ଆଜି ଆକାଶରୁ ହେବ ଅଗ୍ନିବର୍ଷା, ୨ରୁ ୩ ଡିଗ୍ରୀ ବଢିବ ପାରଦ

Published By : Prameya-News7 Bureau | April 25, 2021 IST

ଭୁବନେଶ୍ୱର, ୨୫।୦୪: ରାଜ୍ୟରେ ହେବ ନିଆଁ ବର୍ଷା । ରାଜ୍ୟବାସୀ ଆହୁରି ୩ଦିନ ପ୍ରବଳ ତାତିରେ ଛଟପଟ ହେବେ । ଏପରିକି କିଛି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ଅଧିକ ରହିବ । ଏନେଇ ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ରବିବାର କେବଳ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ରାଜ୍ୟର ଅନ୍ୟ ସ୍ଥାନଗୁଡିକରେ ତାପମାତ୍ରା ସ୍ୱାଭାବିକଠୁ ଅଧିକ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।

କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ରାଜ୍ୟରେ ହୋଇଛି ଅଗ୍ନି ବର୍ଷା । ତତଲା କଢ଼େଇରେ ସିଝିଲା ଭଳି ଶିଝିଛନ୍ତି ରାଜ୍ୟବାସୀ । ରାଜ୍ୟର ୧୨ଟି ସହରର ପାରଦ ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଥିଲା । ଶନିବାର ଭୁବନେଶ୍ୱରର ତାପମାତ୍ରା ୪୨.୧ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିଲା । ସେହିପରି ୪୨ ଡିଗ୍ରୀ ସହ ବୌଦ୍ଧ ଦ୍ୱିତୀୟରେ ଥିବା ବେଳେ ସୋନପୁରରେ ୪୧.୮ ଡିଗ୍ରୀ, ବାରିପଦାରେ ୪୧.୬, ଟିଟିଲାଗଡ ଓ ସମ୍ବଲପୁରରେ ୪୧, ଝାରସୁଗୁଡା ୪୦.୫, ଅନୁଗୋଳରେ ୪୦.୩, ତାଳେଚରରେ ୪୦.୧, ଭବାନୀପାଟଣା ଓ ନୟାଗଡ଼ରେ ପାରଦ ୪୦ ଡିଗ୍ରୀ ସେଲସିୟସ୍‌ ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଥିଲା ।

ରବିବାର ମଧ୍ୟ ରାଜ୍ୟରେ ଏଭଳି ତାତି ଜାରି ରହିବ । ୨୬-୨୭ ତାରିଖ ବେଳକୁ ତାତି ସାମାନ୍ୟ କମିବାର ସମ୍ଭାବନା ରହିଛି । ତେବେ ଦକ୍ଷିଣ ଓଡ଼ିଶାରେ ସାମାନ୍ୟ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ।

ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାତି ଜାରି ରହିବ । କିଛି ସ୍ଥାନରେ ୪୨ ଡିଗ୍ରୀ ସେଲସିୟସ୍‌ ଟପିବ । ଏବେ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ପବନ ବୋହୁଛି । ଏହା ସହିତ ଆକାଶରେ ବାଦଲ ନଥିବାରୁ ପ୍ରଖର ତାତି ଅନୁଭୂତ ହେଉଛି । ଏହା ୨୯ ତାରିଖଠୁ କମିବାର ସମ୍ଭାବନା ରହିଛି । ତେବେ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ତାତି କମ ଅନୁଭୂତ ହେବ ବୋଲି ଡ. ସାହୁ ଆକଳନ କରିଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କୌଣସି ସ୍ଥାନରେ ବର୍ଷା ହୋଇନଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.