ସଫଳ ହୋଇପାରିଥିଲା ବୋଲି କହିଛନ୍ତି କୃଷି ଏବଂ ଖାଦ୍ୟ ଉତ୍ପାଦନ ବିଭାଗର ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର । ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଠାରେ ଦ୍ୱିତୀୟ ବ୍ୟାଚ୍ କୃଷି ଉନ୍ନତ ସହଯୋଗୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅବସରରେ ଡ. ମୁଥୁକୁମାର କହିଛନ୍ତି ଯେ ଏହି କାର୍ଯ୍ୟ ଉଭୟ ଛାତ୍ରଛାତ୍ରୀ ଏବଂ ସରକାରଙ୍କ ପାଇଁ ବଡ଼ ସଫଳତା ଆଣି ପାରିଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସୋଆ ଏବଂ ସେଂଚୁରିଅନ୍ ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ବିଏସ୍ସି (କୃଷି) ବିଭାଗର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଏହି ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ୧ ତାରିଖରୁ ଦୁଇ ମାସ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ବିଭିନ୍ନ ବ୍ଲକ୍କୁ ଯିବେ ଏବଂ ଚାଷୀମାନଙ୍କ ସହ ଆଲେଚନା କରିବା ସହ କୀଟ ଆକ୍ରମଣରୁ ଫସଲ ରକ୍ଷା ଉପାୟ ବତାଇବେ । କୃଷିକ୍ଷେତ୍ରରେ ସମୟ କ୍ଷେପଣ କରି ସେମାନେ ତାଙ୍କ ମତାମତ କୃଷି ଏବଂ କୃଷି ସଶକ୍ତୀକରଣ ବିଭାଗକୁ ପ୍ରଦାନ କରିବେ । ଏହି ଦୁଇ ମାସିଆ ଅଭିନବ ଇଂଟର୍ଣ୍ଣସିପ୍ କାର୍ଯ୍ୟକ୍ରମରେ ୪୯୦ ଜଣ କୃଷିବିଜ୍ଞାନ ଛାତ୍ରଛାତ୍ରୀମାନେ ଭାଗ ନେବେ । ଓଡିଶା ହେଉଛି ଭାରତର ପ୍ରଥମ ରାଜ୍ୟ ଯେଉଁଠାରେ କି କୃଷି ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କୁ ଏଭଳି ଇଂଟର୍ଣ୍ଣସିପ୍ର ସୁଯୋଗ ଦିଆଯାଉଛି ବୋଲି ଡ. ମୁଥୁକୁମାର କହିଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ମୋବାଇଲ୍ ଆପ୍ ପ୍ରଦାନ କରାଯିବ ଏବଂ ଏହି ଆପ୍ ଦ୍ୱାରା ସେମାନେ କୃଷି ଏବଂ କୃଷକ ପ୍ରାଧୀକରଣ ବିଭାଗର ଅଧିକାରୀମାନଙ୍କ ସହ ସମ୍ପର୍କରେ ରହିପାରିବେ ଏବଂ ଦୁଇ ମାସ ମଧ୍ୟରେ ସେମାନେ କୃଷି କ୍ଷେତ୍ରକୁ ନିଜର ମତାମତ ପ୍ରଦାନ କରିବେ ବୋଲି ସେ କହିଛନ୍ତି । “ତୁମର ମତାମତ ରାଜ୍ୟ ସରକାରଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଏବଂ କୃଷି ଏବଂ କୃଷକ ସମ୍ପ୍ରଦାୟ ପାଇଁ ନୂତନ ନୀତି ପ୍ରଣୟନ କରିବାରେ ଏହା ଖୁବ୍ ସହାୟକ ହେବ” ବୋଲି ସେ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀ, ସେଂଚୁରିଅନ୍ ବିଶ୍ୱବିଦ୍ୟାଳୟର ପ୍ରତିନିଧି ଡ. ଲକ୍ଷ୍ମୀଧର ସ୍ୱାଇଁ, କୃଷି ବିଭାଗର ଉପ-ନିର୍ଦ୍ଦେଶକ (ଫସଲ ସଂରକ୍ଷଣ) ଶ୍ରୀ ବିଜୟ ଭୁଷଣ ପଟ୍ଟନାୟକ ଏବଂ ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ୍ ସାଇନ୍ସେସ୍ର ଡିନ୍ ଡ. ବିଜୟ କୁମାର ସାହୁ ନିଜର ବକ୍ତବ୍ୟ ରଖିଥିଲେ । ଏହି ଦୁଇ ମାସ ସମୟ ମଧ୍ୟରେ ଛାତ୍ରଛାତ୍ରୀମାନେ ଚାଷୀମାନଙ୍କ ସହ ନିଜର ସମ୍ପର୍କ ବଢ଼ାଇ ସେମାନଙ୍କୁ ସୁରକ୍ଷିତ କୀଟନାଶକର ବ୍ୟବହାର, କୀଟମାନଙ୍କ ଚିହ୍ନଟ, ଚାଷ ଜମିରେ ବ୍ୟବହାର ହେଉଥିବା ସାରର ଉପଲବ୍ଧି, କପା ଚାଷପ୍ରଣାଳୀ, ବିଭିନ୍ନ ଫସଲର ବ୍ୟବସାୟୀକରଣ ଏବଂ କୃଷକମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବୁଝାଇବେ ବୋଲି ସେ କହିଥିଲେ । ପ୍ରଫେସର ବାନାର୍ଜୀ କହିଥିଲେ ଯେ ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରଙ୍କ ପାଇଁ ସହାୟକ ଭାବେ କାର୍ଯ୍ୟ କରିବା ଦ୍ୱାରା ନିଜକୁ ଗର୍ବିତ ମନେ କରିବା ଉଚିତ୍ ଏବଂ ଏହା ଏକ ଖୁବ୍ ବଡ଼ ଦାୟିତ୍ୱ । କୃଷି ହେଉଛି ଦେଶର ମେରୁଦଣ୍ଡ । ତେଣୁ ଚାଷକ୍ଷେତ୍ରକୁ ଦୃଢ଼ିଭୂତ କରିବା ଛାତ୍ରଛାତ୍ରୀମାନଙ୍କର ବଡ଼ ଦାୟିତ୍ୱ ବୋଲି ସେ କହିଥିଲେ । ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସାରା ରାଜ୍ୟ ପାଇଁ ଘୂର୍ଣ୍ଣିଝଡ ଏବଂ ବଜ୍ରପାତର ସଠିକ୍ ଆକଳନ କରି ସୂଚନା ପ୍ରଦାନ କରାଯାଉଥିବାରୁ ଏହା କୃଷକମାନଙ୍କୁ ମଧ୍ୟ ବେଶ ସହାୟକ ହେଉଛି ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଉଛି ବୋଲି ପ୍ରଫେସର ବାନାର୍ଜୀ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.