ବିରୋଧୀଙ୍କ ସ୍ଥିତି: ଦିଲ୍ଲୀ ହେଡ୍ ଅଫିସ୍ରେ ସଂଗଠନର ମ୍ୟାପ ପାଠ
9/01/2020 at 9:31 PM

ଭୁବନେଶ୍ବର୯/୧: ବିରୋଧୀଙ୍କ ଘର ସଜଡା ଏବେ ଘୁଞ୍ଚି ଘୁଞ୍ଚି ଯାଉଛି। ବିଜେପି ସଭାପତି କିଏ ହେବ ତାକୁ ନେଇ ଦିଲ୍ଲୀରେ କସରତ ଚଳାଇଛି ଦଳ । ସେପଟେ କଂଗ୍ରେସ କନ୍ଦଳ ଥମୁ ନ ଥିବା ବେଳେ ଜିଲ୍ଲା ସଭାପତି କିଏ ହେବ ସେ ଫାଇଲ୍ ବି ଦିଲ୍ଲୀ ଏଆଇସିସି ଅଫିସରେ ପଡିଛି। ୧୪ରେ ରାଜ୍ୟ ପର୍ଯ୍ୟବେକ୍ଷକ ଓଡିଶା ଆସୁଥିବାରୁ କଥା ଆଗକୁ ବଢିବ ବୋଲି କୁହାଯାଉଛି।
ବିରୋଧୀ ଦଳଙ୍କ ଫାଇଲ ଏବେ ଦିଲ୍ଲୀରେ। ବିଜେପି ହେଉ କଂଗ୍ରେସ ଏବେ ସଂଗଠନର ମ୍ୟାପ ପାଠ ଦିଲ୍ଲୀ ହେଡ ଅଫିସରରେ। ରାଜ୍ୟରେ ଦୁଇ ବିରୋଧୀ ଦଳରେ ଚିତ୍ର ଏବେ ଏମିତି । ରାଜ୍ୟ ବିଜେପି ସଭାପତି ନିର୍ବାଚନ ଲାଗି ତାରିଖ ପରେ ତାରିଖ ଗଡି ଗଡି ଚାଲିଛି । ମଣ୍ଡଳ ଓ ଜିଲ୍ଲା ସଭାପତି ନିର୍ବାଚନ ସରିଥିଲେ ବି ରାଜ୍ୟ ସଭାପତି ନିର୍ବାଚନ କିନ୍ତୁ ସରୁନି ।
ସଭାପତି ପଦ ଲାଗି ଏକାଧିକ ଆଶାୟୀ ଥିବାରୁ ସହମତି ଲାଗି ଅଡୁଆ ହେଉଥିବା ସୂଚନା । ରାଷ୍ଟ୍ରୀୟ ଉପ ସଭାପତି ବିନୟ ସହସ୍ରବୁଦ୍ଧେ, ରାଷ୍ଟ୍ରୀୟ ସଂପାଦକ ଆର.ପି. ସିଂହ ରାଜ୍ୟ ନେତୃତ୍ବଙ୍କ ସହ ଆଲୋଚନା କରି କେନ୍ଦ୍ରୀୟ କମିଟିକୁ ରିପୋର୍ଟ ଦେଇସାରିଛନ୍ତି । ଏବେ ମଙ୍ଗୁଆଳ ନେଇ ଦିଲ୍ଲୀରେ କସରତ ଚାଲିଛି । ସେପଟେ ରାଜ୍ୟ ବିଜେପିର କହିବା କଥା ୨୦ ତାରିଖ ଭିତରେ ନିର୍ବାଚନ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂହ ତୋମାର ଓ ରାଜୀପ ପ୍ରତାପ ରୁଡ୍ଡି ଆସିବେ ଏବଂ ସହମତିରେ ହିଁ ସଭାପତି ଚୟନ କରାଯିବ।
ସେପଟେ କଂଗ୍ରେସର ବି ସମାନ ହାଲ୍ । ନେତୃତ୍ବ ବିବାଦର ଅନ୍ତ ଘଟୁନାହିଁ କି ବ୍ଲକ ଓ ଜିଲ୍ସା ସଭାପତି ଚୟନ ପ୍ରକ୍ରିୟା ଆଗକୁ ବଢି ପାରୁନାହିଁ । ପିସିସି ସଭାପତି ପଦକୁ ନେଇ ଭୁବନେଶ୍ବରରୁ ଦିଲ୍ଲୀ ନେତାଙ୍କ ଲବି ଚାଲିଛି । ବ୍ଲକ ଓ ଜିଲ୍ଲା ସଭାପତି ନାଁ ଚୂଡ଼ାନ୍ତ ହୋଇଥିଲେ ବି ହେଡ ଅଫିସର ମୋହର ବାଜି ପାରୁନି । ପିସିସି ଦାୟିତ୍ବରେ ଥିବା କେନ୍ଦ୍ରୀୟ ପ୍ରଭାରୀ ଜିତେନ୍ଦ୍ର ସିଂହ ୧୪ରେ ଓଡିଶା ଆସିବେ । ପ୍ରଥମେ ପଶ୍ଚିମ ଓଡିଶା ଓ ପରେ ଉପକୂଳ ଓଡ଼ିଶା ଗସ୍ତ କରି ଦଳୀୟ ନେତାଙ୍କ ସହ ଆଳୋଚନା କରିବେ । ଏହା ପରେ ହିଁ ସାଧାରଣ ନିର୍ବାଚନରେ ବିରୋଧୀଙ୍କ ପ୍ରଦର୍ଶନ ସେତେଟା ଭଲ ହୋଇ ପାରିନି । ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ଘର ସଜଡିବାରେ ଲାଗିଛନ୍ତି ସିନା ସେଥିରେ ବି ଦିନ ଗଡ଼ିବାରେ ଲାଗିଛି।