ପଣ୍ଡା ଇନଫ୍ରା ପାଇଁ ଆଣ୍ଟା ଭିଡିଲା ନିଖିଳ ଉତ୍କଳ ଠିକାଦାର ମହାସଂଘ : ପ୍ରଶ୍ନ କଲା ଅଧିକାରୀଙ୍କ ବିରୋଧରେ କାହିଁକି ନିଆଯାଉନି କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | September 01, 2018 IST

ଭୁବନେଶ୍ବର ୧/୯: ଜଟଣୀ ଓଭର ବ୍ରିଜ ନିର୍ମାଣ କାମରୁ ପଣ୍ଡା ଇନଫ୍ରା ବାଦ ପଡିବା ପରେ ଏବେ ସାମ୍ନାକୁ ଆସିଛି ପଣ୍ଡା ଇନଫ୍ରାର ଚିଠି। ରାଜ୍ୟସରାକର ଯେଉଁ ଅଭିଯୋଗରେ ପଣ୍ଡା ଇନଫ୍ରାକୁ ନିର୍ମାଣ କାମରୁ ବାଦ କରିଛନ୍ତି ତାହା ଭିତ୍ତିହୀନ ବୋଲି ସଂସ୍ଥା କହିଛି । ବିଭାଗୀୟ ସଚିବ କହିଛନ୍ତି ତର୍ଜମା ପରେ ପଣ୍ଡା ଇନଫ୍ରାକୁ ବାଦ ଦିଆଯାଇଛି । ସେପଟେ ପଣ୍ଡା କମ୍ପାନୀର ଯୁକ୍ତି ଦେଖି ଠିକାଦାର ମହାସଂଘ ଯୁକ୍ତି ବାଢିଛି ଯଦି ପଣ୍ଡା ଇନଫ୍ରା ଦୋଷୀ ତାହେଲେ ଯେଉଁ ସରକାରୀ କର୍ମଚାରୀଙ୍କ ଦସ୍ତଖତରେ ପଣ୍ଡା କାମ କରୁଥିଲା ତାଙ୍କ ବିରୋଧରେ କାହିଁକି କାର୍ଯ୍ୟନୁଷ୍ଠାନ ହେବନି । ଯେଉଁ ଅଭିଯୋଗ ପାଇଁ ପଣ୍ଡା ଇନଫ୍ରାକୁ ବାଦ ଦିଆଯାଇଛି ସେହି ଅଭିଯୋଗ ଗୁଡିକ ହେଲା, ନଂ-୧ - ପଣ୍ଡା ଇନଫ୍ରା ଦୀର୍ଘଦିନ ଧରି କାମ ପକାଇ ରଖିଛି, ଅଭିଯୋଗ ନଂ-୨- ଆନୁସଙ୍ଗିକ ବ୍ୟବସ୍ଥା ନକରି ବ୍ୟାରିକେଟ ନିର୍ମାଣ ଦ୍ବାର ଟ୍ରାଫିକ ସମସ୍ୟା ଉପୁଜୁଛି । ଅଭିଯୋଗ ନଂ-୩- ବିନା ଅନୁମତି ପିପିଲି ପଟୁ କାନ୍ଥ ନିର୍ମାଣ କରାଯାଇଛି । …କିନ୍ତୁ ପଣ୍ଡା ଇନଫ୍ରା ଯୁକ୍ତି ବାଢିଛି ଯେଉଁ ନିର୍ମାଣ କାମ ଯେଉଁ ସମୟ ଅବଧି ଭିତରେ ସରିବା କଥା ତାହା ଶେଷ ହୋଇଛି । ଟ୍ରାଫିକ ସମସ୍ୟା ପାଇଁ ବାରମ୍ବାର ବିଭାଗ ଏବଂ ଖୋର୍ଦ୍ଧା ପ୍ରଶାସନକୁ ଚିଠି ଲେଖାଯାଇଛି । ପିପିଲି ପଟୁ ଯେଉଁ କାନ୍ଥ ନିର୍ମାଣ ହେଉଛି ତାହା ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଅନୁମତିରେ ହୋଇଛି । କିନ୍ତୁ ବିଭାଗୀୟ ସଚିବ କହିଛନ୍ତି ସବୁ ତର୍ଜମା ପରେ ହିଁ ପଣ୍ଡା ଇନଫ୍ରା ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯାଇଛି । ସେପଟେନିଖିଳ ଉତ୍କଳ ଠିକାଦାର ମହାସଂଘ କହିଛି ବିଭାଗୀୟ ଇଞ୍ଜିନିୟରଙ୍କ ଅନୁମତି କ୍ରମେ ସବୁ କାମ ହୋଇଛି। ଯଦି କୌଣସି କାମ ଠିକରେ ହୋଇନି ତେବେ ବିଭାଗୀୟ ଅଧିକାରୀ ମାନେ କେମିତି ଦସ୍ତଖତ କରିଥିଲେ । ଯଦି ପଣ୍ଡା ଇନଫ୍ରା ଠିକ କାମ କରୁ ନାହିଁ ବୋଲି ଦୋଷୀ, ତେବେ ବିଭାଗୀୟ ଅଧିକାରୀ ବି ସମ ପରିମାଣରେ ଦୋଷୀ । ତେଣୁ ଅଧିକାରୀଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସଂଘ କହିଛି । ଭୁବନେଶ୍ବର ବମିଖାଲ ଓଭର ବ୍ରିଜ କାମ ନେଇଥିବା ପଣ୍ଡା ଇନଫ୍ରାର ବିପଦପୂର୍ଣ୍ଣ ଓ ନିମ୍ନ ମାନର କାମ ପାଇଁ ବାରମ୍ବାର ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଇଛି । ସେହିଭଳି ଜଟଣୀ ଓଭରବ୍ରିଜ କାମ ବିଳମ୍ବ ଓ ବିପଦପୂର୍ଣ୍ଣ କାମ ପାଇଁ ପଣ୍ଡା ଇନଫ୍ରା ବିରୋଧରେ ବାରମ୍ବାର ଅଭିଯୋଗ ଆସିବା ପରେ ସଂସ୍ଥାକୁ ବାଦ ଦିଆଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.