ରାଜଧାନୀରେ ପୁଣି ଫୁଟିଲା ଗୁଳି, ସ୍କୁଟିରେ ଆସି ୨ ରାଉଣ୍ଡ ଗୁଳି ଚଳାଇଲେ ଦୁର୍ବୃତ୍ତ
3/02/2020 at 7:07 AM

ନୂଆଦିଲ୍ଲୀ ୦୩।୦୨: ଦିଲ୍ଲୀର ଜାମିଆ ମିଲିଆ ଇସ୍ ଲାମିୟା ବିଶ୍ବବିଦ୍ୟାଳୟରେ ପୁଣି ଗୁଳିକାଣ୍ଡ ଘଟିଛି । ଦୁଇ ଜଣ ଯୁବକ ଏକ ଚଳନ୍ତା ସ୍କୁଟିରୁ ଗୁଳି ଚାଳନା କରିଥିବା ଜଣାପଡ଼ିଛି । ପ୍ରଥମ ଗୁଳି ସେମାନେ ଜାମିଆର ୫ ନମ୍ବର ଗେଟ୍ ନିକଟରେ ଫୁଟାଇଥିଲେ ଏବଂ ଦ୍ବିତୀୟ ଗୁଳି ଗେଟ୍ ନମ୍ବର-୧ ରେ ଫୁଟିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି ।

ଗୁଳିକାଣ୍ଡରେ କେହି ଆହତ ହୋଇନଥିଲେ ମଧ୍ୟ ଏହାକୁ ନେଇ ବିଶ୍ବବିଦ୍ୟାଳୟ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି । ଗୁଳି ଚଳାଇଥିବା ଯୁବକମାନେ ଯେଉଁ ସ୍କୁଟିରେ ଆସିଥିଲେ ତାହାର ନମ୍ବର ନୋଟ୍ କରି ପୋଲିସକୁ ଦିଆଯାଇଥିବା ଆଇନ ଛାତ୍ର ଅର୍ଶାନ୍ ଅଫାକ୍ କହିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏବଂ ଦୁର୍ବୃତ୍ତମାନେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ ବୋଲି ନିରାପତ୍ତା କର୍ମଚାରୀମାନେ କହିଛନ୍ତି ।

୩ ଦିନ ତଳେ ଜାମିଆରେ ସିଏଏ ବିରୋଧୀ ବିକ୍ଷୋଭ ବେଳେ ଜଣେ ନାବାଳକ ଛାତ୍ର ପିସ୍ତଲରୁ ଗୁଳି ଚଳାଇଥିଲା । ପୁଣି ଏହି ଗୁଳିକାଣ୍ଡ ଜାମିଆ ଅଂଚଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଛି । ସିଏଏ ବିରୋଧରେ ଜାମିଆ ଛାତ୍ରଙ୍କ ବିକ୍ଷୋଭ ନେଇ ଉକ୍ତ ଅଂଚଳରେ ପୁଣି ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି ହେବା ଆଶଙ୍କା ଥିବାରୁ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଗୁଳି ଚାଳନା କରିଥିବା ଯୁବକଙ୍କୁ ଠାବ କରିବା ପାଇଁ ପ୍ରୟାସ ଜାରି ରଖିଛି ପୋଲିସ ।
