ହୁତୁହୁତୁ ହୋଇ ଜଳୁଛି କୁଳଡିହା, ନିଆଁ ଲିଭା ପାଇଁ ଅଭୟାରଣ୍ୟରେ ଡେରାପକାଇଛି ବନ ବିଭାଗ
9/03/2021 at 8:54 AM

ନୀଳଗିରି ୦୯।୦୩ : ହୁତୁହୁତୁ ହୋଇ ଜଳୁଛି କୁଳଡିହା ଅଭୟାରଣ୍ୟ। ଲିଭିବା ପରିବର୍ତ୍ତେ ଚାରିଆଡେ ନିଆଁ ବ୍ୟାପିଚାଲିଛି। ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ଏବେ ବିପଦ ଘାରିଛି। ପୋଡି ଯାଉଛି ମୂଲ୍ୟବାନ ଗଛ। ନିଆଁ ଲିଭାଇବା ନେଇ ଏକ ପ୍ରକାର ବନବିଭାଗ ଅସହାୟ ହୋଇ ପଡିଛି। କର୍ମଚାରୀଙ୍କୁ ନେଇ କିଛି କିଛି ସ୍ଥାନରେ ନିଆଁ ଲିଭାଇବା ପ୍ରଚେଷ୍ଟା କରୁଥିବା ବେଳେ ଅଧିକାରୀମାନେ ଅଭୟାରଣ୍ୟରେ ଡେରା ପକାଇଛନ୍ତି।
ଆଜିକୁ ପ୍ରାୟ ୪ ଦିନ ହେଲା ରାତିଦିନ ନୀଳଗିରି ଅଞ୍ଚଳରେ ଥିବା କୁଳଡିହା ଅଭୟାରଣ୍ୟ ଜଳୁଛି। ଗରଡ଼ିହି, ତେଲିପାଳ, ବାଲିଆନାଳ, ତେଣ୍ଡା, ପଞ୍ଚଲିଙ୍ଗେଶ୍ୱରର ବିଭିନ୍ନ ଅଞ୍ଚଳରେ ଥିବା ପାହାଡ଼ ଉପରେ ନିଆଁ ଜଳୁଛି। ନଣ୍ଡାରୀ ପାହାଡ଼ରେ ଭୟଙ୍କର ନିଆଁ ଲାଗିଛି। ରାତି ଦିନ ଜଳୁଥିବା ଏହି ଜଙ୍ଗଲରେ ଅନେକ ମୂଲ୍ୟବାନ ଗଛପତ୍ର ପୋଡି ପାଉଁଶ ହୋଇଯାଉଛି । ଏହାସହ ଅନେକ ବନ୍ୟଜନ୍ତୁ ଜୀବନ ଭୟରେ ଅନ୍ୟତ୍ର ପଳାଇ ଯାଇଛନ୍ତି। ହରିଣ, ବାରାହା, ସମ୍ବର, ଠେକୁଆ ଗାଁ ପଟକୁ ପଳାଇ ଆସିବାରୁ ଶିକାରୀଙ୍କ ଲୋଲୁପ ଦୃଷ୍ଟି ସେମାନଙ୍କ ଉପରେ ରହିବାର ଯଥେଷ୍ଟ ସମ୍ଭାବନା ରହିଛି ।
ସେହିପରି ଗତକାଲି କଂଗ୍ରେସର ଏକ ରାଜ୍ୟସ୍ତରୀୟ ଟିମ ମୁଖପାତ୍ର ସୁଦର୍ଶନ ଦାସଙ୍କ ନେତ୍ୱତ୍ୱରେ ଆସି ଜଳୁଥିବା ଜଙ୍ଗଲ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କଟିଥିଲେ। ଏପରିକି ଗାଁ କିମ୍ବା ସୀମାନ୍ତ ଅଞ୍ଚଳରେ ସେଭଳି ସଚେତନ ମୁଳକ କାର୍ଯ୍ୟକ୍ରମ କରାଯାଇନଥିବା ବେଳେ ଫଳ ସ୍ୱରୂପ ଆଜି ଏଭଳି ଅବସ୍ଥା ଭୋଗିବାକୁ ପଡୁଥିବା ସେ କହିଛନ୍ତି । ଆଜି ମଧ୍ୟ କୁଳଡିହା ଅଭୟାରଣ୍ୟ ରେ ନିଆଁ ବିଭିନ୍ନ ସ୍ଥାନରେ ବ୍ୟାପିଥିବା ଦେଖାଯାଇଛି।