ନାଗରିକତା ଆଇନକୁ ବିରୋଧକରି – ରାସ୍ତାରେ ଚାଲିଛି ପୋଲିସ ଓ ଆନ୍ଦୋଳନକାରୀଙ୍କ ସଂଘର୍ଷ

Published By : Prameya-News7 Bureau | December 19, 2019 IST

ନୂଆଦିଲ୍ଲୀ ୧୯।୧୨ - ନାଗରିକତା ଆଇନକୁ ବିରୋଧକରି ଆସାମ ଶାନ୍ତ ପଡ଼ିଲାଣି କିନ୍ତୁ ଏବେ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶ ଏବେ ହୁତହୁତ ହୋଇ ଜଳିଲାଣି। ରାସ୍ତାରେ ଚାଲିଛି ପୋଲିସ ଓ ଆନ୍ଦୋଳନକାରୀଙ୍କ ସଂଘର୍ଷ। ଆନ୍ଦୋଳନକାରୀ ଏକାଧିକ ବସରେ ନିଆଁ ଲଗାଇଦେଇଛନ୍ତି।  ସାରା ଉତ୍ତରପ୍ରଦେଶରେ ୧୪୪ ଧାରା ଜାରି କରାଯାଇଛି। ଦିଲ୍ଲୀରେ ବିମାନ ଓ ରେଳ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି।  ….

ଜଳୁଛି ଲକ୍ଷ୍ମୌ ସହର କେମିତି ଜଳୁଛି କାର, ଜଳୁଛି ମଟର ସାଇକେଲ, ଜଳୁଛି ଥାନା। ରାସ୍ତା ସାରା ପଡ଼ିଛି ଇଟାପଥର । ଆଇନର ପ୍ରତ୍ୟାହାର ଦାବିରେ ଆଇନକୁ ହାତକୁ ନେଇଛନ୍ତି ଆନ୍ଦୋଳକାରୀ। ମୁହାଁମୁହିଁ ହୋଇଛନ୍ତି ପୋଲିସ ସହିତ । ପୋଲିସ ଉପରକୁ ଆନ୍ଦୋଳନକାରୀ ଟେକାପଥର ମାଡ଼ କରୁଛନ୍ତି ଆଉ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରୁଛି, ପାଣି ମାଡ କରିଛି।

ଆନ୍ଦୋଳନକାରୀ ଗୋଟିଏ ବସ ଓ କିଛି କାର ବାଇକ ସମେତ ମେଡେଗଞ୍ଜ ଥାନାରେ ନିଆଁ ଲଗାଇ ଦେଇଛନ୍ତି। ଯେଉଁଠି ସ୍ଥିତି ନିୟନ୍ତ୍ରକୁ ଆସିଥିଲା ସେଠାରେ ଦେଖିବାକୁ ମିଳିଥିଲା ଏଏନଆଇର ଲକ୍ଷ୍ମୌ ଭିଜୁଆଲ ଅଛି। ଚାରିଆଡ଼େ କେବଳ ଅଙ୍ଗାର ଓ କଳାଧୁଆଁ। କେବଳ ଲକ୍ଷ୍ମୌ ନୁହେଁ ଉତ୍ତର ପ୍ରଦେଶର ଅଧିକାଂଶ ଭାଗରେ ଆଜି ଦେଖାଦେଇଛି ହିଂସାତ୍ମକ ଆନ୍ଦୋଳନ।

ଏ ହେଉଛି ଦିଲ୍ଲୀର ଦୃଶ୍ୟ। ପୁଣି ଆଜି ମଣ୍ଡି ହାଉସ, ଜନ୍ତରମନ୍ତର, ଲାଲକିଲ୍ଲୀ ଜାମିଆ ମିଲିଆ, ଏକାଠି ହୋଇଥିଲେ ସିଏଏକୁ ବିରୋଧ କରୁଥିବା ଆନ୍ଦୋଳନକାରୀ। ଜାମିଆ ମିଲିଆରେ ଆନ୍ଦୋଳନକାରୀ ହ୍ୟୁମାନ ଚେନ କରି ବିକ୍ଷୋଭ କରିଛନ୍ତି।

ଦିଲ୍ଲୀରେ ଆଜି ସ୍ଥିତି ଏମିତି ହୋଇଥିଲା ଯେଉଁଥିରେ ଲୋକେ ନାକେଦମ ହୋଇଥିଲେ। ଦେଖନ୍ତୁ କେମିତି ଟ୍ରାଫିକ୍‌ ଜାମ । ଏହି ଟ୍ରାଫିକ୍‌ ଜାମ ପାଇଁ ଦିଲ୍ଲୀର ବିମାନ ସେବା ଠପ୍‌ ହୋଇଯାଇଛି।  କାରଣ ବିମାନ କର୍ମଚାରୀ ଏୟାରପୋର୍ଟରେ ପହଞ୍ଚିପାରିନଥିଲେ। ୧୯ଟି ମେଟ୍ରୋ ଷ୍ଟେସନକୁ ବନ୍ଦ କରାଆଇଥିଲା। କିଛି ସ୍ଥାନରେ ଇଣ୍ଟରନେଟ ଟେଲିଫୋନ ସେବା ବନ୍ଦ କରାଯାଇଥିଲା।

ଦେଶ ବ୍ୟାପୀ ନିଆଁ ବ୍ୟାପୀବାରେ ଲାଗିଛି। କୋଲକାତା, ବେଙ୍ଗଳୁରୁ, ହାଇଦ୍ରାବାଦ, ଚେନ୍ନାଇ, ଅହମ୍ମଦାବାଦ, ଗୁଆହାଟୀ, ମୁମ୍ବାଇ,  ଏସବୁ ସ୍ଥାନରେ  ଦେଖାଦେଇଥିଲା  ବିକ୍ଷୋଭ। ଆନ୍ଦୋଳନକାରୀ ନୂଆ ଟେକ୍‌ନିକ ଆପଣାଇଥିଲେ। ଗୋଟିଏ ସ୍ଥାନରେ ପୋଲିସ ସ୍ଥିତିକୁ ନିୟନ୍ତ୍ରଣ କରୁଥିବା ବେଳେ ଅନ୍ୟସ୍ଥାନରେ ସେମାନେ ଏକାଠି ହେଉଥିଲେ। ଏପର୍ଯନ୍ତ ବିଭିନ୍ନ ସ୍ଥାନରୁ ଶତାଧିକ ଲୋକଙ୍କୁ ପୋଲିସ ଅଟକ ରଖିଛି।

ନାଗରିକତା ଆଇନକୁ ନେଇ ଗୋଟିଏ ପଟେ ଗୃହମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଆଇନ ପ୍ରତ୍ୟାହାର ହେବ ନାହିଁ। ସେପଟେ କିନ୍ତୁ ଏହି ଆଇନ ବିରୋଧରେ ତେଜୁଥିବା ଆନ୍ଦୋଳନରେ ଛାତ୍ର ଓ ରାଜନୈତିକ ଦଳ ସାମିଲ ହେବା ସ୍ଥିତିକୁ ଗମ୍ଭୀର କଲାଣି।

ଅଧିକରୁ ଅଧିକ ସଂଖ୍ୟକ ଲୋକେ ସିଧା ପୋଲିସକୁ ଚ୍ୟାଲେଞ୍ଜ କରିବାରେ ଲାଗିଛନ୍ତି। ଗୋଟିଏ ପରେ ଆଉ ଗୋଟିଏ ସହରକୁ ଡେଉଁଛି ଆନ୍ଦୋଳନ, ହିଂସାକାଣ୍ଡ ବି ଘଟୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.