ସ୍ୱାଭିମାନ ଅଂଚଳରେ ପୋଲିସ ବିରୋଧରେ ପ୍ରଜାମେଳି

Published By : Prameya-News7 Bureau | September 21, 2019 IST

ମାଲକାନଗିରି ୨୧।୦୯- ସ୍ୱାଭିମାନ ଅଂଚଳରେ ପୋଲିସ ବିରୋଧରେ ପ୍ରଜାମେଳି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଲାଗି ରହିଛି ଉତ୍ତେଜନା । ଗଲା ୧୩ରେ ଜଣେ ଆଦିବାସୀ ରାଜୁ ହେନ୍ତାଳଙ୍କୁ ବିଏସଏଫ ଯବାନମାନେ ପିଟି ପିଟି ମାରି ଦେଇଥିବା ଅଭିଯୋଗ କରି ହଜାର ହଜାର ଆଦିବାସୀ ମେଳିବାନ୍ଧିଛନ୍ତି । ଦୋଷୀ ଯବାନଙ୍କୁ ଗିରଫ କରିବା ସହ ବିଚ୍ଛିନ୍ନାଞ୍ଚଳର ଦୁଇଟି ଥାନାକୁ ଉଚ୍ଛେଦ କରିବା ଦାବିରେ ଅଡ଼ି ବସିଛନ୍ତି ଲୋକେ । ଏଥି ସହ ଏହି ଅଂଚଳରେ ଲୋକଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନ ଭଳି ମୌଳିକ ସୁବିଧା ଉପରେ ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ବିଚ୍ଛିନ୍ନାଞ୍ଚଳ ବାସିନ୍ଦା ।

{"id":160841}

ପୋଲ ଏପଟେ ବନ୍ଧୁକଧାରୀ ସୁରକ୍ଷାକର୍ମୀ । ଆଉ ପୋଲ ସେପଟେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଆଦିବାସୀ । ଉପରେ ଉଡ଼ୁଛି ଡ୍ରୋନ୍ । ପୂରା ଗତିବିଧିକୁ ରେକର୍ଡ଼ କରୁଛି କ୍ୟାମେରା । ମାଲକାନଗିରି ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଲାଗି ରହିଥିବା ଏଭଳି ଉତ୍ତେଜନା ପଛର କାରଣ କ’ଣ ? ଜାଣିବାକୁ ଚେଷ୍ଟା କରିଥିଲା ନ୍ୟୁଜ୍ ସେଭେନ୍ । ଆଦିବାସୀଙ୍କ ଅଭିଯୋଗ ଅନୁସାରେ ଗଲା ୧୩ରେ ସ୍ଥାନୀୟ ଧୂଳିପୁଟ ପଞ୍ଚାୟତ ରାଙ୍ଗିନିଗୁଡ଼ା ଗାଁର ରାଜୁ ହନ୍ତାଳ ଦୁଇ ଝିଅଙ୍କୁ ନେଇ ଯନ୍ତାପାଇ ସାପ୍ତାହିକ ହାଟକୁ ଯାଇଥିବା ବେଳେ ଦୁଇ ଜଣ ଯବାନ ରାଜୁଙ୍କୁ ଡାକିନେଇ ନିସ୍ତୁକ ମାଡ଼ ମାରିଥିଲେ । ପରେ ନିଖୋଜ ରାଜୁଙ୍କ କ୍ଷତ ବିକ୍ଷତ ମୃତଦେହ ଯନ୍ତାପାଇ ଅଙ୍ଗନବାଡ଼ି କେନ୍ଦ୍ରରୁ ମିଳିଥିଲା । ଯାହାକୁ ନେଇ ଲୋକେ ତାତିଥିଲେ । ରାଜୁଙ୍କୁ ମାଡ଼ ମାରିଥିବା ୨ଜଣ ଯବାନଙ୍କୁ ଗିରଫ ଦାବିରେ ଗଲା ରବିବାର ବଡ଼ପଡ଼ା ଥାନା ଘେରାଉ କରିବା ସହ ପୋଲିସ ଉପରେ ଆକ୍ରମଣ କରିଥିଲେ । ପରେ ଘଟଣାସ୍ଥଳରେ ମାଲକାନଗିରି ଏସପି ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନରୁ ଓହରିଥିଲେ ବିଚ୍ଛିନ୍ନାଞ୍ଚଳବାସୀ ।

{"id":160844}

ଉତ୍ତେଜନାକୁ ଦୃଷ୍ଟିରେ ରଖି ଗତକାଲି ଯନ୍ତାପାଇ ସାପ୍ତାହିକ ହାଟକୁ ବନ୍ଦ କରିବା ସହ ୧୪୪ ଜାରି କରିଥିଲା ପୋଲିସ । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ୨ପ୍ଲାଟୁନ୍ କମ୍ପାନୀ ବିଏସଏଫ୍ ଯବାନଙ୍କ ସହ ୪ପ୍ଲାଟୁନ୍ ଏସଓଜି ଏବଂ ଡିଭିଏଫ୍ ମୁତୟନ କରାଯାଇଥିଲା । ତେବେ ପୋଲିସ ବିରୋଧରେ ଏଭଳି ପ୍ରଜାମେଳି ପଛରେ ମାଓ ସଂଗଠନ ହାତ ଥିବା ଅନୁମାନ କରାଯାଉଛି । ସେପଟେ ବିଚ୍ଛିନ୍ନାଞ୍ଚଳରେ ଲୋକଙ୍କ ଅଭାବ, ଅସୁବିଧାକୁ ଗୁରୁତ୍ବ ଦିଆଯିବ ବୋଲି କହିଛି ମାଲକାନଗିରି ପ୍ରଶାସନ ।  

{"id":160845}

ଗଲା ୪ ଦଶନ୍ଦୀ ଧରି ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳକୁ ନିଜ କବଜାରେ ରଖିଥିବା ନକ୍ସଲ ସଂଗଠନ କୌଣସି ପରିସ୍ଥିତିରେ ଏଠାରୁ ବିଦା ହେବାକୁ ଚାହୁଁନି । ଖାସ୍ ସେଇଥି ପାଇଁ ମାଓବାଦି ବିଚ୍ଛିନ୍ନାଞ୍ଚଳର ଆଦିବାସୀଙ୍କୁ ମେଳି କରି ଏଭଳି ଉତ୍ତେଜନା ସୃଷ୍ଟି କରିବାକୁ ମାଓ ସଂଗଠନ ଚେଷ୍ଟା କରୁଥିବା ଅନୁମାନ କରାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.