AGR ନେଣଦେଣ ସହ ନାହିଁ JIO-RCom ଭାଗିଦାରୀର ସମ୍ପର୍କ, ମୁକେଶଙ୍କ ଜିଓକୁ ପୈଠ କରିବାକୁ ପଡିବନି ବକେୟା

Published By : Prameya-News7 Bureau | August 15, 2020 IST

ମୁମ୍ବାଇ ୧୫।୮:  ରିଲାଏନ୍ସ କମ୍ୟୁନିକେସନ (ଆର କମ)ର ଲାଇବିଲିଟି ଲାଗି ଜିଓ କୌଣସି ପୈଠ କରିବ ନାହିଁ। ରିଲାଏନ୍ସ ଜିଓର ରିଲାଏନ୍ସ କମ୍ୟୁନିକେସନ (ଆରକମ୍)ସହ ଦୂରସଞ୍ଚାର ସ୍ପେକ୍ଟ୍ରମ ଭାଗିଦାରୀ ଚୁକ୍ତି ମାତ୍ର ୪ ବର୍ଷ ପୂରୁଣା। ଏଣୁ ୨୦୧୬ ପୂର୍ବର ଆରକମ୍‌ ବୈଧାନିକ ଉତ୍ତରଦାୟିତ୍ୱ ସହ ଏହି ଚୁକ୍ତି ସମ୍ପର୍କିତ ନୁହେଁ। କାରଣ ସେତେବେଳେ ଜିଓର ପରିକଳ୍ପନା ମଧ୍ୟ ହୋଇ ନଥିଲା ବୋଲି କମ୍ପାନୀର ନିକଟତମ ସୂତ୍ରରୁ ଜଣାପଡିଛି।  

ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏକ ଖଣ୍ଡପୀଠ ଶୁକ୍ରବାର ଶୁଣାଣି ବେଳେ ଜିଓ ଇନଫୋକମ ଲିମିଟେଡ( ଆରଜେଆଇଏଲ) ୨୦୧୬ ପରଠାରୁ ସ୍ପେକ୍ଟ୍ରମର ବ୍ୟବହାର କରୁଥିବାରୁ କାହିଁକି ଆରକମର ବକେୟା ଆଡଜଷ୍ଟ ଗ୍ରସ୍ ରେଭିନ୍ୟୁ (ଏଜିଆର) ପୈଠ କରିବେନି ବୋଲି ଜାଣିବାକୁ ଚାହିଁଥିଲେ। ଏଥିରୁ ଆରଜେଆଇଏଲଙ୍କ ଉପରେ ଆରକମର ବକେୟା ଏଜିଆର ଭାର ପଡିବ ବୋଲି ଚର୍ଚ୍ଚା ଜୋର ଧରିଥିଲା। ତେବେ ଏଥିପାଇଁ ଆରଜେଆଇଏଲ ବାଧ୍ୟ ନୁହଁନ୍ତି ଓ ତାଙ୍କୁ ପୈଠ କରିବାକୁ ପଡିବନି ବୋଲି ଏବେ ସୂଚନା ମିଳୁଛି।  

ମାମଲା ଏବେ କୋର୍ଟରେ ବିତାରାଧୀନ ଅଛି। ଏଣୁ ନାମ ଗୋପନ ରଖିବା ସୂତ୍ରରେ ଜନୈକ ଅଧିକାରୀ କାହିଁକି ଜିଓ ଏହି ପୈଠ କରିବେ ନାହିଁ ବୋଲି କହିଛନ୍ତି। ତାଙ୍କ ଅନୁସାରେ ଆରଜେଆଇଏଲ ୨୦୧୬ ମସିହାରେ ଆରକମ ଓ ଏହାର ୟୁନିଟି ରିଲାଏନ୍ସ ଟେଲିକମ ଲିମିଟେଡ(ଆରଟେଲ)ର ଏକ ଭାଗ ସେୟାର କରିବାକୁ ବୁଝାମଣା କରିଥିଲେ। ତେବେ ଏହି ଭାଗ ମାତ୍ର ୮୦୦ ମେଗାହର୍ଜ ବ୍ୟାଣ୍ଡ ମଧ୍ୟରେ ସୀମିତ ଥିବା ବେଳେ ଡଟ୍‌ଙ୍କ ସ୍ପେକ୍ଟ୍ରମ ଭାଗିଦାରୀ ଗାଇଡଲାଇନ ଅନୁରୂପ ହୋଇଥିଲା। ଏଥିରେ ଆରକମର ୧୮୦୦୦ ମେଗାହର୍ଜ ବ୍ୟାଣ୍ଡର ୨ଜି,୩ଜି ଓ ୪ଜି ସପେକ୍ଟ୍ରମ ଭାଗ ହୋଇନଥିଲା।

ଏହି ସୂତ୍ର ଅନୁସାରେ ଆରଟେଲ ଓ ଆରକମ୍‌ଙ୍କ ଏଜିଆର ବକେୟା ଏହି ସ୍ପେକ୍ଟ୍ରମ ଭାଗିଦାରୀ ସହ କୌଣସି ସମ୍ପର୍କ ନାହିଁ। ସେହିପରି ଭାଗ ହୋଇଥିବା ସ୍ପେକ୍ଟ୍ରମ ଉପରେ ଆରକମ, ଆରଟେଲ  ଓ ଆରଜେଆଇଏଲ ସେମାନଙ୍କ ଏଜିଆର ପୈଠ କରୁଛନ୍ତି। ଏଣୁ ୨୦୧୬ ପୂର୍ବର ଆରକମ ଓ ଆରଟେଲଙ୍କ ୨ଜି, ୩ଜି କାରବାର ସମ୍ପର୍କିତ ଏଜିଆର ବକେୟାର ଏହି ସ୍ପେକ୍ଟ୍ରମ ଭାଗିଦାରୀ ସହ କୌଣସି ସମ୍ପର୍କ  ରଖୁ ନାହିଁ। କାରଣ ସେ ସମୟରେ ଆରଜେଆଇଏଲ ପ୍ରଚଳନରେ ବି ନଥିଲା। ଏଣୁ ବକେୟା ଏଜିଆରର ପୈଠ କଥା ଉଠୁଛି କେଉଁଠୁ ବୋଲି ସେ ପ୍ରଶ୍ନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.