ନିର୍ବାଚନ ସମୟରେ ପୁଣି ମୋଦି ଉଠାଇଲେ ବଂଶବାଦ କଥା: କାଉଣ୍ଟର କଲେ ପ୍ରିୟଙ୍କା, ରାଜ୍ୟରେ ସବୁ ଦଳରେ ସମାନ ସ୍ଥିତି
20/03/2019 at 8:02 PM

ନୂଆଦିଲ୍ଲୀ୨୦|୩: ନିର୍ବାଚନ ସମୟରେ ପୁଣି ଉଠିଲା ବଂଶବାଦ କଥା। ଡାଏନାଷ୍ଟି ଓ ଅନେଷ୍ଟି। ଏମିତି କିଛି ତୁଳନା ତିଆରି ହୋଇଛି । ଆଜି କଥା ଉଠିଛି ମୋଦିଙ୍କ ଟ୍ବିଟ୍କୁ ନେଇ । ଦେଶର ସବୁ ପ୍ରତିଷ୍ଠାନ ଉପରେ ବଂଶବାଦର ନକରାତ୍ମକ ପ୍ରଭାବ ପଡ଼ିଥିବା ଅଭିଯୋଗ କରିଛନ୍ତି ମୋଦି ।

ସଂସଦରୁ ଆରମ୍ଭ କରି ସମ୍ବିଧାନ, ପ୍ରତିରକ୍ଷାରୁ ବାକ୍ ସ୍ବାଧୀନତା, ସମ୍ବାଦପତ୍ରରୁ ଆଇନ ଅଦାଲତ ସବୁଠି ପଡ଼ିଛି ବଂଶବାଦର ଛିଟା ।୨୦୧୪ରେ ବଂଶବାଦକୁ ପଛରେ ପକାଇ ସଚ୍ଚୋଟତାକୁ ଦେଇଥିଲେ ଅଗ୍ରାଧିକାର ।ମୋଦିଙ୍କ ଟ୍ବିଟ୍ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆଡକୁ ହିଁ କଟାକ୍ଷ କରୁଥିଲା, ଏଥିରେ ଅବୁଝା ନାହିଁ ।

ମୋଦିଙ୍କ ବଂଶବାଦ କଟାକ୍ଷକୁ କାଉଣ୍ଟର କରିଛନ୍ତି କଂଗ୍ରେସର ଲେଡି ବ୍ରିଗେଡିୟର ପ୍ରିୟଙ୍କା ଗାନ୍ଧି । ଗତ ୫ ବର୍ଷ ହେଲା ମୋଦି ଦେଶର ସବୁ ଅନୁଷ୍ଠାନ ଗୁଡ଼ିକରେ ହସ୍ତକ୍ଷେପ କରିଛନ୍ତି ।ଲୋକଙ୍କୁ ବୋକା ବନାଇବା ଅପଚେଷ୍ଟାରୁ ବିରତ ହୁଅନ୍ତୁ ବୋଲି ପ୍ରିୟଙ୍କା କହିଛନ୍ତି।

ଏଥିସହିତ ବଂଶବାଦକୁ ନେଇ ଦେଶବ୍ୟାପୀ ଏକ ବିତର୍କ ଆରମ୍ଭ ହୋଇଛି। ନ ହେବ ବା କେମିତି। ପ୍ରତି ଦଳରେ ପ୍ରତିରାଜ୍ୟରେ ନେତାଙ୍କ ପୁଅ ପୁତୁରା ଝିଅ ଝିଆରି ନାତି ଅଣନାତି ଯାଏଁ କ୍ଷମତା ଗଡ଼ି ଆସିଛି। ସେ କାଶ୍ମୀରର ଅବଦୁଲ୍ଲା ପରିବାର ହେଉ କି ୟୁପିର ଯାଦବ ପରିବାର କିମ୍ବା ବିହାରର ଯାଦବ ପରିବାର, ତାମିଲନାଡୁର କରୁଣାନିଧିଙ୍କ ପରିବାର ହେଉ କି କର୍ଣ୍ଣାଟକର ଦେବେଗୌଡ଼ା ପରିବାର, ମହାରାଷ୍ଟ୍ରରେ ଠାକରେ ପରିବାର ହେଉ କି ପଶ୍ଚିମବଙ୍ଗରେ ମୁଖାର୍ଜୀ କିମ୍ବା ତେଲେଙ୍ଗାନା ଓ ଆନ୍ଧ୍ର ରାଓ ପରିବାର କିମ୍ବା ରେଡ୍ଡି ପରିବାର ସମସ୍ତେ ଦଳ ଓ ଶାସନକୁ ଉତ୍ତରାଧୀକାରୀ ସୂତ୍ରରେ ପାଇଆସିଛନ୍ତି ।

ଏପଟେ ଆମ ରାଜ୍ୟରେ ମଧ୍ୟ ବଂଶବାଦକୁ ନେଇ କିଛି କମ ଉଦାହରଣ ନାହିଁ । ରାଜ୍ୟର ତିନି ଦଳରେ ତ ବଂଶବାଦ ନେତା ଅଛନ୍ତି କିନ୍ତୁ ବିଜେଡିରେ ଅଛନ୍ତି ସବୁଠାରୁ ଅଧିକ। ସଂସଦରେ ୧୦ଜଣ ସାଂସଦ ଥିବାବେଳେ ବିଧାନସଭାରେ ୧୪ଜଣ ବିଧାୟକ ଅଛନ୍ତି,ଏହି ତାଲିକାଭୁକ୍ତ ହେବେ। ଯେଉଁମାନଙ୍କ ପରିବାର ପୂର୍ବରୁ ଓଡିଶା ରାଜନୀତି ସହିତ ସମ୍ପୃକ୍ତ ଥିଲେ।

ସେହିପରି ବିଜେପିରେ ଜଣେ ସାଂସଦ ଓ ୩ ବିଧାୟକ ଅଛନ୍ତି । ବଂଶବାଦ ରାଜନୀତିକୁ ଜାତୀୟ ସ୍ତରରେ କଡ଼ା ସମାଲୋଚନା କରୁଥିବା ବିଜେପି ମଧ୍ୟ ଏଠାରେ ବଂଶବାଦ ରାଜନୀତିରୁ ମୁକ୍ତ ନୁହେଁ। ରାଜ୍ୟ ବିଜେପିରେ ବର୍ତ୍ତମାନ ୨ୟ ସର୍ବାଧିକ ବଂଶବାଦୀ ନେତା ନିର୍ବାଚିତ ହୋଇଛନ୍ତି। ସେହିପରି କଂଗ୍ରେସରେ ଗୋଟିଏ ପରିବାରୁ ୨ଜଣ।।

ଟିକେଟ ବଣ୍ଟାକୁ ନେଇ ଏବେ ରାଜ୍ୟ ରାଜ୍ୟ ନୀତିରେ ଘୋଡ଼ା ଛୁଟୁଥିବା ବେଳେ ପୁଅ ମାନଙ୍କ ପାଇଁ ବାପାମାନେ ମଧ୍ୟ ହାଇକମାଣ୍ଡଙ୍କ ପାଖରେ ଯୁକ୍ତିବାଢ଼ିଲେଣି । ବରିଷ୍ଠଙ୍କୁ ଛାଡ଼ି ଯଦି ଯୁବନେତା ଖୋଜୁଛ ତେବେ ସେମାନଙ୍କ ପୁଅମାନଙ୍କୁ ଟିକେଟ ଦିଆଯାଉବୋଲି ଦାବି କରିଛନ୍ତି । ତେଣୁ ଜନତା ହିଁ ଏହାର ବିଚାର କରିବେ।