ଚିନ୍ତା ବଢାଇଲାଣି କରୋନା ଭାଇରସ, ୨୪ ଘଣ୍ଟାରେ ଦେଶରେ ୧୬ ହଜାରରୁ ଅଧିକ କୋଭିଡ ଆକ୍ରାନ୍ତ ଚିହ୍ନଟ

Published By : Prameya-News7 Bureau | February 27, 2021 IST

ନୂଆଦିଲ୍ଲୀ,୨୭/୦୨:ଦେଶର ୫ ରାଜ୍ୟରେ କରୋନା ମାମଲା ପୁଣି ବଢିବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ଆଉ ଥରେ ମାରାତ୍ମକ କରୋନା ଭାଇରସ କାୟା ମେଲାଇଛି । ଗତ କିଛିଦିନ ହେଲା କେବଳ ମହାରାଷ୍ଟ୍ର ଓ କେରଳରେ ଦୈନିକ ମାମଲାର ୭୬ ପ୍ରତିଶତ କେସ୍ ସାମ୍ନାକୁ ଆସିଛି । ଦିଲ୍ଲୀରେ ମଧ୍ୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ସେହିପରି ଦେଶରେ ଗତ ୨୪ ଘଣ୍ଟାରେ ୧୬,୪୫୮ଟି ନୂଆ ମାମଲା ସାମ୍ନାକୁ ଆସିଛି । ୧୧୩ଜଣ ପ୍ରାଣ ହରାଇଛନ୍ତି । ଦିଲ୍ଲୀ ସରକାରଙ୍କ ଦ୍ୱାରା ଜାରି ତଥ୍ୟାନୁସାରେ, ସଂକ୍ରମଣ ଦର ୦.୪୧ ପ୍ରତିଶତରେ ପହଁଚିଛି । ଏହା ଗତ ୧ ମାସ ମଧ୍ୟରେ ସର୍ବାଧିକ । ଏହାପୂର୍ବରୁ ଜାନୁଆରୀ ୨୯ରେ ସଂକ୍ରମଣ ହାର ୦.୪୨ ପ୍ରତିଶତ ରହିଛି । ଦିଲ୍ଲୀରେ ଏବେ ସକ୍ରିୟ ମାମଲା ୧୨୩୧ରେ ପହଁଚିଛି । ଏହାସହ ହୋମ୍ ଆଇସୋଲେସନରେ ୫୭୪ ଜଣ ଆକ୍ରାନ୍ତ ରହିଛନ୍ତି ।

ଫେବ୍ରୁଆରୀ ୧ ତାରିଖରେ ଦିଲ୍ଲୀରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୫ ଥିଲା । ସେହିପରି ଗତ ୨୪ ଘଣ୍ଟାରେ ଏଠାରେ ୨୫୬ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ୧୯୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଦିଲ୍ଲୀରେ ସୁସ୍ଥ ହାର ସର୍ବାଧିକ ୯୮ ପ୍ରତିଶତ ରହିଛି ।

ସୂଚନାଯୋଗ୍ୟ, ଦେଶରେ ଏବେସୁଦ୍ଧା ୧୧୦୭୯୯୭୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୫୬୯୩୮ ଜଣ ପ୍ରାଣ ହରାଇଛନ୍ତି । ସେହିପରି ୧୫୯୫୯୦ ଟି ସକ୍ରିୟ କେସ୍ ରହିଥିବା ବେଳେ ୧୦୭୬୩୪୫୧ ସୁସ୍ଥ ହୋଇ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.