ପୁଣି ବିବାଦରେ ଭୁବନେଶ୍ବର ସାଂସଦ: ସାମାଜିକ ଦୂରତା ଭୁଲି ଗଲେ ଅପରାଜିତା...

Published By : Prameya-News7 Bureau | June 09, 2020 IST

ଭୁବନେଶ୍ୱର ୯/୦୬: ୪ ଦିନ ତଳେ ସାମାଜିକ ଦୂରତା ନିୟମ ଫାଙ୍କି ଫସିଥିଲେ ଭୁବନେଶ୍ୱର ସାଂସଦ ତଥା ପୂର୍ବତନ ଆଇଏଏସ୍‌ ଅଫିସର ଅପରାଜିତା ଷଡ଼ଙ୍ଗୀ । ଘଟଣାକୁ ସପ୍ତାହେ ପୁରିନି, ସାଂସଦଙ୍କ ବିରୋଧରେ ପୁଣି ସମାନ ଅଭିଯୋଗ ଉଠିଛି । ଏକ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଶତାଧିକ ଦଳୀୟ ନେତା ଓ କର୍ମୀଙ୍କ ସହ ଯୋଗ ଦେଇ କରୋନା କଟକଣାର ଧଜ୍ଜିଆ ଉଡାଇଛନ୍ତି । ସାଂସଦଙ୍କ ଏଭଳି ବାରମ୍ବାର ନିୟମ ଉଂଲଘନ ବିରୋଧରେ ଏକାଧିକ ସାମାଜିକ ସଂଗଠନ ସ୍ୱର ଉଠାଇଛନ୍ତି । ପୂରା ସମାଜକୁ ବିପଦରେ ପକାଉଥିବା ଅଭିଯୋଗ ଆଣିଛନ୍ତି । ଏମିତିକି ନିଜ ଦଳୀୟ ନେତା ଓ କର୍ମୀ ବି ସାଂସଦଙ୍କ ଏଭଳି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ।

ଏହି ପ୍ରସଙ୍ଗରେ ବିଜେଡି ମଧ୍ୟ ସାଂସଦଙ୍କୁ ଟାର୍ଗେଟ କରିଛି । ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି, ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଓ ତାଙ୍କ ସମର୍ଥକମାନେ ସାମାଜିକ ଦୂରତା ନିୟମକୁ ଏକପ୍ରକାର ଅଳିଆ ଗଦାକୁ ଫିଙ୍ଗି ଦେଇଛନ୍ତି । ପୂର୍ବରୁ ମଧ୍ୟ ସେ ଏଭଳି ଭୁଲ ପାଇଁ ଦୁଃଖ ପ୍ରକାଶ କରିଥିଲେ । ହଂସପାଳଠାରେ ସୋମବାର ଫ୍ଲାଏଓଭର ପାଇଁ ସାଂସଦ ଭୂମି ପୂଜନ କରିଥିଲେ ।

‘ୱାରିସ୍‌ ଫାଉଣ୍ଡେସନ’ର ସମ୍ପାଦକ ଲୋରା ମହାପାତ୍ରଙ୍କ ଅଭିଯୋଗ ମୁତାବକ, ଉକ୍ତ କାର୍ଯ୍ୟକ୍ରମରେ ସାଂସଦ ମ୍ୟାଡାମ୍‌ ସାମାଜିକ ଦୂରତା ନିୟମକୁ ଦଳିମକଚି ଦେଇଛନ୍ତି । ଶତାଧିକ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯାହାର କିଛି ଫଟୋ ଚିତ୍ର ସୋସିଆଲ୍‌ ମିଡିଆରେ ପୋଷ୍ଟ କରାଯାଇଛି । ସାଂସଦ କରୋନା କଟକଣାକୁ ଫାଙ୍କି ପୂରା ସମାଜକୁ ବିପଦକୁ ଟାଣୁଛନ୍ତି । ଶ୍ରୀମତୀ ଷଡ଼ଙ୍ଗୀ ଥରେ ନୁହେଁ, ଏକାଧିକ ଥର ନିୟମକୁ ଫାଙ୍କୁଥିବା ଦେଖାଦେଉଛି । ଆର୍ଥିକ ଦଣ୍ଡ ବଦଳରେ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । ‘ମାଧବାନନ୍ଦ ଟ୍ରଷ୍ଟ’ ସମ୍ପାଦକ ଇତିଶ୍ରୀ ସାହୁ କହିଛନ୍ତି, କୋଭିଡ୍‌-୧୯ର କଟକଣା ସମସ୍ତଙ୍କ ପାଇଁ ସମାନ । ଏକ ସାମ୍ବିଧାନିକ ପଦବିରେ ଥିବା ସାଂସଦ ନିୟମ ଭାଙ୍ଗି ସମାଜକୁ ଭୁଲ ବାର୍ତ୍ତା ଦେଉଛନ୍ତି । ୱାରିସ ଫାଉଣ୍ଡେସନ, ମାଧବାନନ୍ଦ ଟ୍ରଷ୍ଟ ପକ୍ଷରୁ ଏନେଇ ବିଏମ୍‌ସି କମିଶନର ଓ ଭୁବନେଶ୍ୱର ଡିସିପିଙ୍କ ନିକଟରେ ସମାନ ଅଭିଯୋଗ ଆଣିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.